ସୁନାପଦାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟିତ
୨୦ଟି ପୁରୁଷ ଓ ୧୬ଟି ମହିଳା ଦଳ ଯୋଗଦେଲେ
ପିପିଲି : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାନ ଭଏସ୍’ ପକ୍ଷରୁ ସୁନାପଦା ଗ୍ରାମସ୍ଥିତ ଖେଳପଡିଆ ଠାରେ ତିନିଦିନିଆ ରାଜ୍ୟସ୍ତରୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏଥିରେ ସମ୍ବଲପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ୨୦ଟି ପୁରୁଷ ଟିମ୍ ଓ ୧୬ଟି ମହିଳା ଟିମ୍ ଯୋଗ ଦେଇଛନ୍ତି।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଯୋଗଦେଇଥିବା ୩ଶହରୁ ଅଧିକ ଖେଳାଳିମାନେ ପିପିଲିର ତରାକାଜ ଛକ ଠାରୁ ଏକ ରୋଡ଼୍ ସୋ କରି ଖେଳପଡିଆ ପର୍ଯ୍ୟନ୍ତ ଯାଇଥିଲେ। ବାଜା ଓ ବାଣସହ ସେମାନଙ୍କୁ ଭରପୁର ସ୍ୱାଗତ କରାଯାଇଥିଲା । ପ୍ରଥମ ଦିନରେ ପୁରୁଷ ବିଭାଗରେ ୫ଗୋଟି ଓ ମହିଳା ବିଭାଗରେ ୨ଗୋଟି ଟିମ ଖେଳିଥିଲେ। ମହିଳା ବିଭାଗରେ ‘ୱାନ ଭଏସ ଟିମ’ ଓ ବିରଜା କ୍ଲବ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ବିରଜା କ୍ଲବ ବିଜୟୀ ହୋଇଥିଲା। ସେହିପରି ପିପିଲିର ଗୋକୁଳାନନ୍ଦ ଟିମ୍ ସହିତ ଯାଜପୁର ଟିମ ମଧ୍ୟରେ ହୋଇଥିବା ମ୍ୟାଚରେ ଯାଜପୁର ଟିମ୍ ବିଜୟ ହାସଲ କରିଥିଲା। ପୁରୁଷ ବିଭାଗରେ ‘ୱାନ ଭଏସ ଟିମ୍’ ସହିତ ଯାଜପୁର ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ୱାନ ଭଏସ ଟିମ୍ ବିଜୟୀ ହୋଇଥିଲା। ସେହିପରି ବାରଙ୍ଗ ଟିମ ସହିତ ନେତାଜୀ ସ୍ପୋର୍ଟିଙ୍ଗ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ନେତାଜୀ ସ୍ପୋର୍ଟିଙ୍ଗ୍, କଟକ ଟିମ ସହିତ କିଟ୍ ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଟକ ଟିମ୍, ପିପିଲିର ଜିଏନ୍ଏସ୍ଓ ସହିତ ସମ୍ବଲପୁର ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଜିଏନ୍ଏସ୍ଓ, ୱାନ ଭଏସ ଟିମ୍ ସହିତ କିଶୋର କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କିଶୋର କ୍ଲବ ବିଜୟ ହାସଲ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟକୁ ରେଫରୀ ସସ୍ମିତା ଦାସ ଓ ମନସ୍ୱିନୀ ସାହୁଙ୍କ ସହ ସେମାନଙ୍କ ସହଯୋଗୀମାନେ ପରିଚାଳନା କରୁଛନ୍ତି । ଖେଳର ମଜା ନେବା ପାଇଁ ପଡିଆରେ ପ୍ରବଳ ସଂଖ୍ୟାରେ ଦର୍ଶକଙ୍କ ସମାଗମ ପରିଲକ୍ଷିତ ହୋଇଛି । ଆୟୋଜକ ଅନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ବିଶ୍ୱାଳ, ସଭାପତି ବିଶ୍ୱଜିତ ବେହେରା, ଉପସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ସୁମନ୍ତ ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ଓ ପୃଷ୍ଠପୋଷକମାନେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରୁଛନ୍ତି।
Comments are closed.