ପାଟଣାଗଡ ଝିଅ-ମେୱାର ବୋହୂ ନିବୃତ୍ତି; ବିଜେପିର ମଙ୍ଗ ଧରିବା ନେଇ ଚର୍ଚ୍ଚା

ବଲାଙ୍ଗିର: ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ, ପୌର ନିର୍ବାଚନ। ନୂଆଖାଇ ହେଉ କି ଇଷ୍ଟଦେବୀ ଦଶମତୀଙ୍କ ପୂଜା ନହେଲେ ପାଟଣାଗଡର ପ୍ରସିଦ୍ଧ ବଏଲ୍ ଯାତ୍ରା। ସବୁ ପର୍ବପର୍ବାଣୀ, ନିର୍ବାଚନରେ ସେ ଆସନ୍ତି। ପରିବାର ଲୋକଙ୍କ ସହ ଦିଅଁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରନ୍ତି। ଲୋକଙ୍କ ସହ ମିଶନ୍ତି। ବିବାହର ଦୀର୍ଘ ବର୍ଷ ପରେ ବି ପାଟଣାଗଡରେ ନିବୃତ୍ତି ସିଂହଦେଓଙ୍କ ଚର୍ଚ୍ଚା ସବୁବେଳେ। ଆଉ ସଦ୍ୟ ସରିଥିବା ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପ୍ରଚାର ହେଉ କି ମତଦାନ, ସବୁଠି ନିବୃତ୍ତିଙ୍କ ଉପସ୍ଥିତି। ବାପା କନକ ବର୍ଦ୍ଧନ ସିଂହଦେଓ(କେଭି) ଓ ମା’ ସଙ୍ଗୀତା ସିଂହଦେଓଙ୍କ ପରେ ପାଟଣାଗଡରେ ବିଜେପିର ମଙ୍ଗ ନିବୃତ୍ତି ହିଁ ଧରିବେ ବୋଲି ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ।
ରାଜତନ୍ତ୍ର ନାହିଁ ସତ, କିନ୍ତୁ ଆଜି ବି ବଲାଙ୍ଗିର ଜିଲାରେ ରାଜ ପରମ୍ପରାକୁ ନେଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ବଲାଙ୍ଗିର ରାଜନୀତି ଇତିହାସ ଉପରେ ଦୃଷ୍ଟି ପକାଇଲେ ରାଜ୍ୟରୁ ଜିଲା ରାଜନୀତିରେ ରାଜ ପରିବାର ସଦସ୍ୟଙ୍କ ଦବଦବା ଦେଖିବାକୁ ମିଳିଛି। ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କ ପୁଅ ସ୍ୱର୍ଗତ ରାଜରାଜ ସିଂହଦେଓ ଦୁଇଥର ସାଂସଦ, ସାନପୁଅ ଅନଙ୍ଗ ଉଦୟ ସିଂହଦେଓ ରାଜ୍ୟସଭାର ପୂର୍ବତନ ସାଂସଦ ତଥା ୨୪ ବର୍ଷ ଧରି ବଲାଙ୍ଗିର ସଦର ବିଧାନସଭାରୁ ବିଧାୟକ ଓ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ। ସ୍ୱର୍ଗତ ରାଜରାଜ ସିଂହଦେଓଙ୍କ ପୁଅ କେଭି ବି ଲଗାତାର ଭାବେ ପାଟଣାଗଡରୁ ବିଜେପି ବିଧାୟକ ରହିଥିଲେ। ଆଉ କେଭିଙ୍କ ପତ୍ନୀ ୧୯୯୮, ୧୯୯୯, ୨୦୦୪ ପରେ ୨୦୧୯ରେ ୪ଥର ସାଂସଦ ଭାବେ ବିଜୟୀ ହୋଇଛନ୍ତି। କେଭି ଓ ସଙ୍ଗୀତାଙ୍କ ଏକମାତ୍ର ଝିଅ ନିବୃତ୍ତି। ୨୦୧୪ ଜାନୁଆରି ୨୧ରେ ସେ ରାଜସ୍ଥାନ ଉଦୟପୁରର ଅରବିନ୍ଦ ସିଂ ମେୱାରଙ୍କ ପୁଅ ଲକ୍ଷ୍ୟରାଜ ସିଂ ମେୱାରଙ୍କୁ ବିବାହ କରିଥିଲେ। ଇତିମଧ୍ୟରେ ସେମାନଙ୍କର ୩ ପୁତ୍ର କନ୍ୟା ସନ୍ତାନ। ତେବେ ନୂଆଖାଇ ହେଉ କି ନିର୍ବାଚନ ସମୟ, ପରିବାର ସହ ବଲାଙ୍ଗିର ପାଟଣାଗଡରେ ନିବୃତ୍ତି ଉପସ୍ଥିତ ଥାନ୍ତି। ଏଥର ପଞ୍ଚାୟତ ନିର୍ବାଚନରେ ନିବୃତ୍ତି ପ୍ରଚାର କରିଥିଲେ। ଆଉ ବଲାଙ୍ଗିର ପୌର ନିର୍ବାଚନ ଓ ପାଟଣାଗଡ ଏନ୍ଏସି ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ୱାର୍ଡରୁ ୱାର୍ଡକୁ ଯାଇ ମା’ ସଙ୍ଗୀତାଙ୍କ ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ।

prayash

ସେହିପରି ଗୁରୁବାର ପାଟଣାଗଡ ଏନ୍ଏସି ନିର୍ବାଚନରେ ନିବୃତ୍ତି ମତାଧିକାର ସାବ୍ୟସ୍ତ କରିଛନ୍ତି। ଯାହାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି। କେଭି ଓ ସଙ୍ଗୀତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ନିବୃତ୍ତି ସ୍ଥାନ ପାଇପାରନ୍ତି ଓ ଆଗାମୀ ଦିନରେ ବଲାଙ୍ଗିର ଜିଲାରୁ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଜୋରସୋର୍ ଚର୍ଚ୍ଚା ହେଲାଣି। ରାଜ ପରିବାରର ଅତୀତକୁ ଦେଖିଲେ ସେମାନଙ୍କ ପୀଢି ପରେ ପୀଢି ରାଜନୀତିକୁ ଆସିଛନ୍ତି। ଆଗାମୀ ଦିନରେ ରାଜନୀତିକୁ ଆସିବା ପାଇଁ ନିବୃତ୍ତି ବହୁ ଦିନରୁ ପଥ ସୁଗମ କରୁଛନ୍ତି ଓ ଠିକ୍ ସମୟକୁ ଅପେକ୍ଷା କରିଛନ୍ତି ବୋଲି ପାଟଣାଗଡରୁ ନେଇ ଜିଲାରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

kalyan agarbati

Comments are closed.