ଓଡିଆ ଭାଷା ସାହିତ୍ୟର ପ୍ରସାର ପ୍ରଚାର ଜରୁରୀ
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବରେ କୃତି ପ୍ରତିଯୋଗୀ ପୁରସ୍କୃତ
ଆଠଗଡ : ଓଡିଆ ଭାଷା ଓ ସାହିତ୍ୟ ଓଡିଶା ରାଜ୍ୟର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ। ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ସବୁବର୍ଗର ଲୋକ ଉଦ୍ୟମ କରିବା ଜରୁରୀ ବୋଲି ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସଦା ଚେଷ୍ଟିତ ଥିଲେ ଏବଂ ଏଥିପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀର ପୁର୍ନବିନ୍ୟାସ କରିବା ସହିତ ସବୁ ସହକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାରକୁ ବିଜୁବାବୁ ଗୁରୁତ୍ୱ ଦେଉଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧୋତ୍ସବ ଅବ୍ୟବହିତ ପୂର୍ବରୁ ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ଶୁଦ୍ଧ ଓଡିଆ ଲିଖନ, ଶ୍ରୁତିଲିଖନ ଓ ହସ୍ତାକ୍ଷର ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଏଥିରେ ମୋଟ ୩୪୮୭୬ଜଣ ବିଦ୍ୟାର୍ଥୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୯ଜଣ ଚୁଡାନ୍ତ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାବେଳେ ତନ୍ମଧ୍ୟରୁ ୪୨ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ। ଏହି କ୍ରମରେ ଆଗାମୀ ୨୪ତାରିଖରେ ୯ମ ଓ ୧୦ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ମଧ୍ୟରେ ଓଡିଆ ଭାଷା ସାହିତ୍ୟ ଉପରେ ପର୍ଯବେଶିତ ଏବ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।
ସ୍ଥାନୀୟ ମହୋତ୍ସବ ପଡିଆରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସେମାନଙ୍କୁ ଆର୍ଥିକ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ଶାନ୍ତିଲତା ବେହେରା, ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ କନିଷ୍ଠ ବିିଜ୍ଞାନ କଲେଜର ଅଧ୍ୟକ୍ଷ ଶଶିଭୂଷଣ ମିଶ୍ର, ଶିକ୍ଷାବିତ୍ ଡଃ ଦାମୋଦର ମହାପାତ୍ର, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ନୃସିଂହ ମହାପାତ୍ର, ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୁବାବୁଙ୍କ ବହୁମୁଖୀ ପ୍ରତିଭା ଏବଂ ଓଡିଶାର ବିକାଶରେ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ରାମଚନ୍ଦ୍ର ସାହୁ, ଶିକ୍ଷକ ନୀଳମଣି ନାୟକ, ଛାତ୍ର ବିଜେଡି ନେତା ସତ୍ୟପ୍ରିୟ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ପରିଚାଳାରେ ସହଯୋଗ କରିଥିଲେ।
Comments are closed.