www.samajalive.in
Monday, December 15, 2025
24.1 C
Bhubaneswar

କିନ୍ନରଙ୍କୁ ଦିଅ ପରିବାର ପେନ୍‌ସନ : ହାଇକୋର୍ଟ

କଟକ :  ତୃତୀୟ ଲିଙ୍ଗ (ମହିଳା)ଙ୍କୁ ପରିବାର ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ତୃତୀୟ ଲିଙ୍ଗ ବା କିନ୍ନରଙ୍କ ନିଜର ଲିଙ୍ଗ ଚୟନ କରିବାର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି ହାଇକୋର୍ଟ କହିଛନ୍ତି । ଜଣେ କିନ୍ନର ବ୍ୟକ୍ତି ମହିଳା ବା ପୁରୁଷ ବା ତୃତୀୟ ଲିଙ୍ଗରେ ରହିବେ ତାହା ସେ ନିଜେ ସ୍ଥିର କରିବେ। ସଂପୃକ୍ତ କିନ୍ନରଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କୁ ପରିଚୟ ଓ ସ୍ବୀକୃତି ସରକାର ଦେବେ ବୋଲି ହାଇକୋର୍ଟ କହିବା ସହିତ ଆବେଦନକାରୀ କିନ୍ନର (ମହିଳା) ତାଙ୍କ ପରଲୋକଗତ ବାପା-ମାଙ୍କ ଅବିବାହିତା ଝିଅ ଭାବେ ପରିବାର ପେନସନ୍ ପାଇବା ପାଇଁ ହକଦାର ବୋଲି ରାୟ ଦେଇଛନ୍ତି । ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପରିବାର ପେନସନ୍ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ) ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.କୋଣ୍ଡଗିରି ଓରଫ କାଜଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ପିତା ବାଲାଜି କୋଣ୍ଡଗିରି ରାୟଗଡ଼ା ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ ଅନ୍ତର୍ଗତ ଆରଡବ୍ଳୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚାକିରି କରୁଥିଲେ। ସରକାରୀ ଚାକିରିରୁ ଅବସର ପରେ ସେ ପେନସନନ ପାଉଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ବିନ୍‌ଜାମାଙ୍କୁ ପରିବାର ପେନସନ୍ ସରକାର ପ୍ରଦାନ କରିଥିଲେ। ୨୦୨୦ ଜୁଲାଇ ୧୧ରେ ବିନ୍‌ଜାମାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ଅବିବାହିତ କିନ୍ନର ଝିଅ କା‌ଜଲ ପରିବାର ପେନସନ୍ ପାଇଁ ଦରଖାସ୍ତ କରିଥିଲେ। ଓଡିଶା ସିଭିଲ ସର୍ଭିସ ପେନସନ ରୁଲ ୧୯୯୨ ନିୟମ ୫୬ ଅନୁସାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଅବିବାହିତା ଝିଅ ଯାହାର ବୟସ ୨୫ ବର୍ଷରୁ ଅଧିକ ହୋଇଥିବ ଓ ଆୟ ୪ହଜାର ୪୪୦ ଟଙ୍କାରୁ କମ୍ ହୋଇଥିବ ସେ ପରିବାର ପେନସନ ପାଇବାକୁ ହକଦାର। ଏହି ନିୟମ ଅନୁସାରେ ସବୁ ମାନଦଣ୍ଡ ଆବେଦନକାରୀ ପୂରଣ କରୁଥିଲେ ମଧ୍ୟ ତାଙ୍କୁ ପରିବାର ପେନସନ୍ ମିଳି ନଥିଲା। ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ ପରେ ତାଙ୍କୁ ପରିବାର ପେନସନ୍ ପ୍ରଦାନ ପାଇଁ ୨୦୨୧, ଜୁନ ୨୯ରେ ରାୟଗଡା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ତରଫରୁ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ)ଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ଆବେଦନକାରୀ ଜଣେ କିନ୍ନର (ମହିଳା) ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କୁ ୨୦୨୧ରେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହା ସତ୍ବେ ତାଙ୍କୁ ପରିବାର ପେନସନ୍ ମିଳି ନଥିଲା। ସେ ଜଣେ କିନ୍ନର ହୋଇଥିବାରୁ ତାଙ୍କ ପ୍ରତି ବାଛ ବିଚାର କରାଯାଉଛି ଓ ସବୁ ଯୋଗ୍ୟତା ଥାଇ ମଧ୍ୟ ପରିବାର ପେନସନ୍ ପ୍ରଦାନ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories