www.samajalive.in
Monday, December 15, 2025
16.1 C
Bhubaneswar

ଆମେରିକା-ରୁଷ ପ୍ରତିରକ୍ଷା ମୁଖ୍ୟଙ୍କ ଆଲୋଚନା

କିଭ୍‍: ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ପ୍ରଥମ ଥର ପାଇଁ ଆମେରିକା ଏବଂ ରୁଷର ପ୍ରତିରକ୍ଷା ମୁଖ୍ୟ ଶୁକ୍ରବାର ପରସ୍ପର ସହିତ ଆଲୋଚନା କରିଛନ୍ତି। ଏହାସତ୍ତ୍ବେ ୟୁକ୍ରେନକୁ ନେଇ ମସ୍କୋ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ରୁଷ ଅଧିକାରୀମାନେ କହିଛନ୍ତି । ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‍ ଦୀର୍ଘ ମାସ ପରେ ଉପୟ ପକ୍ଷ ମଧ୍ୟରେ ସିଧାସଳଖ ଆଲୋଚନା କରିଛନ୍ତି । ଇତିମଧ୍ୟରେ ରୁଷ ଆକ୍ରମଣ କାରଣରୁ ୟୁକ୍ରେନରେ ମାନବାଧିକାର ପରିସ୍ଥିତିରେ ଅଧୋପତନ ଘଟୁଥିବା ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ଜାତିସଂଘ ମାନବାଧିକାର ପରିଷଦରେ ମତଦାନରୁ ଭାରତ ବିରତ ରହିଛି। ଉକ୍ତ ପ୍ରସ୍ତାବରେ ପରିଷଦ ପକ୍ଷରୁ ସାମରିକ ଆକ୍ରମଣ ଓ କ୍ଷୟକ୍ଷତି ତୁରନ୍ତ ବନ୍ଦ କରିବାକୁ ଦୋହରାଯାଇଛି।

ପ୍ରସ୍ତାବ ସପକ୍ଷରେ ୩୩ ରାଷ୍ଟ୍ର ମତ ଦେଇଥିବାବେଳେ ଚୀନ ଏବଂ ଏରିଟ୍ରିଆ ଏହା ବିପକ୍ଷରେ ଭୋଟ ଦେଇଥିଲେ। ଅନ୍ୟପକ୍ଷରେ ଭାରତ, ଆର୍ମେନିଆ, କାମେରୁନ, ବଲିଭିଆ, କ୍ୟୁବା, କାଜାଖସ୍ତାନ, ନାମିବ୍ୟା, ପାକିସ୍ତାନ, ସେନେଗଲ, ସୁଡାନ, ଉଜବେକିସ୍ତାନ ଏବଂ ଭେନେଜୁଏଲା ମତଦାନରୁ ବିରତ ରହିଥିଲେ। ୟୁରୋପୀୟ ୟୁନିୟନ୍‍ର ନୀତି ନିର୍ଦ୍ଧାରଣ ମୁଖ୍ୟ ଯୋଶେପ ବୋରେଲ୍‍ କହିଛନ୍ତି ଯେ ୟୁରୋପୀୟ ରାଷ୍ଟ୍ରଗୁଡିକ ୟୁକ୍ରେନକୁ ଆଉ ୫୦୦ ନିୟୁତ ୟୁରୋ ମୂଲ୍ୟର ସାମରିକ ସହାୟତା ଯୋଗାଇଦେବେ। ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, ତାଙ୍କ ଦେଶର ସୈନ୍ୟମାନେ ଖାର୍କିଭ ଅଞ୍ଚଳରୁ ରୁଷ ସୈନ୍ୟଙ୍କୁ ସମ୍ପୂର୍ଣ୍ଣ ଭାବରେ ପଛକୁ ହଟାଇଦେବାରେ ସଫଳ ହୋଇଛନ୍ତି।

- Advertisement -

ଇତିମଧ୍ୟରେ ଜି୭ ରାଷ୍ଟ୍ରଗୁଡିକ ୟୁକ୍ରେନ ପରିସ୍ଥିତିକୁ ନେଇ ଖାଦ୍ୟଶସ୍ୟ ସଙ୍କଟ ସୃଷ୍ଟିହେବା ଚେତାବନୀ ଦେବା ସହିତ ରୁଷକୁ ସମର୍ଥନ ନକରିବାକୁ ଚୀନକୁ କହିଛନ୍ତି। ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେଅରବ୍ଲକ କହିଛନ୍ତି, ଏହି ଯୁଦ୍ଧ ସମ୍ପ୍ରତି ଏକ ବିଶ୍ୱସ୍ତରୀୟ ସଙ୍କଟ ସୃଷ୍ଟି କରିଛି। ବିଶେଷକରି ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ସମେତ ବିଶ୍ୱର ପ୍ରାୟ ୫୦ ନିୟୁତ ଲୋକ ଖାଦ୍ୟାଭାବ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛନ୍ତି।
ଫିନଲାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋ ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ସହିତ ଶନିବାର ଆଲୋଚନା କାଳରେ ସ୍ପଷ୍ଟ କରିଦେଇଛନ୍ତି ଯେ ସାମରିକ ଦୃଷ୍ଟିରୁ ଗୋଷ୍ଠୀ ନିରପେକ୍ଷ ରହିଆସିଥିବା ଫିନଲାଣ୍ଡ ଆଗାମୀ ଦିନରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ନେତାଙ୍କ ମଧ୍ୟରେ ଟେଲିଫୋନ କଥାବାର୍ତ୍ତା ସମୟରେ ଫେବୃଆରୀ ୨୪ ପରବର୍ତ୍ତୀ ସମୟରେ ଫିନଲାଣ୍ଡରେ ସୁରକ୍ଷା ପରିବେଶ କିଭଳି ବଦଳିଯାଇଛି, ତାହା ନିନିସ୍ତୋ ପୁଟିନଙ୍କୁ କହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ପୁଟିନ କହିଛନ୍ତି, ଫିନଲାଣ୍ଡ ତାହାର ନିରପେକ୍ଷ ମାନ୍ୟତାକୁ ପଛରେ ପକାଇ ନାଟୋରେ ଯୋଗଦେବା ଉକ୍ତ ରାଷ୍ଟ୍ର ପାଇଁ ଏକ ଭୁଲ ହେବ।

ପୁଟିନ ଏହା ମଧ୍ୟ କହିଛନ୍ତି ଯେ ଫିନଲାଣ୍ଡ ପାଇଁ କୌଣସି ସୁରକ୍ଷାଗତ ବିପଦ ନାହିଁ। ତାହାସତ୍ତ୍ବେ ଫିନଲାଣ୍ଡର ନିଷ୍ପତ୍ତି ରୁଷ ସହିତ ତାହାର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ। ଏଥିସହିତ ପୁଟିନ କହିଛନ୍ତି, ନାଟୋ ଯଦି ରୁଷ ସୀମାରେ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ଭିତ୍ତଭୂମି ସ୍ଥାପନ କରେ ତେବେ ମସ୍କୋ ତାହାର ଉପଯୁକ୍ତ ଜବାବ ଦେବ। ଇତିମଧ୍ୟରେ ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦଖଲରେ ରହିଥିବା ଇଜିୟମ୍‍ ସହରକୁ ପୁନଃଦଖଲ କରିବାକୁ ୟୁକ୍ରେନ ସୈନ୍ୟଙ୍କ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଛି। ୟୁକ୍ରେନ ସୈନ୍ୟମାନେ ରୁଷର ସୈନ୍ୟ ଏବଂ ସାମରିକ ଯାନବାହନ ଉପରେ ଆକ୍ରମଣ କରୁଥିବା ଖବର ମିଳିଛି। କେତେକ ସ୍ଥାନରେ ରୁଷ ସୈନ୍ୟ ପଛଘୁଞ୍ଚା ଦେଇଥିବା ଇଜିୟମ୍‍ର ଆଞ୍ଚଳିକ ଗଭର୍ଣ୍ଣର ଓଲେହ୍‍ ସିନେଗୁବୋଭ କହିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories