ଭାରତ-ମାଲେସିଆ ମ୍ୟାଚ୍ ୩-୩ରେ ଶେଷ
ପୁରୁଷ ଏସିଆ କପ୍ ହକି ସୁପର-୪ ମୁକାବିଲା
ଜାକର୍ତ୍ତା : ରବିବାର ଚଳିତ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ରେ ପର୍ଯ୍ୟାୟର ୨ୟ ମ୍ୟାଚ୍ରେ ମାଲେସିଆ ବିପକ୍ଷରେ ଭାରତ ଏକଦା ୩-୨ରେ ଆଗୁଆ ରହି ଫାଇନାଲ ଖେଳିବାର ଦ୍ବାରରେ ପହଞ୍ଚି ଯାଇଥିଲା। ହେଲେ ୫୬ ମିନିଟରେ ମାଲେସିଆର ରାଜି ରହିମ୍ ଗୋଲ୍ ସୁଝାଇ ଦେବାରୁ ଭାରତ ବିଜୟରୁ ବଞ୍ଚିତ ହୋଇଛି। ଉଭୟ ଦଳଙ୍କର ଏହି ୨ୟ ଲିଗ୍ ମ୍ୟାଚ୍ ୩-୩ ଗୋଲ୍ରେ ଅମୀମାଂସିତ ରହିବାରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ରାଜି ରହିମ୍ ୩ଟି ଯାକ ଗୋଲ୍ଦେଇ ହ୍ୟାଟ୍ରିକ୍ ଅର୍ଜନ କରିବା ସହ ଭାରତ ପଥରେ କଣ୍ଟା ସାଜିଛନ୍ତି।
ସୁପର-୪ରେ ୪ଟିଯାକ ଦଳ ୨ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି। ଭାରତ ଓ ଦକ୍ଷିଣ କୋରିଆ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ମାଲେସିଆ ୨ ଏବଂ ଜାପାନ ପଏଣ୍ଟ ଖାତା ଖୋଲି ପାରିନାହିଁ। ମଙ୍ଗଳବାର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଅନ୍ତିମ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ଫାଇନାଲ ଖେଳିବା ନିଶ୍ଚିତ। ହେଲେ ଏହି ମ୍ୟାଚ୍ ଅମୀମାଂସିତ ରହିଲେ ଉଭୟଙ୍କୁ ମାଲେସିଆ-ଜାପାନ ମ୍ୟାଚ୍ର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଭାରତ ୨-୦ ଗୋଲ୍ରେ ଆଗୁଆ ଥିବା ବେଳେ ଦ୍ବିତୀୟାର୍ଦ୍ଧରେ ଭାରତ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିଥିଲା। ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ବାଧୀନ ଭାରତ କ୍ରମାଗତ ୩ଟି ଗୋଲ୍ଦେଇ ୩-୨ରେ ଆଗୁଆ ହୋଇ ଯାଇଥିଲା। ହେଲେ ୫୬ ମିନିଟରେ ରାଜି ରହିମ୍ ଗୋଲ୍ ସୁଝାଇ ଭାରତର ବିଜୟ ଆଶାରେ ପାଣି ପୂରାଇ ଦେଇଥିଲେ। ରବିବାର ସୁପର୍-୪ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ ୩-୧ ଗୋଲ୍ରେ ଜାପାନକୁ ପରାସ୍ତକରି ଏହାର ଫାଇନାଲ ଯିବା ରାସ୍ତା ବନ୍ଦ କରିଦେଇଛି। ରବିବାର ମ୍ୟାଚ୍ରେ ମାଲେସିଆ ଦଳ ଚମତ୍କାର ଢଙ୍ଗରେ ମ୍ୟାଚ୍ ଆରମ୍ଭ କରିଥିଲା ଏବଂ ଭାରତକୁ ଚାପରେ ପକାଇଥିଲା। ୬ଷ୍ଠ ମିନିଟରେ ଭାରତୀୟ ଗୋଲ୍ରକ୍ଷକ ସୂରଜ କେର୍କେରା ଚମତ୍କାର ଢଙ୍ଗରେ ଗୋଲ୍ ବଞ୍ଚାଇଥିଲେ। ପ୍ରଥମ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ଦେବାରେ ମାଲେସିଆ ବିଫଳ ହୋଇଥିବା ବେଳେ ୧୨ ମିନିଟରେ ୨ୟ ପେନାଲ୍ଟି କର୍ଣ୍ଣରରୁ ରାଜି ରହିମ୍ ଗୋଲ୍ ଦେଇଥିଲେ। ୨୧ ମିନିଟରେ ମାଲେସିଆକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରରୁ ରାଜି ରହିମ୍ ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ୍ ଦେଇଥିଲେ। ଗୋଟିଏ ମିନିଟ ପରେ ସୂରଜ କେର୍କେରା ଏକ ନିଶ୍ଚିତ ଗୋଲ୍ ବଞ୍ଚାଇଥିଲେ। ୩୨ ମିନିଟରେ ଭାରତ ପ୍ରଥମ ଗୋଲ୍ ଦେଇଥିଲା। ପେନାଲ୍ଟି କର୍ଣ୍ଣର ପରେ ଏକ ରିବାଉଣ୍ଡରୁ ବିଷ୍ଣୁକାନ୍ତ ଏହି ଗୋଲ୍ଟି ଦେଇଥିଲେ। ୪୯ ମିନିଟରେ ଭାରତକୁ କ୍ରମାଗତ ୨ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ହେଁ ଦୀପ୍ସାନ ତିର୍କିଙ୍କ ସଟ୍କୁ ମାଲେସିଆ ଗୋଲ୍ରକ୍ଷକ ରୋକି ଦେଇଥିଲେ। ୫୩ ମିନିଟରେ ଗୋଲ୍ଦେଇ ଭାରତ ସ୍କୋର୍କୁ ୨-୨ କରିଥିଲା। ଏସ୍.ଭି. ସୁନୀଲ ଏହି ଗୋଲ୍ ଦେଇଥିଲେ। ୨ ମିନିଟ ପରେ ଭାରତ ଆଗୁଆ ହୋଇ ଯାଇଥିଲା। ପେନାଲ୍ଟି କର୍ଣ୍ଣରରୁ ଓଡ଼ିଆ ଖେଳାଳି ନୀଲମ୍ ସଞ୍ଜୀପ ଖେସ୍ ଗୋଲ୍ ଦେଇଥିଲେ। ପେର ରାଜି ରହିମ୍ ଗୋଲ୍ ସୁୂଝାଇ ଦେଇଥିଲେ।
Comments are closed.