ସଂକୀର୍ତ୍ତନ କଳାର ସଂସ୍କାରକୁ ନେଇ ପାଣିମୁଣ୍ଡାରେ ବୈଠକୀ ସଂକୀର୍ତ୍ତନ ସଂଗମ ଅନୁଷ୍ଠିତ
ନର୍ଲା: କଳାହାଣ୍ଡି ଜିଲ୍ଲାସ୍ତରୀୟ ସଂସ୍କାରଭାରତୀ ପାଣିମୁଣ୍ଡା ଶାଖାର ଆୟୋଜନରେ ନର୍ଲା ବ୍ଲକର ସୀମାନ୍ତ ଗାଁ ତଥା ଲାଞ୍ଜିଗଡ ବ୍ଲକର ପାଣିମୁଣ୍ଡା ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ କଳା ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ପ୍ରାଚୀନ କାଳରୁ ପୁରପଲ୍ଲୀରେ ଭାଗବତ ଟୁଙ୍ଗି, ମନ୍ଦିର ଆଦିରେ ସଂକୀର୍ତ୍ତନ ପରିବେଷଣ ହୁଏ । ନାମଯଜ୍ଞରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୁଏ । ତେବେ ଏହି ଆଧ୍ୟାତ୍ମିକ ଚେତନା କଳାର ବର୍ତ୍ତମାନ ଅପଭ୍ରଂସ ହୋଇଛି । ସଂସ୍କୃତି ଓ ସଂସ୍କାରର ଶିକୁଳି ଛିଣ୍ଡେଇ ଏହି ସଂକୀର୍ତ୍ତନ କଳା ଅପ ସଂସ୍କୃତି ଆଡକୁ ଗତି କରୁଛି । ଭାବ ଓ ଭକ୍ତିର ଏହି କଳା ଆଜି ଭିନ୍ନ ଢଙ୍ଗରେ ପରିବେଷଣ ହେଉଛି । ଆଧୁନିକ ସଂଗୀତ, ଅଶ୍ଳୀଳ ଢଙ୍ଗରେ ନୃତ୍ୟ ପରିବେଷଣ କରିବା ଫଳରେ ଏହା ଏବେ ମନୋରଞ୍ଜନ ଧର୍ମୀ କଳା ପାଲଟି ଯାଇଛି । ଆଜିର କାର୍ଯ୍ୟକ୍ରମରେ ଏହାର ପୁନରୁଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଛି ବୋଲି ଆୟୋଜକ କମିଟି ମତ ପ୍ରକାଶ କରିଛି । ଏହି ବୈଠକରେ ୨୦ଟି ସଂକୀର୍ତ୍ତନ ଦଳ ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିଥିଲେ, ଯାହା ସଂସ୍କାରଧର୍ମୀ ଥିଲା । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବୈଦେହୀ ମାଝୀ ଓ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି, ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦାନ କରିଥିଲେ । ବିଶିଷ୍ଟ କଳାକାର ସନ୍ତୋଷ ଦାଶଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ ସଂଯୋଜନା କରିଥିଲେ ମଧୂସୁଦନ ରାଉତ। ହରେକୃଷ୍ଣ ଭୋଇ, କ୍ଷିରୋଦ ପାତ୍ର, ତପନ ପଧାନ, ହୃଷିକେଶ ଗଡତିଆ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦାନ କରିଥିଲେ ।
Comments are closed.