ଶ୍ରୀଲଙ୍କା ସଙ୍କଟ: ଭାରତ ପଠାଇଲା ଡିଜେଲ, ଶୀଘ୍ର ପହଞ୍ଚିବ ଚାଉଳ

କଲମ୍ବୋ: ଖାଦ୍ୟ ନାହିଁ, ଔଷଧ ନାହିଁ, ପାଣି କିମ୍ବା କ୍ଷୀର ନାହିଁ, ଇନ୍ଧନ କିମ୍ବା ରୋଷଇ ପାଇଁ ଗ୍ୟାସ୍‌ ମଧ୍ୟ ନାହିଁ। ଲୋକଙ୍କ ପାଖରେ ପଇସା ବି ନାହିଁ କିଛି କିଣିବାକୁ। ଏଭଳି ଦୁର୍ବିସହ ଅବସ୍ଥାରେ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। କଲମ୍ବୋ ସମେତ, ଗାଲେ, ମତାରା ଓ ମୋରାତୁୱାରେ ସ୍ଥିତି ଅସମ୍ଭାଳ ହୋଇଛି। ଲୋକେ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କ ଇସ୍ତଫା ଦାବି କରୁଛନ୍ତି। ବିଭିନ୍ନ ସଂଗଠନ ରବିବାର ଦେଶବ୍ୟାପୀ ବିକ୍ଷୋଭ ପାଇଁ ଡାକରା ଦେଇଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଶୁକ୍ରବାର ରାତିରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିବାବେଳେ ଏହାର ୨୪ଘଣ୍ଟା ନ ପୂରୁଣୁ ଆଗାମୀ ୩୬ଘଣ୍ଟା (ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା) ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। କେବଳ ଜରୁରୀକାଳୀନ ବ୍ୟବସ୍ଥାକୁ ବାଦ୍‌ ଦେଲେ ସବୁକିଛି ବନ୍ଦ ରଖାଯାଇଛି। ବିକ୍ଷୋଭକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଛି। ସରକାର ଜନ ଅସନ୍ତୋଷକୁ ଆତଙ୍କବାଦ ଆଖ୍ୟା ଦେଉଛନ୍ତି। ଏ ହେଉଛି ଶ୍ରୀଲଙ୍କାର ସଦ୍ୟତମ ପରିସ୍ଥିତି।

prayash

ଦେଶର ଆମଦାନୀ କ୍ଷମତା ୭୦ପ୍ରତିଶତ ହ୍ରାସ ପାଇଥିବାରୁ ଲୋକଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବା ସମ୍ଭବ ହେଉ ନାହିଁ। ସରକାର ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ବାରଦ୍ବାର ସୁଣ୍ଢିପିଣ୍ଡା ହେଉଛନ୍ତି। ଭାରତ ପଠାଇଥିବା ୪୦ହଜାର ଟନ୍‌ ଡିଜେଲ ଶନିବାର କଲମ୍ବୋରେ ପହଞ୍ଚିବା ପରେ ଗାଡ଼ିମଟର ଚାଲିବା ଆରମ୍ଭ ହୋଇଛି। ଭାରତ ସରକାର ଖୁବ୍‌ ଶୀଘ୍ର ୪୦ହଜାର ଟନ୍‌ ଚାଉଳ ପଠାଉଛନ୍ତି; ଯାହା ଏହି ଦେବାଳିଆ ରାଷ୍ଟ୍ର ପାଇଁ ପ୍ରଥମ ଓ ସବୁଠୁ ବଡ଼ ବୈଦେଶିକ ଖାଦ୍ୟ ସହାୟତା। ଏଥିସହିତ ଭାରତ ବିପୁଳ ଔଷଧ ମଧ୍ୟ ପଠାଇଥିବାବେଳେ ବିପୁଳ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇଛି।

kalyan agarbati

Comments are closed.