ଡିବିରି ଆଲୁଅରେ ‘ଡୁବୁରୀ’
୪ କିମି ପାହାଡ ଚଢିଲେ ଦିଶୁଛି ଗାଁ,୨୫ ପରିବାରଙ୍କ ଜଙ୍ଗଲୀ ଜୀବନ
ଫୁଲବାଣୀ : ଗାଁ ଗାଁରେ ହେବ ବିକାଶ। ହସିବେ ଜନତା ଆଉ ବିକଶିତ ହେବ ଗାଁ। ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା କରୁଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ଏପରି କିଛି ଗାଁ ରହିଛି ଯେଉଁଠିକୁ ମୌଳିକ ସୁବିଧା ସାତସପନ ପାଲଟିଛି। ଏହାର ଜ୍ବଳନ୍ତ ଉଦାହରଣ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅର୍ନ୍ତଗତ ତାଜୁଙ୍ଗିଆ ପଞ୍ଚାୟତର ଡୁବୁରୀ ଗ୍ରାମରେ। ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଏହି ଗାଁ। ନା ଅଛି ରାସ୍ତା , ନା ଅଛି ପିଇବା ପାଣି, ନା ଅଛି ବିଜୁଳି ଆଲୁଅ। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟଟିଏ ସ୍ଥାପନ ପାଇଁ ବର୍ଷ ବର୍ଷର ଦାବି ଶୂନ୍ୟରେ ମିଳେଇ ଯାଇଛି। ଚାରିପଟୁ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗାଁ। ୨୫ଟି ଆଦିବାସୀ ପରିବାରର ପ୍ରାୟ ୧୫୦ ଜଣ ବସବାସ କରୁଛନ୍ତି। ସିକବାଡ଼ି ଗ୍ରାମର ପଡ଼ା ଗ୍ରାମ ହେଉଛି ଡୁବୁରୀ।
୨୫ଟି ଆଦିବାସୀ ପରିବାର ଦୀର୍ଘ ୩୫ ବର୍ଷ ହେଲା ଗଁାରେ ବସବାସ କରି ଆସୁଛନ୍ତି। ସିକବାଡ଼ି ଗ୍ରାମଠାରୁ ୪ କିଲୋମିଟର ପଥୁରିଆ ବଣ ଜଙ୍ଗଲ ପାହାଡ଼ ଚଢ଼ିବା ପରେ ଡୁବୁରୀ ଗ୍ରାମର ସନ୍ଧାନ ମିଳିଥାଏ। ଟଙ୍କିକିଆ ଚାଉଳ ଓ କିରାସିନ ସଂଗ୍ରହ ସହ ସାପ୍ତାହିକ ହାଟରୁ ସଉଦା କରିବାକୁ ଗ୍ରାମବାସୀଙ୍କୁ ସିକବାଡି ଯିବାକୁ ବହୁ ଶ୍ରମ ସ୍ବୀକାର କରିବାକୁ ପଡୁଛି। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ଏବଂ ଜରୁରୀ ରୋଗୀଙ୍କୁ ଦୋଳାରେ ନେବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମର ନିକଦମ ମାଝୀ , ମିଖାନ୍ତି ମାଝୀ, କାଲିମୁଣ୍ଡା ମାଝୀ ଓ ସନାତନ ସୁନାମାଝୀ। ସେହିପରି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଡୁବୁରୀ ଗ୍ରାମର କୁନିକୁନି ଶିଶୁମାନେ ଅଭିଭାବକଙ୍କ ସହିତ ପାହାଡ଼ ଚଢ଼ି ସିକବାଡ଼ି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ସେମାନଙ୍କ ଖାଦ୍ୟ ସଂଗ୍ରହ କରୁଛନ୍ତି। ବର୍ଷତମାମ ଲୋକେ ନାଳର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମର ନିଶାନ୍ତି ମାଝୀ,ଆରତୀ ମାଝୀ,ସୁବାଜିନୀ ମୁଠାମାଝୀ, ଅନିତା ପ୍ରଧାନ କହିଛନ୍ତି। ଗୋଳିଆ ପାଣି ପିଇ ଅନେକ ସମୟରେ ଗ୍ରାମବାସୀ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଡୁବୁରୀ ଗ୍ରାମବାସୀଙ୍କୁ ବିଜୁଳି ଆଲୁଅ ଦିବାସ୍ବପ୍ନ ପାଲଟିଛି। ଯଦ୍ବାରା ସଞ୍ଜ ନଇଁବା ମାତ୍ରେ ଗ୍ରାମରେ ପଡି ଯାଉଛି ତାଟିକବାଟ। ଏକମାତ୍ର ସାହା ଡିବିରି ଆଲୁଅ। ଡିବିରି ଆଲୁଅ ପାଇଁ ଆବଶ୍ୟକ କିରାସିନି ମଧ୍ୟ ସେମାନେ ଠିକଣା ସମୟରେ ପାଇପାରୁ ନାହଁାନ୍ତି। ଚଢ଼ାଦରରେ କଳାବଜାରରେ କିରାସିନ କିଣିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି। ଗଁାରେ ବିଦ୍ୟାଳୟଟିଏ ପ୍ରତିଷ୍ଠା ହୋଇନି। ଗ୍ରାମ ଠାରୁ ୩ କିଲୋମିଟର ଦୂରରେ ରହିଛି ନିଲାକ୍ଲିୟୁ ଗ୍ରାମ। ସେଠାରେ ୮ଟି ଆଦିବାସୀ ପରିବାର ରହୁଛନ୍ତି। ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। କିନ୍ତୁ ଡୁବୁରୀରୁ ନିଲାକ୍ଲିୟୁ ଗ୍ରାମକୁ ଯିବା ରାସ୍ତା ଅତ୍ୟନ୍ତ କଣ୍ଟକିତ ହୋଇଥିବାରୁ ପିଲାମାନଙ୍କୁ ସେଠାକୁ ପଠାଇବାକୁ ଅଭିଭାବକ ଉଚିତ ମନେ କରୁନାହାନ୍ତି। ଆଜି ପର୍ଯ୍ୟନ୍ତ ଗ୍ରାମରେ କୌଣସି ସରକାରୀ ବାବୁଙ୍କ ପାଦ ପଡ଼ିନି।
Comments are closed.