ହାତରେ ଲାଗିଛି ହାତକଡି ୨ ଅଭିଯୁକ୍ତ ଫେରାର –୨ ଦିନ ପରେ ବି ଖୋଜଖବର ନାହିଁ

ବଲାଙ୍ଗିର -ବଲାଙ୍ଗିର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଳ ଫାଣ୍ଡିରେ ଅଟକ ଥିବା ୨ ଅଭିଯୁକ୍ତ ବୁଧୁବାର ରାତିରେ ଫେରାର ହୋଇଯାଇଛନ୍ତି । ଖାଇବା ପରେ ହାତ ଧୋଇବା ପାଇଁ ଯାଇ ଆଉ ଆସି ନଥିଲେ । ବଡମାଳ ବର୍ଣ୍ଣି ଜଙ୍ଗଲ ଆଡକୁ ସେମାନେ ପଳାଇ ଯାଇଥିବା ଆଶଙ୍କା କରିଥିଲା ପୁଲିସ । ଗୋଳା ବାରୁଦ କାରଖାନାର ଘରୋଇ ସୁରକ୍ଷା କର୍ମୀ, ବଡମାଳ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, କର୍ମଚାରୀ, ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ଟିଟିଲାଗଡ ଉପଖଣ୍ଡ ପୁଲିସ ଅଧିକାରୀ(ଏସ୍‌ଡିପିଓ) ସୁରେନ୍ଦ୍ର ନାଥ ଶତପଥୀ ପ୍ରମୁଖ ଜଙ୍ଗଲରେ ରାତି ତମାମ ଖୋଜାଖୋଜି କରିବା ସହ ଯାତାୟତ କରୁଥିବା ଗାଡିଗୁଡ଼ିକୁ ଯାଞ୍ଚ କରିଥିଲେ । ଘଟଣାର ଗୁରୁତ୍ୱକୁ ଅନୁଭବ କରି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ନୀତିନ କୁଶଲକର ଦାୟିତ୍ୱରେ ଅବହେଳା କରିଥିବା ଦର୍ଶାଇ କନେଷ୍ଟବଳ ସତ୍ୟବାନ ରାଉତ, ଅଶ୍ୱିନୀ ସେଠ, ସୁନୀଲ ମିଞ୍ଜଙ୍କୁ ନିଲମ୍ବିତ କରିଥିଲେ । କିନ୍ତୁ ଅଟକ ଅଭିଯୁକ୍ତମାନେ ଫେରାର ହେବା ବେଳେ ଫାଣ୍ଡିରେ ଥିଲେ ଅଧିକାରୀ ସର୍ବେଶ୍ୱର ସାହୁ । ତଳିଆ କର୍ମଚାରୀ ୩ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ଫାଣ୍ଡି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫେରାର ଅଭିଯୁକ୍ତଙ୍କ ହାତରେ ହେଣ୍ଡକପ୍‌(ହାତକଡ଼ି) ଲାଗିଥିବା ବେଳେ ସେମାନେ କୁଆଡେ ଗଲେ । ୨ ଦିନ ହେଲା ସେମାନଙ୍କ କୌଣସି ସୁରାକ ଲଗାଇ ପାରି ନାହିଁ ପୁଲିସ ।

prayash

ଗତ ୧୮ ତାରିଖରେ ବେଲଗାଁ ଫାଣ୍ଡି ଅନ୍ତର୍ଗତ ବିନ୍ଧନବାହାଲି ମଦ ଭାଟିକୁ ୮ରୁ ୧୦ଜଣ ଯୁବକ ଯାଇଥିଲେ । ମଦ ବିକ୍ରେତାଙ୍କୁ ମଦ ମାଗିବା ସହ ଭିତରେ ପଶିଥିଲେ । ଭାଟି ପରିଚାଳକ ପିଣ୍ଟୁ ସିଂଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ସେମାନେ ଦେଢ ଲକ୍ଷ ଟଙ୍କା ଓ ୨ଟି ମୋବାଇଲ୍‌ ନେଇଯାଇଥିଲେ । ପରିଚାଳକ ସଇଁନ୍ତଲା ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହ ଯାଇ ଯାଞ୍ଚ କରିଥିଲେ । ସଇଁନ୍ତଲା ପୁଲିସ ବିନ୍ଧନବାହାଲି ମଦ ଭାଟିରୁ ଟଙ୍କା ଲୁଟ୍‌ ମାମଲାରେ ସଇଁନ୍ତଲା ସର୍ଗିପାଲି ଗାଁର ପିଣ୍ଟୁ ଦାସ ଓ କନ୍ଧମାଳ ଜିଲା ତୁମୁଡିବନ୍ଧର ସନ୍ତୋଷ ବଡସେଠକୁ ଧରିଥିଲେ । ବଡମାଳ ଫାଣ୍ଡିରେ ୨ ଦିନ ଧରି ରଖି ସଇଁନ୍ତଲା ଥାନା ଅଧିକାରୀ ଶ୍ରୀ ସାହୁ ଓ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ସହଯୋଗରେ ପଚରା ଉଚୁରା ଚାଲିଥିଲା । ୨ ଅଟକ ଲୁଟ୍‌ ନେଇ ସ୍ୱୀକାର କରିଥିଲେ । ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ସହ ଲୁଟ୍‌ ଟଙ୍କା ଉଦ୍ଧାର ପାଇଁ ଜେରାକୁ ଜୋରଦାର କରିଥିଲା ପୁଲିସ । ତେବେ ବୁଧୁବାର ରାତିରେ ଖାଇବା ପରେ ହାତ ଧୋଇବା ପାଇଁ ଫାଣ୍ଡି ବାହାରକୁ ଆସି ଅଟକ ପିଣ୍ଟୁ ଓ ସନ୍ତୋଷ ଫେରାର ହୋଇଯାଇଥିଲେ । ହାତରେ ହେଣ୍ଡକପ୍‌ ଲାଗିଥିବା ବେଳେ ସେମାନେ ନିକଟସ୍ଥ ବର୍ଣ୍ଣି ଜଙ୍ଗଲକୁ ପଳାଇଥିବା ସନ୍ଦେହ କରି ପୁଲିସ ଖୋଳତାଡ କରିଥିଲା । ବୁଧୁବାର ରାତିରୁ ଫେରାର ହୋଇଥିଲେ ବି ଶୁକ୍ରବାର ଯାଏ ସେମାନଙ୍କର କୌଣସି ଖୋଜଖବର ପୁଲିସ ପାଇ ପାରୁ ନାହିଁ । ବଲାଙ୍ଗିର ଏସ୍‌ପି ଦାୟିତ୍ୱ ତୁଲାଇବାରେ ଅବହେଳା କରିଥିବା ଦର୍ଶାଇ ୩ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି । ହେଲେ ସବୁବେଳେ ପଦସ୍ଥ ଅଧିକାରୀ ତଳତଳିଆଙ୍କୁ ନିଲମ୍ବିତ କରୁଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳାକୁ ଅଣଦେଖା କାହିଁକି କରୁଛନ୍ତି ବୋଲି ପ୍ରଶ୍ନ ହେଉଛି । ବଲାଙ୍ଗିର ଜିଲା କନେଷ୍ଟବଳ ସଂଘର କିଛି ସଦସ୍ୟ ନାମ ପ୍ରକାଶ ନକରିବା ସର୍ତ୍ତରେ ପଦସ୍ଥ ଅଧିକାରୀଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି । ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୁଲିସ ଗିରଫ କରି ଟିଟିଲାଗଡ ଥାନା ବ୍ୟାରେକ୍‌ରେ ରଖିଥିଲେ । ସେଠାରୁ ଚତୁରତାର ସହ ଗୋବିନ୍ଦ ଫେରାର ହୋଇଯାଇଥିଲେ । ସେହିପରି ସିନେ୍ଧକେଲା ଥାନାର ପୁଲିସ ବାବୁ ଲୋକଙ୍କ ଛେଳି ମାରି ଭୋଜି କରିଥିଲେ । ଛେଳି ମାଲିକ ଥାନାରେ ପହଞ୍ଚିବାରୁ ନାଲି ଆଖି ଦେଖାଇଥିଲେ । ଏସ୍‌ପି ଛେଳି ଭୋଜି କରିଥିବା ପୁଲିସ ଏସ୍‌ଆଇ ବାବୁଙ୍କୁ ନିଲମ୍ବିତ କରିଥିଲେ । କିନ୍ତୁ କିଛି ପୁଲିସ ବାବୁଙ୍କ କାରନାମା ଓ ଖାମଖିଆଲି ନୀତି ଯୋଗୁଁ ପୁଲିସ ଛବି ଜିଲାରେ କଳଙ୍କିତ ହେଉଛି । ଅପନିନ୍ଦିତ ହେଉଛି ପୁଲିସ ବିଭାଗ । ବଡମାଳ ଫାଣ୍ଡିରୁ ୨ ଅଟକ ଅଭିଯୁକ୍ତ ଫେରାର ହେବା ପରେ ପୁଲିସ ପାରିବାପଣିଆ ସହ ଗୋଦରା କୋଡେ ଯେତେ, ମାଡେ ସେତେ ବୋଲି ସମାଲୋଚନା କରାଯାଉଛି ।

kalyan agarbati

Comments are closed.