କନ୍ଧମାଳର ୬୬୮ ଗ୍ରାମକୁ ସ୍ୱାସ୍ଥ୍ୟସେବା ଅପହଞ୍ଚ

୯୮ ଡାକ୍ତର, ୬୪ ବିଶେଷଜ୍ଞ ପଦ ଖାଲି

ଫୁଲବାଣୀ : ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲେ ମଧ୍ୟ କର୍ମଚାରୀ ଅଭାବ ସହିତ ଗମନାଗମନ ସୁବିଧା ନଥିବାରୁ ଆଜି ମଧ୍ୟ କନ୍ଧମାଳ ଜିଲାର ୬୬୮ ଗ୍ରାମକୁ ସ୍ୱାସ୍ଥ୍ୟସେବା ଅପହଞ୍ଚ ରହିଛି। ଜିଲାର ୧୨ଟି ବ୍ଳକର ୨୫୦୦ରୁ ଅଧିକ ଗ୍ରାମ ମଧ୍ୟରୁ ୬୬୮ଟି ଗ୍ରାମରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏହାରି ପଛରେ ମୂଳ କାରଣ ହେଉଛି ଗମନାଗମନ ଅସୁବିଧା।
୨୦୧୯-୨୦ ମସିହାରେ ଜିଲାର ୮୦୫ ଟି ଗ୍ରାମରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କାଠିକର ପାଠ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ୭୩୨ ଟି ଏବଂ ୨୦୨୧-୨୨ ବର୍ଷରେ ତାହା ହ୍ରାସ ପାଇ ୬୬୮ ଗ୍ରାମରେ ପହଞ୍ଚିଥିବା ଏକ ରିପୋର୍ଟରୁ ପ୍ରକାଶ। ଗମନାଗମନ ସୁବିଧା ନଥିବା ଗଁାଗୁଡିକୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବା କଷ୍ଟକର ହୋଇଥିଲେ ହେଁ ଆଶା, ଅଙ୍ଗନବା​‌ଡ଼ି, ମହିଳା ଏବଂ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ବାରା ସେସବୁ ଗ୍ରାମକୁ ଯଥାସମ୍ଭବ ସେବା ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ପ୍ରକାରେ, ଫୁଲବାଣୀରେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ରହିଛି। ୧୨ଟି ବ୍ଳକରେ ୧୪ଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସହିତ ୪ଟି ଅନ୍ୟ ଡାକ୍ତରଖାନା, ୩୬ଟି ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ), ୧୨ ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ, ୧୭୬ଟି ଉପକେନ୍ଦ୍ର, ଗୋଟିଏ ସରକାରୀ ଏ.ଏନ୍‍.ଏମ୍‍ ତାଲିମ କେନ୍ଦ୍ର, ଗୋଟିଏ ଜି.ଏମ୍‍.ଏମ୍‍ କେନ୍ଦ୍ର ଓ ଅନ୍ୟ ଗୋଟିଏ ବେସରକାରୀ କେନ୍ଦ୍ର ରହିଛି। ଫୁଲବାଣୀ ଓ ବାଲିଗୁଡ଼ାଠାରେ ଏସ୍‍.ଏନ୍‍.ସି.ୟୁ ଥିବା ବେଳେ ଜି.ଉଦୟଗିରି ଠାରେ ନିୟୁ ବର୍ଣ୍ଣ ଷ୍ଟାବିଲାଇଜେସନ୍‍ ୟୁନିଟ୍‍ ରହିଛି। ଏତେସବୁ ସାଧନ ରହିଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ସାଧାରଣ ଜନତା ସ୍ୱାସ୍ଥ୍ୟସେବା ଠିକ୍‍ ଭାବେ ପାଇ ପାରୁନାହାନ୍ତି।

prayash


ମିଳିଥିବା ରିପୋର୍ଟ ପ୍ରକାରେ, ୮ଜଣ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟରୁ ୨ଟି ପଦ ଦୀର୍ଘଦିନ ହେଲା ଖାଲିପଡ଼ିଛି। ଜିଲାରେ ୯୮ ବିଶେଷଜ୍ଞ ଡାକ୍ତର ପଦ ମଧ୍ୟରୁ ୬୪ ଟି ଖାଲି ପଡ଼ିଛି। ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୨୮୫ ଏମ୍‍.ବି.ବିଏସ୍‍ ଡାକ୍ତର ପଦ ମଞ୍ଜୁର ହୋଇଥିଲେ ମଧ୍ୟ ଦୀର୍ଘଦିନ ହେଲା ୯୮ ପଦ ଖାଲି ପଡ଼ିଛି। ଜିଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୪୬ଟି ଆୟୁଷ ଡ଼ାକ୍ତର ପଦ ମଞ୍ଜୁର ହୋଇଥିଲେ ମଧ୍ୟ ୩୨ ଗୋଟି ପଦ ଖାଲି ପଡ଼ିଛି। ଆରବିଏସ୍‍କେ ଯୋଜନାରେ ମଧ୍ୟ ୪୮ଟି ଆୟୁଷ ଡାକ୍ତର ପଦ ମଧ୍ୟରୁ ୧୭ଟି ଖାଲି ପଡିଥିବା ବେଳେ ସ୍ବାସ୍ଥ୍ୟସେବା ୟୁନିଟ୍‍ ପାଇଁ ମଞ୍ଜୁର ୧୨ ଟି ଆୟୁଷ ଡ଼ାକ୍ତର ପଦ ପୂରଣ ହୋଇପାରିଛି। ଜିଲାରେ ୪୫୯ଜଣ ଷ୍ଟାଫ୍‍ ନର୍ସର ଆବଶ୍ୟକ ବେଳେ ୩୭୭ଟି ପଦ ପୂରଣ ହୋଇଛି ଓ ୮୨ଟି ଖାଲି ପଡ଼ିଛି। ୯୯ ଜଣ ଫାର୍ମାସିଷ୍ଟ ପଦ ମଧ୍ୟରୁ ୨୭ଟି ଖାଲି ପଡ଼ିଛି। ସେହିଭଳି ୨୦ଟି ରେଡ଼ିଓଗ୍ରାଫର ପଦ ମଧ୍ୟରୁ ୯ଟି ଖାଲିଥିବା ବେଳେ ୬୭ଟି ମଞ୍ଜୁର ହୋଇଥିବା ଲାବ୍ରୋଟାରି ଟେକନିସିଆନ୍‍ ମଧ୍ୟରୁ ୩୯ଟି ଖାଲି ପଡ଼ିଛି। ମଞ୍ଜୁରପ୍ରାପ୍ତ ୧୪୧ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ୪୨ ପଦ ଖାଲିଥିବା ବେଳେ ୨୩୭ଟି ମଞ୍ଜୁର ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ୨୪୬ ଜଣ ଅଛନ୍ତି। ସେହିଭଳି ମଞ୍ଜୁର ହୋଇଥିବା ୪୪ଟି ଏମ୍‍.ପି.ଏଚ୍‍.ଏସ୍‍(ପୁରୁଷ) କର୍ମଚାରୀଙ୍କ ମଧ୍ୟରୁ ୧୯ଟି ପଦ ଖାଲିଥିବା ବେଳେ ୨୯ଜଣ ଏମ୍‍.ପି.ଏଚ୍‍.ଏସ୍‍(ମହିଳା) କର୍ମଚାରୀଙ୍କ ମଧ୍ୟରୁ ୪ ଟି ଖାଲି ରହିଛି।
ସମଗ୍ର ଜିଲାରେ ଆବଶ୍ୟକ ସଂଖ୍ୟାକ କର୍ମଚାରୀ ଅଭାବରୁ ବିିଭିନ୍ନ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ରୋଗୀଙ୍କୁ ଅନେକ ସମୟରେ କେବଳ ରେଫର କରିବାକୁ ଉଚିତ୍‍ ମଣିଥାନ୍ତି। ସାମାନ୍ୟ ସ୍ୱାସ୍ଥ୍ୟ ଖରାପ ସତ୍ତ୍ବେ ଅନେକ ରୋଗୀ ବାହାର ଡ଼ାକ୍ତରଖାନାକୁ ରେଫର ହୋଇ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଛନ୍ତି। ଗରିବ ରୋଗୀ ବାଧ୍ୟ ହୋଇ ଏଠାରେ ପଡ଼ି ରହିଥାନ୍ତି। ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ବିିଭିନ୍ନ ଡ଼ାକ୍ତରଖାନାରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଢେର ନଜିର ରହିଛି। ଗମନାଗମନ ଅଭାବରୁ ଦୋଳା କିମ୍ବା ଭାରରେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ପଡୁଛି। କେହି ରାସ୍ତାରେ ପ୍ରାଣ ହରାଉଛନ୍ତି ତ ଆଉ କେହି କେହି ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଗୁରୁତର ହୋଇପଡୁଛନ୍ତି।

kalyan agarbati

Comments are closed.