ନିମ୍ନ ମାନର କାର୍ଯ୍ୟ ଅଭିଯୋଗ ; ୫୦ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ଗୃହର ସ୍ଥାୟୀତ୍ୱ ନେଇ ପ୍ରଶ୍ନ
ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପରିସରରେ ନିର୍ମାଣ କରାଯାଉଛି ବ୍ଲକ ସ୍ତରୀୟ ମିଶନ ଶକ୍ତି ଗୃହ । ଏହି ଗୃହର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବାବେଳେ କାର୍ଯ୍ୟ ଆରମ୍ଭରୁ ଅତ୍ୟନ୍ତ ନିମ୍ନ ମାନର ହେଉଥିବାର ଦେଖିବାକୁ ମିଳିଛି । ମୂଳଦୁଆ ଢଳେଇ କାର୍ଯ୍ୟ ନିମ୍ନ ମାନର ହେବା ଯୋଗୁଁ ପଞ୍ଚାୟତିରାଜ ବିଭାଗର ୪୯ ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେଉଥିବା ଏହି ଗୃହର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଞ୍ଚାୟତିରାଜ ବିଭାଗର ୪୯ ଲକ୍ଷ ଟଙ୍କା ଅନୁଦାନରେ ପୂର୍ତ୍ତ ବିଭାଗ ଏହି ନିର୍ମାଣ କାର୍ଯ୍ୟ କରୁଛି। ଏହି କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଥିବାବେଳେ ନିର୍ଦ୍ଧାରିତ ସମୟରେ ଟେଣ୍ଡର ପକାଇଥିବା ଠିକାଦାର ମାନଙ୍କୁ ନଜଣାଇ ଏହି ଠିକାଦାରଙ୍କୁ କୁଆଡେ ଅହେତୁକ ଅନୁକମ୍ପା ଦେଖାଇ୧୪.୯୯ ଲେସରେ ଲଟେରୀ ମାଧ୍ୟମରେ କାର୍ଯ୍ୟ ଦିଆଯାଇଛି ବୋଲି ବିଭାଗୀୟ କର୍ମଚାରୀଙ୍କ ଠାରୁ ଜଣାପଡିଛି। କିନ୍ତୁ ଉକ୍ତ କାର୍ଯ୍ୟରେ ବିଡ଼ର ଥିବା ଠିକାଦାର ଲଟେରୀ ହେବା ଜାଣିନାହାନ୍ତି ବୋଲି କହୁଛନ୍ତି । ଗୃହକାର୍ଯ୍ୟ, ବିଦ୍ୟୁତ ଏବଂ ପି. ଏଚ ପାଇଁ ସମୁଦାୟ ୪୯ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ଠିକାଦାର ଦୁଇ ମାସ ତଳେ ସମ୍ପୃକ୍ତ କାର୍ଯ୍ୟର ନିଅଁ ଖୋଳି ପକାଇ ଆଜି ପର୍ଯ୍ୟନ୍ତ କାମ କରୁନଥିବାବେଳେ ହଠାତ ଛୁଟି ଦିନରେ କାମ କରିବା ପଛରେ କଣ ରହସ୍ୟ ରହିଛି ତାହା ସନ୍ଦେହ ଘେରରେ। ମୂଳଦୁଆ ପାଇଁ ଯେତିକି ଗଭୀର ନିଅଁ ଖୋଳାଯିବା କଥା ସେତିକି ଖୋଲାଯାଇନାହିଁ । ଠିକାଦାର ୪୦ ଗ୍ରେଡ ମେଟାଲ ୧.୩.୬ ଅନୁପାତରେ ମିକ୍ସଚର ମେସିନରେ ଫେଣ୍ଟି ଢଳେଇ ପକାଇବା ପାଇଁ ଥିବାବେଳେ ୬୦ ଗ୍ରେଡ ମେଟାଲରେ ବିନା ମିକ୍ସଚର ମେସିନରେ ନିମ୍ନ ମାନର ସିମେଣ୍ଟ ଏବଂ ଲୋକାଲ ଝୁରା ବାଲି ପକାଇ କାର୍ଯ୍ୟ କରୁଛନ୍ତି । ମିକ୍ସଚର ମେସିନରେ ଫେଣ୍ଟି ଢ଼ଳାଇ ପକାଇଲେ କାର୍ଯ୍ୟର ସ୍ଥାୟୀତ୍ୱ ଯେପରି ରହିବ ଝୁରା ପକାଇ କାମ କଲେ ତା’ର ସ୍ଥାୟୀତ୍ୱ ବେଶିଦିନ ରହିବ ନାହିଁ ବୋଲି ଯନ୍ତ୍ରୀ ମାନେ ମତ ଦେଉଛନ୍ତି । ଫଳରେ ବିଲଡିଂର ମୂଳଦୁଆ ଦୁର୍ବଳ ହେବା ପରେ ଗୃହଟି ଅସମୟରେ ଭୁଶୁଡିବାର ସମ୍ଭାବନା ରହିଛି । କାର୍ଯ୍ୟସ୍ଥଳରେ ବିଭାଗୀୟ କର୍ମଚାରୀ କେହି ନ ରହିବା ଯୋଗୁଁ ଠିକାଦାରଙ୍କ ଲୋକ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଏ ସଂକ୍ରାନ୍ତରେ ବେଗୁନିଆ ସେକ୍ସନ ଦାୟିତ୍ୱରେ ଥିବା ଖୋର୍ଦ୍ଧା ସେକ୍ସନ କନିଷ୍ଠ ଯନ୍ତ୍ରୀ ସଂଜୟକୁମାର ପ୍ରଧାନଙ୍କୁ ପଚାରିବାରେ ସେ ବିରକ୍ତି ପ୍ରକାଶ କରି, କାମ ବନ୍ଦ କରି ମିକ୍ସଚର ମେସିନ ଆଣି କାମ କରିବା ପାଇଁ ଠିକାଦାରଙ୍କୁ କହିଥିଲେ ।
Comments are closed.