ପୁନର୍ବିବାହ ପର୍ଯ୍ୟନ୍ତ ମୁସଲମାନ ମହିଳା ଭରଣପୋଷଣ ପାଇବେ

ଲକ୍ଷ୍ନୌ : ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ପୁନର୍ବିବାହ ପର୍ଯ୍ୟନ୍ତ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର ଏବଂ ସେ ଏହା ଦାବି କରିପାରିବେ। ଏଭଳି ରାୟ ଶୁଣାଇଛନ୍ତି ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ଲକ୍ଷ୍ନୌ ପୀଠ। ବିଚାରପତି କେ.ଏସ୍‌ ପୱାରଙ୍କ ନେତୃତ୍ବାଧୀନ ପୀଠ ଜଣେ ମହିଳାଙ୍କ ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ ‘ଇଦାତ୍’ ଅବଧି ଶେଷ ପରେ ଏବଂ ପୁନର୍ବିବାହ ପର୍ଯ୍ୟନ୍ତ ଜଣେ ମହିଳା ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ। ଇସ୍‌ଲାମିକ ଆଇନରେ ଇଦାତ୍‌ ଅର୍ଥ ଛାଡ଼ପତ୍ର (ତଲାକ)ର ତିନି ମାସ ପର୍ଯ୍ୟନ୍ତ ସ୍ବାମୀ କିମ୍ବା ସ୍ତ୍ରୀ ପୁନର୍ବିବାହ କରିପାରିବେ ନାହିଁ। ଭାରତୀୟ ଦଣ୍ଡବିଧି ଆଇନ (ସିଆରପିସି)ର ଧାରା ୧୨୫ ଅନୁସାରେ ପତ୍ନୀ ଭରଣପୋଷଣ ସୁବିଧା ପାଇବାକୁ ହକ୍‌ଦାର। ଏ କ୍ଷେତ୍ରରେ ପୀଠ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ୨୦୦୯ରେ ପ୍ରଦତ୍ତ ବାନୋ ବନାମ ଇମ୍ରାନ ଖାଁ ରାୟର ଦୃଷ୍ଟାନ୍ତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୦୭ରେ ଆବେଦନକାରୀ ମହିଳାଙ୍କୁ ତାଙ୍କ ସ୍ବାମୀ ତଲାକ ଦେଇଥିଲେ। ସେତେବେଳେ ମହିଳାଙ୍କ ସହିତ ଦୁଇ ନାବାଳକ ସନ୍ତାନ ଥିଲେ। ଭରଣପୋଷଣ ପ୍ରଦାନ ପାଇଁ ସ୍ଥାନୀୟ ଅଦାଲତ ତାଙ୍କ ସ୍ବାମୀଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ସ୍ବାମୀ ଏହା ବିରୋଧରେ ଆବେଦନ କରିଥିଲେ। ୨୦୦୮ରେ ଅଦାଲତ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ରାୟ ଶୁଣାଇବା ପରେ ସମ୍ପୃକ୍ତ ମହିଳା ଏହା ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି।

kalyan agarbati

Comments are closed.