ଅବକ୍ଷୟମୁଖୀ ପାରମ୍ପରିକ ଜଳାଶୟର ପୁନରୁଦ୍ଧାର ଦାବୀ

ରେଙ୍ଗାଲି: ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରି ଆସୁଥିବା ବନ୍ଧ, କଁଟା, ମୁଡା, ଘାଘରା ଆଦି ପାରମ୍ପରିକ ପ୍ରାଚୀନ ଜଳଭଣ୍ଡାରଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ପୁନରୁଦ୍ଧାର ହେଉ ନଥିବାରୁ ଅଧିକାଂଶ ଜଳାଶୟ ଗ୍ରୀଷ୍ମ ଋତୁରେ ଶୁଖି ଯାଉଥିବା ବେଳେ ଆନେକ ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ବର୍ଷକୁ ବର୍ଷ ଏହି ସମସ୍ୟା ଗମ୍ଭୀର ଆକାର ଧାରଣ କରୁଛି। ଯାହାକି ଉଦବେଗର ବିଷୟ। ବହୁ ଜଳାଶୟ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଛି। ସ୍ୱାଧିନତା ପ୍ରାପ୍ତିର ୭୫ ବର୍ଷ ବିତିବାକୁ ଯାଉଛି। ୭୫ ବର୍ଷ ମଧ୍ୟରେ କେତେ ସରକାର ଆସିଲେ ଗଲେ, କେତେ ଯୋଜନା କାର୍ଯ୍ୟକାରୀ ହେଲା କିନ୍ତୁ ପ୍ରାଚୀନ ଜଳ ଭଣ୍ଡାରଗୁଡିକର ପୁନରୁଦ୍ଧାର ପାଇଁ କୌଣସି ଯୁଗାନ୍ତକାରୀ ଫଳପ୍ରସୂ ଯୋଜନା କାର୍ଯ୍ୟକାରୀ ହେଲାନାହିିଁ। ଫଳରେ କାହିଁ କେଉଁ କାଳରୁ ଜୀବ ଜଗତ ପାଇଁ ମୁଖ୍ୟ ଆଧାର ହୋଇଥିବା ଜଳଉତ୍ସ ବୋଲାଉଥିବା ପାରମ୍ପରିକ ଜଳାଶୟଗୁଡିକର ସ୍ଥିତି ବିପନ୍ନ ହୋଇ ପଡିଛି। ସଂପ୍ରତି ଋତୁଚକ୍ର ପରିବର୍ତ୍ତନ ଏବଂ ଶିଳ୍ପାୟନ ଜନିତ ଏକକାଳିନ ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇ ଭୂତଳ ଜଳସ୍ତର ପାତାଳଗାମୀ ହେବାରେ ଲାଗିଛି। ପାରମ୍ପାରିକ ଜଳାଶୟଗୁଡିକର ରକ୍ଷଣାବେକ୍ଷଣ ପ୍ରତି ଗୁରୁତର ଅବହେଳା ଗ୍ରାଷ୍ମଋତୁରେ ଉତ୍କଟ ଜଳ ସଙ୍କଟର କାରଣ ପାଲଟିଛି। ବର୍ଷକୁ ବର୍ଷ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ଗୁରୁତର ଅକାର ଧାରଣ କରିବାରେ ଲାଗିଛି। ଏହି ଜଳ ସଙ୍କଟରୁ ରକ୍ଷା ପାଇବାକୁ ହେଲେ ବନ୍ଧ, କଟା, ମୁଡା, ଘାଘରା ଆଜି ପ୍ରାଚୀନ ଜଳ ଭଣ୍ଡାରଗୁଡିକର ପୁନରୁଦ୍ଧାର ପାଇଁ ସମୟବଦ୍ଧ ଫଳପ୍ରସୂ ଯୋଜନା କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ବୋଲି ସଚେତନ ନାଗରିକ ମହଲରେ ଦାବୀ ହେଉଛି। ସଂଗୃହିତ ତଥ୍ୟ ଅନୁଯାୟୀ ରେଙ୍ଗାଲି ବ୍ଲକର ୧୬ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୩୩୭ଟି ବନ୍ଧ, କଁଟା ଏବଂ ପୁଷ୍କରିଣୀ ରହିଛି। ତେବେ ସେଥିମଧ୍ୟରୁ ୯୦ ପ୍ରତିଶତ ଜଳାଶୟ ଗ୍ରୀଷ୍ମ ଋତୁରେ ଜନସାଧାରଣଙ୍କ ବ୍ୟବହାରକୁ ଆସି ପାରୁନାହିଁ। ଶିଳ୍ପ କରିଡର କୁହାଯାଉଥିବା ରେଙ୍ଗାଲି ବ୍ଳକରେ ଏନ୍‍.ଏଲ୍‍.ସି କୋଇଲା ଖଣି, ଆଦିତ୍ୟ ଆଲୁମିନା, ଜେ.ଏସ୍‍.ଡବ୍ଲୁ -ଭୁଷଣ ଷ୍ଟିଲ, ବିରାଜ୍‍ ଷ୍ଟିଲ୍‍, ଶ୍ୟାମ ମେଟାଲିକ, ଆର୍ୟନ୍‍ ଇସ୍ପାତ ଆଦି ଅନେକ ବହୁରାଷ୍ଟ୍ରୀୟ କଳକାରଖାନା ଖଣି ଖାଦାନ ଏହି ଅଞ୍ଚଳର ଜମି ଜଙ୍ଗଲ ଅଧିଗ୍ରହଣ କରି କୋଟି କୋଟି ଟଙ୍କା ଲାଭ କରୁଛନ୍ତି। ଏସବୁ ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡିକ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଉତ୍ତରଦାୟୀ ଥିବାରୁ ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଥିବା ସମସ୍ତ ପାରମ୍ପରିକ ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ସରକାର ଏହି କମ୍ପାନୀମାନଙ୍କୁ ଦାୟିତ୍ୱ ଦେବା ଉଚିତ୍‍ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

ସୂଚିତ ଯେ, ସରକାର ଜନସାଧାରଣଙ୍କ ଜଳ ଚାହିଦା ପୂରଣ କରିବାପାଇଁ ବିଗତ ବର୍ଷମାନଙ୍କରେ ଆଦର୍ଶ ପୁଷ୍କରିଣୀ, ଜଳବିଭାଜିକା ପ୍ରକଳ୍ପ, ଜଳଅମଳ ପ୍ରକଳ୍ପ, ଆଡିବନ୍ଧ, ଚେକ୍‍ ଡ୍ୟାମ୍‍ ପରି ଏକାଧିକ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ପରିଯୋଜନା ଏବଂ କ୍ରିୟାନ୍ୱୟନରେ ଚରମ ଦୁର୍ନୀତି କରି ସରକାରୀ ଟଙ୍କା ବାଟମାରଣା ହେଉଥିବାରୁ ସଂପୃକ୍ତ ଯୋଜନାର ସୁଫଳ ଲୋକେ ପାଇପାରୁନାହାନ୍ତି। କାହିଁ କେଉଁ ଯୁଗରୁ ବର୍ଷବର୍ଷ ଧରି ଜନସାଧାରଣ ଏବଂ ଅନ୍ୟଜବଜନ୍ତୁ ମାନଙ୍କୁ ଜଳଦାନ କରିବା ସହିତ ଫସଲକୁ ମରୁଡି ଦାଉରୁ ରକ୍ଷାକରି ଜନସାଧାରଣଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରି ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଥିବା ବନ୍ଧ, କଁଟା, ମୁଡା, ଘାଘରା ଆଦି ଜଳାଶୟର ଅସ୍ତିତ୍ୱ ଏବେ ଘୋର ସଙ୍କଟ ରେ ରହିଛି। ବର୍ଷାଜଳ ସଂରକ୍ଷଣର ସର୍ବପ୍ରଥମ ଓ ପ୍ରାଚୀନ ପରମ୍ପରା ବୋଲି କୁହାଯାଉଥିବା ଅନେକ ଜଳାଶୟ ଧୀରେଧୀରେ ନିଶ୍ଚିହ୍ନ ହେବାରେ ଲାଗିଛି।

ବର୍ଷାଜଳକୁ ସଂରକ୍ଷଣ କରି ରଖିବାର ପ୍ରାଚୀନ ପରମ୍ପରା ପ୍ରତି ଚରମ ଅବହେଲା ଯୋଗୁ ଜଳଉତ୍ସଗୁଡିକର ଦ୍ରୁତ ଅବକ୍ଷୟ ଯୋଗୁଁ ନିୟମିତ ବ୍ୟବଧାନରେ ମରୁଡି ସମସ୍ୟା ଦେଖାଦେଉଛି ଏବଂ ଗ୍ରୀଷ୍ମଋତୁରେ ଜଳସଙ୍କଟ ସମସ୍ୟା ବର୍ଷକୁ ବର୍ଷ ଗମ୍ଭିର ଆକାର ଧାରଣ କରିବାରେ ଲାଗିଛି। ରାଜାରାଜୁଡା ଅମଳରେ ପୁଣ୍ୟ ଅର୍ଜନ ପାଇଁ ଲୋକେ ପୋଖରି ଖନନ କରୁଥିଲେ କିନ୍ତୁ ଏବେ ବସ୍ତୁବାଦ ରେ ଆକ୍ରାନ୍ତ ହୋଇ ପ୍ରାଚୀନ କାଳରୁ ଥିବା ଜଳଉତ୍ସକୁ ପୋତି ଦେଇ ସେଠାରେ ଆଳିଶାନ୍‍ କୋଠା ନିର୍ମାଣ କରିବାକୁ ଲୋକେ ତିଳେମାତ୍ର କୁଣ୍ଠା ପ୍ରକାଶ କରୁନାହାନ୍ତି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପୋଖରୀ ସଂସ୍କୃତି ପ୍ରତି ଅବିଚାର ଓ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି। ସରକାର ଏ ଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ସମୟବଦ୍ଧ ଭାବରେ ଫଳପ୍ରସୂ ଯୋଜନା ମାଧ୍ୟମରେ ପାରମ୍ପାରିକ ଜଳଉତ୍ସଗୁଡିକର ପୁନରୁଦ୍ଧାର କରି ସୁରକ୍ଷା ନକଲେ ଆଗାମୀ କିଛି ବର୍ଷ ପରେ ବହୁ ଜଳଉତ୍ସ ଲୋପ ପାଇଯିବା ନିଶ୍ଚିତ।

Comments are closed.