ଶିକ୍ଷା ହିଁ କନ୍ୟା ସନ୍ତାନର ତୃତୀୟ ନୟନ: ଅଚ୍ୟୁତ ସାମନ୍ତ

ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର : ଦୁଇ ଦିନ ଧରି କିଟ୍‌ରେ ଚାଲିଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା ହେଉଛି ପ୍ରତ୍ୟେକ କନ୍ୟା ସନ୍ତାନଙ୍କ ତୃତୀୟ ନୟନ। କନ୍ୟା ସନ୍ତାନମାନେ ସମାଜର ଜଣେ ଜଣେ ପରିବର୍ତ୍ତନକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। କିଟ୍‌ରେ ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସ୍ୱାଗତ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ନାରୀ ପ୍ରଗତି ଓ ଲିଙ୍ଗ ବୈଷମ୍ୟ ଦୂର କରିବା ନେଇ ବହୁ ନିଷ୍କର୍ଷ ବାହାରି ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆୟୁକ୍ତ ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା କହିଲେ, ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପାଠ୍ୟକ୍ରମରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଥିଲେ ମଧ୍ୟ ଇଞ୍ଜିନିୟରିଂ ବିଭାଗରେ ଛାତ୍ରୀଙ୍କ ପ୍ରଦର୍ଶନ ଛାତ୍ରଙ୍କଠାରୁ କମ୍‌ ରହିଛି। ଆଇଆଇଟି, ଏନ୍‌ଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପ୍ରଦର୍ଶନ ଯେଭଳି ଭଲ ହେବ ସେଥିପାଇଁ ଆମକୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଜ୍ୱଳାର ସହପ୍ରତିଷ୍ଠାତ୍ରୀ ସୁନିତା କ୍ରିଷ୍ଣନ୍‌ ଆଭାସି ଜରିଆରେ ଯୋଗଦେଇ ଶିକ୍ଷା ଜରିଆରେ ଜନଜାତି ଛାତ୍ରୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଥିବାରୁ କିସ୍‌କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜର୍ମାନ୍‌ ପଲିସି କୋହେରେନ୍‌ସ ୟୁଏନ୍‌ ସିଷ୍ଟମ୍‌ ଷ୍ଟାଫ କଲେଜର ଲର୍ଣ୍ଣିଂ ପୋର୍ଟଫୋଲିଓ ମ୍ୟାନେଜର ସିମୋନା କୋଷ୍ଟାଞ୍ଜୋ ସୋ, ହାଇଦ୍ରାବାଦ୍‌ସ୍ଥିତ ୟୁଏସ୍‌ କନ୍‌ସୁଲେଟ୍‌ ଜେନେରାଲ୍‌ର ଷ୍ଟ୍ରାଟେଜିକ୍‌ ପବ୍ଲିକ୍‌ ଏନ୍‌ଗେଜମେଣ୍ଟ ପରାମର୍ଶଦାତା ସଲିଲ କାଦେର, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଉପରେ ଆଲୋକପାତ କରିଥିଲେ।
ଉଦ୍‌ଘାଟନୀ ଉତ୍ସବରେ ହାଇଦରାବାଦସ୍ଥିତ ୟୁଏସ୍ କନସୁଲେଟ୍ ଜେନେରାଲର କାର୍ଯ୍ୟକାରୀ ପବ୍ଲିକ ଆଫେୟାର୍ସ ଅଧିକାରୀ ଫ୍ରାଙ୍କି ଷ୍ଟର୍ମ, ଜାତିସଂଘର ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀ, ତ୍ରିନିଦାଦ୍ ଏବଂ ଟୋବାଗୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅରୁଣ ସାହୁ, କଲକାତାସ୍ଥିତ ଥାଇଲାଣ୍ଡ କନସୁଲେଟ୍‌ର କନ୍‌ସୁଲ୍‌ ଜେନେରାଲ୍‌ ଆଚର୍‌ପନ୍‌ ୟାଭାପ୍ରାପସ୍‌, ମାଦାଗାସକର୍‌ ଦୂତାବାସର ଚାର୍ଜ ଡି ଆଫେୟାର୍ସ ତାହିନା ରାସାମୋଏଲିନା, ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ ଓ ଅଭିନେତା ତଥା ସମାଜସେବୀ ରାହୁଲ ବୋଷ, କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡିଶା ମୁଖ୍ୟ ହିମାଂଶୁ ବଳ, ୟୁଏନ୍ଡ଼ିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର ପ୍ରମୁଖ ମହିଳା ଅନ୍ତର୍ଭୁକ୍ତିକରଣ ଓ ସମାନ ଭାଗୀଦାରି ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଭାରତ ସମେତ ବାଂଲାଦେଶ, ଭୁଟ୍ଟାନ୍‌, ଶ୍ରୀଲଙ୍କା ଆଦି ଦେଶରୁ ୭୦ରୁ ଊର୍ଦ୍ଧ୍ବ ମହିଳା ପ୍ରତିନିଧି ଯୋଗ ଦେଇଥିଲେ।

kalyan agarbati

Comments are closed.