ରାଜ୍ୟସଭା ନିର୍ବାଚନ; କେଉଁ ବର୍ଗକୁ ପ୍ରାଧାନ୍ୟ ଦେବ ଶାସକ ଦଳ ?

ଭୁବନେଶ୍ୱର: ଚାରି ରାଜ୍ୟସଭା ଆସନରେ ନିର୍ବାଚନ କରିବା ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିରୋଧୀ ବିଜେପି ଓ କଂଗ୍ରେସ ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ଉଭୟ ଦଳ ପ୍ରାର୍ଥୀ ଦେବା ଆଶାକ୍ଷୀଣ। ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ଦଳର ମୁଖିଆ କାହାକୁ ପ୍ରାର୍ଥୀ କରୁଛନ୍ତି ତାକୁ ନେଇ ଶାସକ ଦଳ ଭିତରେ ରାଜନୀତି ବେଶ ଉଷ୍ଣତା ହୋଇଛି। ଦଳରେ ଆଶାୟୀଙ୍କ ତାଲିକା ବହୁ ଲମ୍ବା, ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ନେତାଙ୍କ ଉପରେ ଆସ୍ଥାପ୍ରକଟ କରି ରାଜ୍ୟସଭା ଆସନରେ ପ୍ରାର୍ଥୀ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି।
ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ସରିଛି। ବିଜେଡି ଦଳ ଉଭୟ ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିଛି; କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ଏବଂ ପୌର ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ୫୦ ପ୍ରତିଶତରୁ ଅଧିକ ଆସନରେ ପଛୁଆବର୍ଗଙ୍କୁ ପ୍ରାର୍ଥୀ କରିଥିବା ଦଳ ଦାବି କରୁଛି। ପଛୁଆବର୍ଗ (ଓବିସି/ଏସ୍‌ସିବିସି)ଆସନ ସଂରକ୍ଷଣ ବ୍ୟବସ୍ଥାକୁ କାଟି ଦିଆଯାଇଛି। କିନ୍ତୁ ଶାସକ ଦଳ କହୁଛି ପଛୁଆ ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ କଟିଥିଲେ ମଧ୍ୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଆସନରେ ଦଳ ପ୍ରାର୍ଥୀ କରିଛି। ଲୋକସଭାର ମୋଟ ଆସନରୁ ୩୩ ପ୍ରତିଶତ ଆସନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ଶାସକ ଦଳ କେନ୍ଦ୍ରକୁ ଚିଠି ଲେଖିଛି। ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା କୁହାଯାଇଛି। ତେବେ ରାଜ୍ୟସଭା ନିର୍ବାଚନରେ ବିଜେଡି ଏହି ଫର୍ମୁଲା ଆପଣାଇ ପଛୁଆବର୍ଗ ଏବଂ ମହିଳାଙ୍କୁ ପ୍ରାଧାନ୍ୟ ଦେବ କି ।
ଓଡ଼ିଶାରୁ ୧୦ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି। ୧୦ ଆସନରୁ ଗୋଟିଏ ବିଜେପି ହାତରେ ରହିଛି। ଅବଶ୍ୟ ବିଜେପି ଏବଂ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ ହୋଇଛନ୍ତି। ବାକି ୯ ଆସନ ବିଜେଡି ହାତରେ ରହିଛି। ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି। ସୁବାସ ସିଂ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିବାରୁ ୪ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସାଧାରଣ ବର୍ଗର ୪, ପଛୁଆବର୍ଗର ୨ ଏବଂ ବାକି ସଂଖ୍ୟାଲଘୁ ସମ୍ପ୍ରଦାୟ ବର୍ଗରୁ ପ୍ରାର୍ଥୀ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ସାଧାଣରଣ ବର୍ଗର ଦୁଇଜଣ ଓ ସଂଖ୍ୟାଲଘୁ ବର୍ଗର ଜଣେ ସାଂସଦଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଏବଂ ପଛୁଆବର୍ଗର ଜଣେ ସାଂସଦ ଇସ୍ତଫା ଦେଇଛନ୍ତି। ସବୁଠୁ ବିଡମ୍ବନାର ବିଷୟ ହେଲା ରାଜ୍ୟରୁ ଜଣେ ହେଲେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁନାହାନ୍ତି।

prayash

କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳା ଏବଂ ପଛୁଆବର୍ଗଙ୍କୁ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀ କରିଥିବା କହୁଛି। ରାଜ୍ୟସଭା ଆସନକୁ ଦେଖିଲେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ନାହିଁ। ପଛୁଆବର୍ଗରୁ ମାତ୍ର ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ୪ ଆସନ ମଧ୍ୟରୁ ବିଜେଡି ମହିଳା, ଏସସି, ଏସଟି ଏବଂ ପଛୁଆବର୍ଗରୁ ପ୍ରାର୍ଥୀ କରିବ କି। ଏସସି/ଏସଟି ଏବଂ ପଛୁଆ ବର୍ଗଙ୍କୁ ତାଙ୍କର ସାମାଜିକ ଓ ସାମ୍ବିଧାନିକ ଅଧିକାର ଦେବାରେ ରାଜ୍ୟ ସରକାର ସବୁବେଳେ ଟାଳଟୁଳନୀତି ଅବଲମ୍ବନ କରୁଛନ୍ତି। ବିଜେଡି ଦଳ ପାଖରେ ୯ ରାଜ୍ୟସଭା ସାଂସଦ ରହିଛନ୍ତି। ସେଥିରୁ ୨ଜଣ ପଛୁଆବର୍ଗ, ୩ଜଣ ସଂଖ୍ୟାଲଘୁ ଏବଂ ୪ଜଣ ସାଧାରଣ ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ରାଜ୍ୟବାସୀ ଆଶା ରଖିଛନ୍ତି ନବୀନ ବାବୁ ତାଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ।

kalyan agarbati

Comments are closed.