ଆତ୍ମହତ୍ୟା: ଗବେଷଣାଲବ୍ଧ ସିଦ୍ଧାନ୍ତ ଓ ଆଧ୍ୟାତ୍ମିକ ଜ୍ଞାନ
ପ୍ରଶ୍ନ : ଇଚ୍ଛାମୃତ୍ୟୁ ଅର୍ଥାତ୍ ଆତ୍ମହତ୍ୟା କ’ଣ ନିଷିଦ୍ଧ କର୍ମ ? ପରଜନ୍ମ ଉପରେ ଏହାର କି ପ୍ରକାର ପ୍ରଭାବ ପଡ଼ିବାର ସମ୍ଭାବନା ଥାଇପାରେ ?
– ରମେଶ ଚନ୍ଦ୍ର, ଭୁବନେଶ୍ୱର
ଉତ୍ତର: ‘ଇଚ୍ଛାମୃତ୍ୟୁ’ ଓ ‘ଆତ୍ମହତ୍ୟା’ ଦୁଇ ଶବ୍ଦର ଆକ୍ଷରିକ ଅର୍ଥ ଏକ ହୋଇଥିଲେ ମଧ୍ୟ ଏ ଦୁଇଟି ପରସ୍ପର ପ୍ରତିଶବ୍ଦ ନୁହନ୍ତି। ଦୁଇର ବ୍ୟବହାରଗତ ତାତ୍ପର୍ଯ୍ୟ ଭିନ୍ନ। ପ୍ରଥମେ ଆତ୍ମହତ୍ୟା ଉପରେ ଆଲୋକପାତ କରାଯାଉ।
ଆତ୍ମହତ୍ୟା ବର୍ଜନୀୟ ବୋଲି ଧର୍ମ, ପରମ୍ପରା ଏବଂ କାନୁନ୍ ବହୁ କାଳ ଧରି ମତ ବ୍ୟକ୍ତ କରିବା କଥା ଏବଂ ନିକଟ ଅତୀତ ପର୍ଯ୍ୟନ୍ତ ଆଇନ୍ ଦୃଷ୍ଟିରୁ ତାହା ଅପରାଧ ରୂପେ ବିବେଚିତ ହେବା କଥା ପ୍ରାୟ ସମସ୍ତଙ୍କୁ ଜଣାଥିବ। ପରିବାର ସକାଶେ ତ ନିଶ୍ଚୟ; କିନ୍ତୁ ସମାଜ ଉପରେ ମଧ୍ୟ ଯେ କୌଣସି ଅାତ୍ମହତ୍ୟାର ପ୍ରଭାବ ବିଷାଦମୟ ହୋଇଥାଏ। ଆତ୍ମହତ୍ୟାକାରୀ ସ୍ୱୟଂ ଯଦି ସେ କର୍ମଟି କରି ସୁଖୀ ହେଉଥାନ୍ତା, ତେବେ ଏସବୁ ପ୍ରତିକ୍ରିୟା ସହ୍ୟ କରାଯାଇପାରନ୍ତା; କିନ୍ତୁ ବାସ୍ତବତା କ’ଣ ? ଆତ୍ମହତ୍ୟା ପରେ ବ୍ୟକ୍ତିଟିର, ଅର୍ଥାତ୍ ତା’ର ଚେତନାର ଅବସ୍ଥା କ’ଣ ହୁଏ? ଏ ପ୍ରଶ୍ନର ନିର୍ଭରଯୋଗ୍ୟ ଉତ୍ତର କେବଳ ମାତ୍ର ନିର୍ଭରଯୋଗ୍ୟ ଅଧ୍ୟାତ୍ମିକ ପ୍ରାଜ୍ଞମାନଙ୍କଠାରୁ ଆଶା କରାଯାଇପାରେ। ସେଭଳି ଉତ୍ତର ଉପସ୍ଥାପନ କରିବା ପୂର୍ବରୁ ଆମେ ଏ ଦିଗରେ ସଂପ୍ରତି ଦୀର୍ଘ ତଥା ପ୍ରଶଂସାଯୋଗ୍ୟ ମନୋବୈଜ୍ଞାନିକ ଗବେଷଣା କରିଥିବା ଜଣେ ଧୀମାନ୍ଙ୍କ ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା । ଧୀମାନ୍ଙ୍କ ନାମ ବର୍ତ୍ତମାନ ଜିଜ୍ଞାସୁ ଜଗତରେ ସୁପରିଚିତ : ଡାକ୍ତର ରେୟମୋଣ୍ଡ୍ ମୁଡି(Raymond Moody); ତାଙ୍କ ବହୁ ପ୍ରସାରିତ ବହିଟିର ନାମ ‘ଜୀବନ ପରବର୍ତ୍ତୀ ଜୀବନ’ (Life after Life)। ସେ ତାଙ୍କ ଗବେଷଣା ନିମନ୍ତେ ବାଛିଥିଲେ ଗୋଟିଏ ଅଭିନବ ବିଷୟ : କେବେକେବେ ଚିକିତ୍ସାବିଜ୍ଞାନ ଦୃଷ୍ଟିରୁ ମୃତ (Clinically dead) ବିବେଚିତ ବ୍ୟକ୍ତିଟିଏ ଅଚାନକ ଚେଇଁ ଉଠେ। ଉପରୋକ୍ତ ଧୀମାନ୍ ସେହିମାନଙ୍କୁ ଭେଟି ମୃତ୍ୟୁ ଏବଂ ସେ ପର୍ଯ୍ୟାୟରୁ ଅପ୍ରତ୍ୟାଶିତ ଭାବେ କଳେବର ଭିତରକୁ ପ୍ରତ୍ୟାବର୍ତ୍ତନର ମଧ୍ୟବର୍ତ୍ତୀ ସମୟ ଭିତରେ ସେମାନଙ୍କର ଯେଉଁ ଅଭିଜ୍ଞତା ହୋଇଛି, ତାହା ଲିପିବଦ୍ଧ କରିଛନ୍ତି। କେବଳ ଗୋଟାଏ ଶ୍ରେଣୀର ପ୍ରତ୍ୟାଗତଙ୍କୁ ଛାଡ଼ି ଆଉ ସମସ୍ତଙ୍କ ଅଭିଜ୍ଞତା ଚମତ୍କାର। ଯେଉଁ ଶ୍ରେଣୀର ପ୍ରତ୍ୟାଗତମାନଙ୍କ ଅଭିଜ୍ଞତା ବିଭୀଷିକାପୂର୍ଣ୍ଣ, ସେମାନେ ଆତ୍ମହତ୍ୟା କରିଥିଲେ – ଅର୍ଥାତ୍ ସେ ଉଦ୍ୟମରେ ସଫଳ ହୋଇ ମଧ୍ୟ କୌଣସି ଅଜ୍ଞାତ କାରଣରୁ ଦେହ ଭିତରେ ପୁନଃପ୍ରବିଷ୍ଟ ହୋଇଥିଲେ। ତେଣୁ ଆତ୍ମହତ୍ୟା ଖାଲି ସାମାଜିକ ବା ଅଧ୍ୟାତ୍ମିକ ଦୃଷ୍ଟିରୁ ବର୍ଜନୀୟ ନୁହେଁ, ଆତ୍ମହତ୍ୟା ପାଇଁ ପ୍ରବେଗର ଶିକାର ବନିଥିବା ବ୍ୟକ୍ତି ଆପଣା ସ୍ୱାର୍ଥ ଦୃଷ୍ଟିରୁ ସେଭଳି କର୍ମରୁ ନିବୃତ୍ତ ରହିବା ନିମନ୍ତେ ଏହା ଏକ ଚେତାବନୀ।
ଯେଉଁମାନେ ସ୍ୱାଭାବିକ କାରଣରୁ ମୃତ୍ୟୁବରଣ କରି ପୁଣି ଜୀବନ୍ୟାସ ପାଇଥିଲେ, ସେମାନଙ୍କ ଅଭିଜ୍ଞତା ତାତ୍ପର୍ଯ୍ୟପୂର୍ଣ୍ଣ। ଏପରିକି ମୃତ ବୋଲି ଘୋଷିତ ଜଣେ ଡାକ୍ତର ପୁନଃଜୀବିତ ହେବା ମାତ୍ରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବନ୍ଧୁ ଡାକ୍ତର ଜଣକ ଉପରେ ଭାରି ଖପା ହେଲେ; କାରଣ ମୃତ୍ୟୁ ଅନ୍ତେ ସେ ଯେଉଁ ପ୍ରଶାନ୍ତ ଅବସ୍ଥାରେ ଥିଲେ, ସେଥିରୁ ବଞ୍ଚିତ ହୋଇ ସେ ବଡ଼ ମ୍ରିୟମାଣ ! ତାଙ୍କ ଅପ୍ରତ୍ୟାଶିତ ଜୀବନ୍ୟାସ ଯେ ବନ୍ଧୁ ଡାକ୍ତରଙ୍କ କୃତିତ୍ବ ନୁହେଁ, ବନ୍ଧୁ ଡାକ୍ତର ନିଜେ ହତବାକ୍, ଏକଥା ବୁଝିବାକୁ ତାଙ୍କୁ ସମୟ ଲାଗିଲା। ଏ ପ୍ରସଙ୍ଗ ଆମେ ପଢ଼ିବାକୁ ପାଉ ଡାକ୍ତର ମୁଡିଙ୍କର ଦ୍ୱିତୀୟ ବହି ‘ସେପାରିର ଆଲୋକ’ (The Light Beyond) ବହିରେ।
ବର୍ତ୍ତମାନ ଆଧ୍ୟାତ୍ମିକ ପ୍ରଜ୍ଞାର ଆଲୋକରେ ଆତ୍ମହତ୍ୟାର ପରିଣତି ଉପରେ ଦୃଷ୍ଟିପାତ କରିବା। (ନିମ୍ନୋକ୍ତ ଉଦ୍ଧୃତି କେତୋଟି ପୂର୍ବରୁ ପ୍ରକାଶିତ ମୋର ଗୋଟିଏ ନିବନ୍ଧରେ ରହିଥିବା ସତ୍ତ୍ୱେ ପ୍ରାସଙ୍ଗିକତା ଦୃଷ୍ଟିରୁ ଏଠାରେ ଉଦ୍ଧାର କରୁଛି।)
କେହି ଜଣେ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିବା କଥା ଜଣେ ପତ୍ରପ୍ରେରକ ଶ୍ରୀଅରବିନ୍ଦଙ୍କୁ ଜଣାନ୍ତେ ସେ ଉତ୍ତରରେ ଲେଖିଥିଲେ: ‘ଆତ୍ମହତ୍ୟା ଗୋଟାଏ ଉଦ୍ଭଟ ସମାଧାନ; ତାହା ଦ୍ୱାରା ତା’କୁ ଶାନ୍ତି ମିଳିବ ବୋଲି ତା’ର ଯେଉଁ ଧାରଣା, ତାହା ସଂପୂର୍ଣ୍ଣ ଭୁଲ। ସେ ନିଜ ସହ ନିଜ ସମସ୍ୟା ସବୁକୁ ପରପାରିର ଆହୁରି ଅଧିକ ଦୟନୀୟ ପରିସ୍ଥିତି ଭିତରକୁ ନେଇଯିବ ଏବଂ ପୃଥିବୀରେ ନିଜର ପରବର୍ତ୍ତୀ ଜୀବନ ଭିତରକୁ ସେସବୁ ସମସ୍ୟାକୁ ଫେରାଇ ଆଣିବା ହିଁ ସାର ହେବ। ଏଭଳି ବିକୃତ ଚିନ୍ତାକୁ ଝାଡ଼ି ଫୋପାଡ଼ିଦେଇ ଶାନ୍ତ ଓ ସକ୍ରିୟ ସାହସ ସହକାରେ କୌଣସି ନିର୍ଦିଷ୍ଟ କର୍ମ ସାଧନକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରି ଜୀବନକୁ ସାମ୍ନା କରିବା ହିଁ ଏକମାତ୍ର ସମାଧାନ।’
ଅନ୍ୟ ଏକ ପତ୍ରରେ ଶ୍ରୀଅରବିନ୍ଦ ଲେଖିଯାଇଛନ୍ତି, ‘ଜଣେ ଯଦି ଇଚ୍ଛା କରି ଦେହକୁ ଫୋପାଡ଼ି ଦିଏ, ସେ ଅନ୍ୟ ଜଗତରେ ବହୁତ କଷ୍ଟ ପାଏ ଏବଂ ଯେତେବେଳେ ସେ ପୁନର୍ବାର ଜନ୍ମ ନିଏ, ସେତେବେଳେ ସେ ନିଏ ଆହୁରି ଖରାପ ପରିସ୍ଥିତିରେ, ଭଲ ପରିସ୍ଥିତିରେ ନୁହେଁ।’
ଏକାଧିକ ପ୍ରଶ୍ନର ଉତ୍ତରରେ ଶ୍ରୀମା ମଧ୍ୟ ବୁଝାଇଛନ୍ତି ଯେ ଆମ ଚୈତ୍ୟସତ୍ତା (ଆତ୍ମା ବୋଲି ବୁଝନ୍ତୁ) ଏ ଜୀବନରେ କେତେକ ଅଭିଜ୍ଞତା ଅର୍ଜନର ଲକ୍ଷ୍ୟନେଇ ମୂର୍ତ୍ତ ହୋଇଥାଏ – ଏ କଳେବର ଗ୍ରହଣ କରିଥାଏ। ‘ସେତକ ସମାଧାନ ହେବା ପୂର୍ବରୁ ଯଦି ତୁମେ ଚାଲିଯାଅ, ତେବେ ତୁମକୁ ପ୍ରତ୍ୟାବର୍ତ୍ତନ କରି ସେତକ ସମାଧାନ କରିବାକୁ ହିଁ ପଡ଼ିବ – ବହୁ ଅଧିକ ଅସୁବିଧାଜନକ ପରିସ୍ଥିତି ଭିତରେ। ଅର୍ଥାତ୍ ଗୋଟାଏ ଜୀବନରେ ତୁମେ ଯେତେ ଯାହା ଏଡ଼ାଇଯାଉଛ, ସେସବୁ ତୁମେ ସାମ୍ନା କରିବ ପର ଜୀବନରେ; ସେସବୁ ହେବ ଆହୁରି ଅଧିକ କଷ୍ଟସାଧ୍ୟ।’
ବର୍ତ୍ତମାନ ଇଚ୍ଛାମୃତ୍ୟୁ ପ୍ରସଙ୍ଗକୁ ଆସିବା। ଯଥା ସମ୍ଭବ ସଂକ୍ଷେପରେ: ଜଣେ ଯୋଗୀ ବା ଋଷି ବା ଆଧ୍ୟାତ୍ମିକତା-ସମର୍ପିତ ଜଣେ ସାଧକଙ୍କ ଉପରୁ ପ୍ରକୃତି ତା’ର ଆଧିପତ୍ୟ ପ୍ରତ୍ୟାହାର କରିନେଇଥାଏ; ଅର୍ଥାତ୍, ମାମୁଲି ଜୀବନଯାପନ କରିଥିଲେ ଯେବେ ପ୍ରକୃତିର ବିଧାନ ଅନୁସାରେ ତାଙ୍କ ମୃତ୍ୟୁ ଅବଧାରିତ ହୋଇଥିଲା, ତାଙ୍କ ତପସ୍ୟା ବା ସାଧନା ବଳରେ ନିଜ ମାମୁଲି କର୍ମଫଳ ବଳେବଳେ ଅପ୍ରାସଙ୍ଗିକ ହୋଇଯିବା ଫଳରେ ସେ ଭବିତବ୍ୟ ବାତିଲ୍ ହୋଇଯାଇଥାଏ। ତାହା ବୋଲି ସେ ଅବଶ୍ୟ ଅମର ହୋଇଯିବେ ନାହିଁ- ଏ ସ୍ଥୂଳ କଳେବରର ଦିବ୍ୟ ରୂପାନ୍ତର ନ ହେବା ପର୍ଯ୍ୟନ୍ତ ଅମରତା ସମ୍ଭବପର ନୁହେଁ – କିନ୍ତୁ ନିଜ ମହାପ୍ରସ୍ଥାନ ମୁହୂର୍ତ୍ତ ନିର୍ଣ୍ଣୟ କରିବାର ଅଧିକାର ବଳେବଳେ ତାଙ୍କୁ ମିଳିଥାଏ। ସେ ସ୍ୱୟଂ ମୁହୂର୍ତ୍ତ ନିରୂପଣ କରି ପ୍ରାୟତଃ ଧ୍ୟାନସ୍ଥ ଅବସ୍ଥାରେ ଦେହ ତ୍ୟାଗ କରନ୍ତି। କେହିକେହି ପ୍ରସ୍ତୁତି ଭାବରେ ଆହାର ତ୍ୟାଗ କରନ୍ତି। ସେ ଶୃଙ୍ଖଳାକୁ ପ୍ରାୟୋପବେଶନ କୁହାଯାଏ।
ପ୍ରଶ୍ନ : କୁରୁକ୍ଷେତ୍ର ଯୁଦ୍ଧଭୂମିରେ ହିଁ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ଅଠର ଅଧ୍ୟାୟ ସମ୍ବଳିତ ଗୀତାଶ୍ରବଣ କଲେ ଅର୍ଜୁନ, ଏହା ସମ୍ଭବ ହେଲା କିପରି ? ଆଉ କେହି ଶୁଣିପାରିଥିଲେ କି ନାହିଁ ? ତା’କୁ ନିଖୁଣ ଭାବରେ ଲିପିବଦ୍ଧ କଲା କିଏ ? -ଜ୍ଞାନରଞ୍ଜନ ଦାସ
ଉତ୍ତର : ସମୟର ବହୁ ପର୍ଯ୍ୟାୟ ରହିଛି। ଏକଥା ମୁଁ ତତ୍ତ୍ୱଜ୍ଞାନ ଦୃଷ୍ଟିରୁ କହୁନାହିଁ; ଆମ ନିଜ ନିଜ ଅଭିଜ୍ଞତା ବିଶ୍ଳେଷଣ ମାଧ୍ୟମରେ ଆମେ ଏ ସଂପର୍କରେ ଆଭାସ ପାଇପାରିବୁଁ। ଆମେ ଥରେଥରେ ସ୍ୱପ୍ନରେ, ଏପରିକି ସାମାନ୍ୟ ତନ୍ଦ୍ରାବେଶ ଅବସ୍ଥାରେ, ନିମିଷକ ଭିତରେ ଦୀର୍ଘକାଳ ବ୍ୟାପ୍ତ ଘଟଣା ଦେଖିପାରୁଁ ବା ସେଥିରେ ଅଂଶୀଦାର ହୋଇପାରୁଁ। ତାହା ସମ୍ଭବପର ହୁଏ ଯେହେତୁ ସେତେବେଳେ ଆମ ଚେତନା ସମୟର ସ୍ଥୂଳ ଇନ୍ଦ୍ରିୟାନୁଭୂତି ଧାରାଠାରୁ ଭିନ୍ନ ଏକ ଧାରାରେ ନିବିଷ୍ଟ ଥାଏ। ଚେତନାର ସେହିଭଳି ଏକ ସୂକ୍ଷ୍ମ ପର୍ଯ୍ୟାୟରେ ଶ୍ରୀକୃଷ୍ଣ-ଅର୍ଜୁନ ସଂଳାପ ସମ୍ଭବପର ହୋଇଥିଲା। ଅର୍ଜୁନ ଆପାତତଃ ମାନବତାର ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ସେ ସୃଷ୍ଟିର ପ୍ରତ୍ୟୁଷରେ ନର ରୂପେ ନାରାୟଣଙ୍କ ସହ ତପସ୍ୟାରତ ଥିବା ଚେତନାର ଅଧିକାରୀ। ସେହି ଅଧିକାର ବଳରେ ସେ ଯାହା ଶୁଣୁଥିଲେ ତାହା ଅନ୍ୟ କେହି ଶୁଣିବାର ପ୍ରଶ୍ନ ନ ଥିଲା। ନିଖୁଣ ଭାବରେ ଲିପିବଦ୍ଧ କଲେ ବ୍ୟାସ – ଯିଏ କି ସ୍ୱୟଂ ଶ୍ରୀକୃଷ୍ଣ କହିବା ଅନୁସାରେ ତାଙ୍କର ଏକ ବିଭୂତି। ତାଙ୍କ ଋଷି ଚେତନାରେ ଅବତରଣ କରିଥିଲା ସେ ଶ୍ରୀକୃଷ୍ଣ-ଅର୍ଜୁନ ସଂଳାପ।
ପ୍ରଶ୍ନ : ମଣିଷର ଅାଧ୍ୟାତ୍ମିକ ବିକାଶ ନିମନ୍ତେ ବିଦ୍ୟାଳୟ ଏବଂ ଦେବାଳୟ ଭିତରେ କାହାର ଗୁରୁତ୍ବ ଅଧିକ ? -ଡକ୍ଟର ସରୋଜକାନ୍ତ ଚୌଧୁରୀ, ବୌଦ
ଉତ୍ତର : ଯାହାର ଗୁରୁତ୍ବ ସବୁଠାରୁ ଅଧିକ, ତାହା ବିଦ୍ୟାଳୟ ନୁହେଁ କି ଦେବାଳୟ ନୁହେଁ, ତାହା ନିଜାଳୟ; ଶିଶୁ ରୂପେ ମଣିଷ ଯେଉଁ ଆଳୟରେ ପରିବର୍ଦ୍ଧିତ ହୋଇଛି, ଅଭିଭାବକ, ଆତ୍ମୀୟସ୍ୱଜନ, ଖେଳ ସାଥୀ, ବାତାବରଣ ଓ ଅନ୍ୟାନ୍ୟ ପ୍ରଭାବ ସମନ୍ୱିତ ସେହି ଆଳୟ। ବିକଶିତ ଆତ୍ମା ସମ୍ବଳିତ ଶିଶୁକୁ ଛାଡ଼ିଦେଲେ ସବୁ ଶିଶୁଙ୍କ ଚେତନା ଉପରେ ଏହି ସବୁର ପ୍ରଭାବକୁ କୌଣସି ବିଦ୍ୟାଳୟ ବା ଦେବାଳୟର ପ୍ରଭାବ ପ୍ରାୟତଃ ଅତିକ୍ରମ କରାଇପାରନ୍ତି ନାହିଁ। ବ୍ୟକ୍ତି ଯଦି ଘଟଣାଚକ୍ରରେ କୌଣସି ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ସଂସ୍ପର୍ଶରେ ଆସେ, ତାହା ଭିନ୍ନ କଥା।
ଏକ ନମ୍ର ନିବେଦନ
ଆଶାତୀତ ସଂଖ୍ୟାରେ ପ୍ରଶ୍ନ ଆସୁଥିବାରୁ ବହୁ ପ୍ରଶ୍ନର ଉତ୍ତର ଦେବାରେ ବିଳମ୍ବ ହେବ। ଆଶା, ପ୍ରଶ୍ନକର୍ତ୍ତାମାନେ ଏହା ବିଚାରକୁ ନେବେ। ଏ ପର୍ଯ୍ୟନ୍ତ ମିଳିଥିବା ଅଧିକାଂଶ ପ୍ରଶ୍ନର ଭିତ୍ତି ଆଧ୍ୟାତ୍ମିକ ବା ଧର୍ମତାତ୍ତ୍ୱିକ; ସାହିତ୍ୟ ସମ୍ପର୍କରେ ଯେତିକି ମିଳିଛି ତାହା ଉତ୍ତରଦାତା ଲେଖକ ଏବଂ ତାହାଙ୍କର ଲେଖାଲେଖି ସମ୍ପର୍କରେ କୌତୂହଳ ସମ୍ବଳିତ ପ୍ରଶ୍ନମାଳା। ଅନୁଗ୍ରହ କରି ଏ ଲେଖକର କିମ୍ବା ସମସାମୟିକ ଲେଖକ ଲେଖିକାଙ୍କ ବ୍ୟକ୍ତିଗତ ସାହିତ୍ୟ ରଚନା ଉପରେ ପ୍ରଶ୍ନ ପଠାନ୍ତୁ ନାହିଁ, ସାଧାରଣ ଭାବରେ ଭାରତୀୟ ବା ବିଶ୍ୱସାହିତ୍ୟ ବା ଇତିହାସ, ସମାଜ ବା ଦର୍ଶନ ସମ୍ପର୍କୀୟ ପ୍ରଶ୍ନମାନଙ୍କୁ ସ୍ୱାଗତ। ଲେଖକ ଉତ୍ତର ଦେଇନପାରିଲେ ଉତ୍ତରର ସମ୍ଭାବ୍ୟ ଉତ୍ସର ସନ୍ଧାନ ଦେବ।
ଅଧିକାଂଶ ପ୍ରଶ୍ନ ଇ-ମେଲ୍ ଯୋଗେ ଆସୁଛି। କେହିକେହି ପ୍ରେରକ ନିଜ ନାମ ସହିତ ସ୍ଥାନର ନାମ ଉଲ୍ଲେଖ କରୁନାହାନ୍ତି। ଯିଏ ଚାହିଁବେ ତାଙ୍କ ନାମ ଅପ୍ରକାଶିତ ରଖାଯିବ; କିନ୍ତୁ ଜିଜ୍ଞାସୁଙ୍କର ପ୍ରକୃତ ନାମ ଏବଂ ଠିକଣା ପଠାଇବାରେ ହେଳା କରନ୍ତୁ ନାହିଁ। ଗତ ଥରର ଅନ୍ୟତମ ଜିଜ୍ଞାସୁ ଶ୍ରୀ ଅରୁଣ ଦେଙ୍କର ଠିକଣା ବାଲେଶ୍ୱର ନୁହେଁ, କଟକ।
ଉତ୍ତରଦାତା ଲେଖକଙ୍କ ଚଳିତ ଇ-ମେଲ୍ ଠିକଣା ଭାରାକ୍ରାନ୍ତ ହୋଇପଡ଼ିବା ଦୃଷ୍ଟିରୁ ଏ ସ୍ତମ୍ଭ ସକାଶେ ଏହି ନୂତନ ଠିକଣା ସ୍ଥିରୀକୃତ ହେଲା:
[email protected] ଏବଂ
[email protected]