www.samajalive.in
Monday, December 15, 2025
17.1 C
Bhubaneswar

ବିଶ୍ବ ଶ୍ରମିକ ଦିବସ ଓ ଆଜିର ଶ୍ରମିକ

‘ଦେଶରେ ‘ନବ ଉଦାର ଅର୍ଥନୀତି’ ର ଆରମ୍ଭ ପରଠାରୁ ଠିକାକରଣ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ସ୍ଥାୟୀ ବା ନିୟମିତ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି ଯାହା ଶ୍ରମିକ ଶ୍ରେଣୀ ପାଇଁ ଏକ ପ୍ରମୁଖ ସମସ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ। ଏକ ସର୍ବେକ୍ଷଣରୁ ଜଣାଯାଇଛି ବର୍ତ୍ତମାନ ଠିକା ବା ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସଂଖ୍ୟା ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର ସ୍ଥାୟୀ କର୍ମଚାରୀଙ୍କ ଠାରୁ ପ୍ରାୟ ପଚାଶ ପ୍ରତିଶତରୁ ଅଧିକ। ଏହି ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଯାହାଦ୍ୱାରା ଶ୍ରମିକମାନେ ସେମାନଙ୍କ ଶ୍ରମ ଅଧିକାର ସହିତ ସାମାଜିକ ସୁରକ୍ଷାରୁ ବ­ଞ୍ଚିତ ହେଉଛନ୍ତି।

ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ୧୩୬ ତମ ବିଶ୍ୱ ଶ୍ରମିକ ଦିବସ। ଆଜିର ଦିନଟି ସେଇମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜର ହକ୍‍ ମାଗି, ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହେବା ସହିତ ତାଙ୍କ ଇଙ୍ଗିତରେ, ବିଚ୍‍ ରାସ୍ତାରେ ବୋମା ବିସ୍ଫୋରଣ ଦ୍ୱାରା ମୃତ୍ୟୁ ବରଣ କରିଥିବା କେତେକ ଦିନ ମଜୁରିଆ ଶ୍ରମିକ ଗୋଷ୍ଠୀ। ଏମିତି ଏକ ଦୁଃଖଦ ଦିନ ଥିଲା, ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ। ଯୁକ୍ତରାଷ୍ଟ୍ର ଆମେରିକାର ଶିଳ୍ପପତି ମାନଙ୍କ ଏକଚାଟିଆ ମନୋବୃତ୍ତି ଯାହା ଶ୍ରମିକମାନଙ୍କୁ ବାଧ୍ୟ କରୁଥିଲା, ସ୍ୱଳ୍ପ ବେତନରେ ଦୈନିକ ପନ୍ଦର ଘଣ୍ଟା କାମ କରିବା। ଏଥିରେ ଅତିଷ୍ଠ ହୋଇ ଏକ ଶ୍ରମିକ ସଂଗଠନ ଦୈନିକ ଆଠ ଘଣ୍ଟା ସହିତ ଉପଯୁକ୍ତ ମଜୁରି ସହ ଛୁଟି ଦିନ ଦାବିକରି ଏକ ଶାନ୍ତିପୂର୍ଣ୍ଣ ଧର୍ମଘଟ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଏକ ବିରାଟ ଜନ ଆନ୍ଦୋଳନରେ ପରିଣତ ହେବାପାଇଁ ଅନେକ ଖୋରାକ ଯୋଗାଇଥିଲା। ପୃଥିବୀର କୋଣ ଅନୁକୋଣରେ ଥିବା ଦିନମଜୁରିଆଙ୍କୁ ଏହା ବିଶେଷ ଆକୃଷ୍ଟ କରିଥିଲା, ଫଳସ୍ୱରୂପ ନ୍ୟୁୟର୍କ ସହରରେ ୧୮୮୬ ମସିହାରେ ପ୍ରଥମ ଶ୍ରମିକ ଦିବସ ପାଳନ କରି ନିଜ ଦାବିକୁ ଯଥାର୍ଥ ପ୍ରତିପାଦନ କରିଥିଲେ। ପରବର୍ତ୍ତୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ କ୍ରମେ ଭାରତରେ ୧୯୨୩ ମସିହା ମଇ ୧ ତାରିଖରୁ ମାଡ୍ରାସଠାରେ ଲେବର କିଷାନ ପାର୍ଟି ଦ୍ୱାରା ପ୍ରଥମ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଶ୍ରମିକ ଭାଇମାନଙ୍କ ଉଦ୍ଦେଶ୍ୟରେ କବି ଅନନ୍ତ ପଟ୍ଟନାୟକ ଏକ ଲୋକପ୍ରିୟ କବିତା ‘ଶ୍ରମିକ ଭାଇରେ ଲାଗି ପଡ, କଳ କାରଖାନା ସଡକ କେନାଲ, ବିଲ କାମ ଅବା ବନ୍ଧ ବାଡ’।

- Advertisement -

ଏହାକୁ ବିଶ୍ଳେଷଣ କଲେ ଶ୍ରମିକଙ୍କ ଅବଦାନ ଦେଶ ନିର୍ମାଣରେ କେତେ ଯେ ସହାୟକ ତାହା ବୁଝିବା ଆଦୌ ଅଛପା ରହିବ ନାହିଁ। ଏବେ ଆସିବା ମୂଳ କଥାକୁ, ଗତ ବର୍ଷ ମହାମାରୀ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜର ରୋଜଗାର ହରାଇବା ସହିତ ଘରବାହୁଡା ପରିସ୍ଥିତି ସେମାନଙ୍କ ଆର୍ଥିକ ଦୁରବସ୍ଥାକୁ ପଦାରେ ପକାଇଥିଲା। କେତେକ ଶ୍ରମିକ ସାଇକଲ ଏପରି କି ପାଦରେ ଚାଲିଚାଲି ଶହ ଶହ କିଲୋମିଟର ଅତିକ୍ରମ କରି ନିଜ ଭାଟିମାଟିରେ ପହ­ଞ୍ଚି ବଖାଣିଥିଲେ ନିଜ ନିଜ କର୍ମସ୍ଥଳୀର ନାନା ରକମର ଅସୁବିଧା। ସେମାନଙ୍କ ମଧ୍ୟରୁ ପ୍ରାୟତଃ କମ୍ପାନୀ ଅଥବା ବେସରକାରୀ ସଂସ୍ଥାର ପ୍ରତ୍ୟକ୍ଷ ବା ମୂଳ କର୍ମଚାରୀ ନୁହନ୍ତି ଅର୍ଥାତ ଏମାନେ ସବୁ ଠିକା କର୍ମଚାରୀ। ଦେଶରେ ‘ନବ ଉଦାର ଅର୍ଥନୀତି’ର ଆରମ୍ଭ ପରଠାରୁ ଠିକା କରଣ ନିଯୁକ୍ତି ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ସ୍ଥାୟୀ ବା ନିୟମିତ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି ଯାହା ଶ୍ରମିକ ଶ୍ରେଣୀ ପାଇଁ ଏକ ପ୍ରମୁଖ ସମସ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ।

ଏକ ସର୍ବେକ୍ଷଣରୁ ଜଣାଯାଇଛି ବର୍ତ୍ତମାନ ଠିକା ବା ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସଂଖ୍ୟା ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର ସ୍ଥାୟୀ କର୍ମଚାରୀଙ୍କ ଠାରୁ ପ୍ରାୟ ପଚାଶ ପ୍ରତିଶତରୁ ଅଧିକ। ଏହି ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଯାହାଦ୍ୱାରା ଶ୍ରମିକମାନେ ସେମାନଙ୍କ ଶ୍ରମ ଅଧିକାର ସହିତ ସାମାଜିକ ସୁରକ୍ଷାରୁ ବ­ଞ୍ଚିତ ହେଉଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଶ୍ରମ ନୀତିରେ ସୁଧାର ନ ଆସିବା ଏକ ପରିତାପର ବିଷୟ। ଦେଖାଯାଉଛି କେେତେକ ରାଜ୍ୟରେ ଶ୍ରମ ଦିବସ ଦୈନିକ ଆଠ ଘଣ୍ଟା ବଦଳରେ ବାର ଘଣ୍ଟା ଧାର୍ଯ୍ୟ କରାଯାଇଛି। ଏସବୁ ତଦାରଖ କରିବାପାଇଁ ସେମିତି କିଛି ବିଧି ବ୍ୟବସ୍ଥା ନାହିଁ କହିଲେ ଚଳେ। ଏହି ପରିପ୍ରେକ୍ଷୀରେ କିଛି ମୁନାଫାଖୋର ବ୍ୟକ୍ତି ବିଶେଷ ଖୋଲାଖୋଲି ଶ୍ରମ ଆଇନ୍‍କୁ ଉଲ୍ଲଙ୍ଘନ କରି ରାଜ୍ୟ ବା ଦେଶ ବାହାରେ ଠିକା ସଂସ୍ଥାମାନ ଖୋଲି ନିଜକୁ ସୁହାଇଲା ଭଳି ନିୟମ କାନୁନ କରି ବିଭିନ୍ନ ସଂସ୍ଥାରେ ଲୋକଙ୍କୁ ନିୟୁକ୍ତି ଦେଇ ମୋଟା ଅଙ୍କରେ ଭଲ ଦି ପଇସା ରୋଜଗାର କରୁଛନ୍ତି। ଅନ୍ୟପକ୍ଷରେ ଶ୍ରମିକମାନେ ବିଭିନ୍ନ ଅସଙ୍ଗଠିତ ସଂସ୍ଥାରେ କାମକରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଠିକା ସଂସ୍ଥାମାନଙ୍କର ଏଭଳି ବ୍ୟବସ୍ଥାରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଚାକିରି କରୁଥିବା ବିଚରା ଶ୍ରମିକ ଗୋଷ୍ଠୀ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବ­ଞ୍ଚିତ ହେଉଛନ୍ତି। ଯେଉଁ ଅଫିସରେ ଦେଖିବ ମାଳ ମାଳ ଠିକା କର୍ମଚାରୀ ଭିନ୍ନ ଭିନ୍ନ ସ୍କିମ ସହିତ ଅସଙ୍ଗତ ବେତନ।

ଅପରପକ୍ଷେ ଏହି ଠିକା କର୍ମଚାରୀ ବିଭିନ୍ନ ସରକାରୀ ସଂସ୍ଥାରେ ‘ଛଅବର୍ଷ’ରୁ ଊର୍ଦ୍ଧ୍ବ ସମୟ ଧରି ନିୟମିତ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ସ୍ଥାୟୀ କର୍ମଚାରୀ ମାନ୍ୟତା ପାଇପାରୁନାହାନ୍ତି। ବିଭିନ୍ନ ସଂସ୍ଥାରେ ଚାକିରି କରୁଥିବା ଅନେକ ଶିକ୍ଷିତ ବା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ବର୍ତ୍ତମାନର ଶ୍ରମନୀତିର ବିଭିନ୍ନ ଅସୁବିଧାଗୁଡିକୁ ଆତ୍ମଚିନ୍ତନ କରି ଅନେକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଶ୍ରମସଂସ୍କାର ସହିତ ଶ୍ରମ ଆଇନରେ ପରିବର୍ତ୍ତନ ନିହାତି ଅପରିହାର୍ଯ୍ୟ। ଅବଶ୍ୟ ନିକଟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଅଙ୍ଗନବାଡି କର୍ମଚାରୀମାନଙ୍କୁ ଏକ ଖୁସି ଖବର ଦେଇ ଏକ ଆଶ୍ୱାସନା ମଲମ ଲେପନ କରିଛନ୍ତି। ଏଇ ତ ଗଲା ସରକାରୀ ଓ ବେସରକାରୀ ଅନୁଷ୍ଠାନର ଠିକା କର୍ମଚାରୀଙ୍କ ସଂଖ୍ୟା। ଶ୍ରମିକ ସଙ୍କଟ ଏବେ ଗାଁ ଗହଳରେ ଏକ ଉତ୍କଟ ସମସ୍ୟା ରୂପେ ବିବେଚିତ ହେଉଛି। ଅନେକ ଯୁବକ ଯୁବତୀ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି ଆଉ ଯେଉଁ କିଛି ରହିଗଲେ ବିଭିନ୍ନ ସରକାରୀ ଯୋଜନାରୁ ବିନା ପରିଶ୍ରମ କିଛି ସୁବିଧା ପାଇ କାମ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଏକ ଚର୍ଚ୍ଚା ହେଉଛି ସରକାର ଯୋଗାଉଥିବା ଟଙ୍କିକିଆ ଚାଉଳ ଏହାର ମୁଖ୍ୟ କାରଣ। ଅପରପକ୍ଷେ ଏଭଳି ସରକାରୀ ଯୋଜନାର ଅବଧି କେବେ ସମାପ୍ତ ହେବ ସେ ନେଇ କିଛି ଘୋଷଣାନାମା ହୋଇନାହିଁ। ଗାଁ ଗହଳିରେ ବିଶେଷ କରି କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ସଂକଟ କହିଲେ ନ ସରେ।

ବର୍ତ୍ତମାନ ଶ୍ରମିକ ଅଭାବରୁ ବିଶେଷ କରି ଆମ ରାଜ୍ୟରେ ହଜାର ହଜାର ଏକର କୃଷି କ୍ଷେତ୍ର ପଡିଆ ପଡୁଛି। କାହିଁକି ନ ପଡିବ! ଯେଉଁଥିପାଇଁ ଆମେ ଚାଷ କରୁଥିଲେ ତାହା ଯଦି ଅନାୟସରେ ମିଳିଯାଉଛି ତେବେ ବିଲ ପଡିଆ ପଡିବା ସ୍ୱାଭାବିକ। ଲୋକସଂଖ୍ୟା ଅନୁପାତରେ କୃଷିଜାତ ଉତ୍ପାଦନ ହ୍ରାସ, ମୁଲ୍ୟବୃଦ୍ଧିକୁ ଅଧିକ ପ୍ରୋତ୍ସାହିତ କରୁଛି। ଗାଁ ଗହଳରେ ଥିବା ଶ୍ରମିକମାନଙ୍କ ମାନସିକତା କିନ୍ତୁ ଭିନ୍ନ, ଯଦି ବିନା ପରିଶ୍ରମରେ କିଛି ମିଳିଯାଉଛି ତେବେ ପରିଶ୍ରମ କାହିଁକି କରିବେ ବୋଲି ପାଲଟା ପ୍ରଶ୍ନ ମନରେ ଉଙ୍କି ମାରୁଛି। କୃଷିକ୍ରମଣ ଯୋଜନାକୁ ଅଧିକ କ୍ରିୟାଶୀଳ କରାଇ ଟଙ୍କିକିଆ ଚାଉଳ ବାବଦରେ ଖର୍ଚ୍ଚ ହେଉଥିବା ଅଧା ବଜେଟ କୃଷି କାମ ପାଇଁ ପ୍ରୋତ୍ସାହିତ କରାଗଲା ଏହା କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରନ୍ତା ଏଥିରେ ସନ୍ଦେହ ନାହିଁ। ଏଥିପାଇଁ ଦରକାର ଜନସାଧାରଣଙ୍କ ‘ମାଗଣା ପରିହାର’ କରିବାର ଏକ ଦୃଢ ମାନସିକତା ତତ୍‍ ସହିତ ରାଜନୈତିକ ଦଳମାନେ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଆପଣାଉଥିବା ସହଜ ତରିକା ଯଥା ବିଭିନ୍ନ ରକମର ମାଗଣା ଇସ୍ତାହାରରୁ ସମ୍ପୂର୍ଣ୍ଣ ନିବୃତ୍ତ ରହିବା। ପରପକ୍ଷରେ ଏହା ଆଗାମୀ ଦିନରେ ସ୍ୱାବଲମ୍ବୀ ହେବାର ଏକ ନୂତନ ଦିଗନ୍ତ ସୃଷ୍ଟି କରିବା ସହିତ ଦେଶ ଅର୍ଥନୀତିରେ ଅନେକ ସୁଧାର ଆଣିପାରନ୍ତା। ଅନ୍ୟଥା ଦରବୃଦ୍ଧି ସାଙ୍ଗକୁ ଖାଦ୍ୟ ସଙ୍କଟ ଅର୍ଥନୀତିର ନିମ୍ନଗାମୀ ଭଳି ଉତ୍କଟ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କା ଓ ପାକିସ୍ତାନ ଅବସ୍ଥା ଯେ ଆମକୁ ଭୋଗ କରିବାକୁ ନ ପଡିବ ଏକଥା କିଏ କହିବ? ଏସବୁକୁ ହୃଦୟଙ୍ଗମ କରି ଶ୍ରମିକମାନଙ୍କ ଅବସ୍ଥାରେ ଦେଖାଯାଉଥିବା ବହୁବିଧ ସମସ୍ୟା, ବିଶେଷ କରି ଶିଶୁ ଶ୍ରମିକ ସୃଷ୍ଟି ହେବାର ମୁଖ୍ୟ ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରି, ଶିଶୁ ଶ୍ରମିକ ସମ୍ପୂର୍ଣ୍ଣ ଉ‌େଚ୍ଛଦ କରିବା ଏକ ପ୍ରୟାସ ଯାହା ଚଳିତ ବର୍ଷ ମୁଖ୍ୟ ସ୍ଲୋଗାନ, ଏଥିରେ ବ୍ୟାପକ ପରିବର୍ତ୍ତନ ଅଣାଗଲେ ଏହା ହିଁ ହେବ ଆଜିର ଦିନର ପ୍ରକୃତ ଉଦେଶ୍ୟ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories