ମେଡିକାଲ ଟ୍ରେଡ ଫେୟାର ‘ସଙ୍ଗମ’
ସମ୍ବଲପୁର : ସମ୍ବଲପୁର ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଔଷଧ ଓ ଚିକିତ୍ସା ସାମଗ୍ରୀ ମେଳା ‘ସଙ୍ଗମ’ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରର ଅଇଁଠାପାଲି ସ୍ଥିତ ଏକ ହୋଟେଲ ଠାରେ ଆୟୋଜିତ ଏହି ଦିନିକିଆ ମେଳାରେ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥି ସହ ମାଗଣାରେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ପରୀକ୍ଷା ଶିବିରରେ ମଧୁମେହ, ଥାଇରଏପଡ, ରକ୍ତଚାପ, ଲିପିଡ ପ୍ରୋଫାଇଲ ଆଦି ଯାଞ୍ଚ କରାଯାଇଥିଲା । ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ଜିଲା ଓକିଲ ସଂଘର ପୂର୍ବତନ ସଭାପତି ଡ. ପ୍ରମୋଦ ରଥ ଅତିଥି ରୂପେ ଉଦଘାଟନ କରିଥିଲେ। ଦିନବ୍ୟାପୀ ଆୟୋଜିତ ମେଳାରେ ଉତ୍ତମ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଔଷଧ ଓ ବିଭିନ୍ନ ଚିକିତ୍ସା ଉପକରଣ ଗୁଡିକ ପ୍ରଦର୍ଶିତ ହୋଇଥିଲା।
ସନ୍ଧ୍ୟା ସମୟରେ ଏହି ମେଳାରେ ମୁଖ୍ୟ ଅତିଥି ରୂପେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସରକାରୀ ଉପ ମୁଖ୍ୟସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ଡ୍ରଗ ନିୟନ୍ତ୍ରଣକ ସୁବୋଧ କୁମାର ନାୟକ, ଡ୍ରଗିଷ୍ଟ ଅସୋସିଏସନର ରାଜ୍ୟ ସଭାପତି ପି. ସତ୍ୟନାରାୟଣ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଅନେକ ଜୀବନ ରକ୍ଷାକାରୀ ଔଷଧ ଗୁଡିକର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଜନତା ଅଯଥାରେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି । ଉତ୍ପାଦନକାରୀ କମ୍ପାନୀ ଗୁଡିକର ଲାଭଖୋର ମନୋବୃତ୍ତି ଯୋଗୁଁ ତଳିଆସ୍ତରରେ ଖୋଲା ବଜାରରେ ଥିବା ଔଷଧ ବିକ୍ରେତା ଏଥି ପାଇଁ ନିନ୍ଦିତ ହେଉଛନ୍ତି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଔଷଧ ଦୋକାନ ଅଧିକ ଥିବା ବେଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସୁଧାର ନିମନ୍ତେ ଅଧିକ ଔଷଧ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନର ଆବଶ୍ୟକତା ରହିଛି । ଏଥି ସହ ଏବେ ଅନଲାଇନ ମାଧ୍ୟମରେ ଔଷଧ ଗୁଡିକ ଶସ୍ତା ଦରରେ ମିଳୁଥିବା ବେଳେ ଏହାର ଗୁଣବତ୍ତାର ଗ୍ୟାରେଣ୍ଟି ଉପରେ କୌଣସି ସ୍ପଷ୍ଟ ସରକାରୀ ନିର୍ଦ୍ଦେଶ ଉପଲବ୍ଧ ନାହିଁ । ଏଣୁ ଅନଲାଇନ ଔଷଧ କିଣିବା ସମୟରେ ଯଦି ରୋଗୀ କିମ୍ବା ପରିଜନ ଆବଶ୍ୟକୀୟ ସର୍ତକତା ଅବଲମ୍ବନ ନ କରିବେ, ତାହା ହେଲେ ଏହା ବିପଦଯୁକ୍ତ ମଧ୍ୟ ହୋଇ ପାରେ। ଏଣୁ ସରକାର ଜନତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହିତ ସଂଯୁକ୍ତ ଔଷଧ ବ୍ୟବସାୟରେ ରହିଥିବା ବିଭିନ୍ନ ବିଷୟ ଉପରେ କଡା ନିୟନ୍ତ୍ରଣ ରହି ପାରିଲେ ସାଧାରଣ ରୋଗୀ ଉପକୃତ ହୋଇ ପାରିବେ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଜିଲା ସଂଘର ସଭାପତି ପ୍ରଶାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ, ପ୍ରକଳ୍ପ ଅଧ୍ୟକ୍ଷ ଅଭିନବ ସିଂହ, ସଂଯୋଜକ ଶିଲା ଶିବ ପ୍ରସାଦ, ରଶ୍ମୀ ରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ। ମେଳାର ଶେଷ ପର୍ଯ୍ୟାୟରେ ଭବ୍ୟ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଅନଲାଇନ ମାଧ୍ୟମରେ ଔଷଧ ବିକ୍ରି ଆରମ୍ଭ କରିବା ପରେ ରିଟେଲ ଔଷଧ ବିକ୍ରେତା ମାନେ କଡା ପ୍ରତିଯୋଗୀତାର ସମ୍ମୁଖୀନ ହେବା ସହିତ ଗ୍ରାହକ ମାନଙ୍କର ପ୍ରଶ୍ନବାଣରେ ଘାଇଲା ହୋଇ ଯାଉଛନ୍ତି । ଏଣୁ ବଜାରରେ ଅନଲାଇନ ଔଷଧର ମୁକାବିଲା ସହିତ ଗ୍ରାହକ ମାନଙ୍କୁ ଶସ୍ତା ଓ ଉତ୍ତମ ଔଷଧ ଯୋଗାଣରେ ହେଉଥିବା ସମସ୍ୟା ଗୁଡିକର ସମାଧାନ ଉପରେ ମଧ୍ୟ ଏହି ଅବସରରେ ସଂଘର ସଦସ୍ୟ ମାନଙ୍କର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ରୂପେ ଚର୍ଚ୍ଚା ହୋଇଥିବାର ବିଶ୍ୱସ୍ତସୂତ୍ରରୁ ପ୍ରକାଶ। ଏହି ବୈଠକରେ ସାରା ରାଜ୍ୟରୁ ଆସିଥିବା ସଂଘର ସଦସ୍ୟ ମାନେ ମଧ୍ୟ ସାମିଲ ରହିଥିଲେ।
Comments are closed.