ଜମି ବିବାଦରୁ ସଂଘର୍ଷ : ୨୨ ଆହତ, ୧୧ ଗୁରୁତର
ମୋହନା: ଜମିଜମା ବିବାଦକୁ କେନ୍ଦ୍ର କରି ଗଜପତି ଜିଲା ମୋହନା ବ୍ଲକର ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ରୂପ ଧାରଣ କରିଛି। ବ୍ଲକର ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଓ ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର(ଏକ ନିର୍ଦ୍ଦିଷ୍ଟ ସାହି) ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ଗ୍ରାମର ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଅଛନ୍ତି। ଗଜପତି ଏସ୍ପି ଜୟରାମ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅତିିରିକ୍ତ ତହସିଲଦାର ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବାଘମାରୀ ପଞ୍ଚାୟତ ଅଧିନ ଶିକୁଳିପଦର ଗାଁର ଏକ ନିର୍ଦିଷ୍ଟ ସାହିରେ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହେବାରୁ ସାହିର ଲୋକମାନେ ବାହାଡାପଦା ଗ୍ରାମ ଲୋକଙ୍କ ଜାଗା (ବିଜିପୁର)ରେ ଘର କରି ରହିବା ପାଇଁ ଅନୁରୋଧ କରିଥିଲେ। ଫଳରେ ଗ୍ରାମବାସୀ କିଛି ଜାଗା ସେମାନଙ୍କୁ ଦେଇଥିଲେ। କିନ୍ତୁ ପ୍ରତ୍ୟେକ ବର୍ଷ ବାହାଡାପଦା ଲୋକଙ୍କ ଜମି ବିଜିପୁରର ଏକ ନିର୍ଦ୍ଦିଷ୍ଟସାହି ଲୋକେ ଅକ୍ତିଆର କରିବାରେ ଲାଗିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବାହାଡ଼ାପଦା ଗ୍ରାମବାସୀ ପୂର୍ବରୁ ତହସିଲଦାର ଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲା। ରବିବାର ପୂର୍ବାହ୍ନରେ ବାହାଡ଼ାପଦା ଗ୍ରାମର କିଛି ବ୍ୟକ୍ତି ନିଜ ଜମିକୁ ଚାଷ ପାଇଁ ଯାଇଥିବାବେଳେ ବିଜିପୁର ଗାଁର କିଛି ଲୋକେ ସେମାନଙ୍କ ସହ ଯୁକ୍ତିତର୍କ କରିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ହାଣକାଟ ହେବାରୁ ଉଭୟ ପକ୍ଷର ବହୁ ମହିଳା ଓ ପୁରୁଷ ସମେତ ୨୨ଜଣ ଖଣ୍ଡିଆଖାବରା ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଅନ୍ୟ କେତେଜଣ ଆହତଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।
Comments are closed.