ଗଣ୍ଠିବାତ
ଗଣ୍ଠିବାତ ବା ରିଉମାଟଏଡ ଆର୍ଥ୍ରାଇଟିସ୍ କହିଲେ ଗଣ୍ଠିବାତ ପ୍ରଦାହକୁ ବୁଝାଏ। ଏହାର ଶତାଧିକ ପ୍ରକାର ରହିଥିବା ବେଳେ ଚିକିତ୍ସା ପଦ୍ଧତି ମଧ୍ୟ ଭିନ୍ନଭିନ୍ନ। ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ଆକ୍ରାନ୍ତ କରିଥିବା ବେଳେ ୨୦ରୁ ୫୦ବର୍ଷ ମଧ୍ୟରେ ବେଶୀ ପ୍ରଭାବିତ କରିଥାଏ। ହାତର କଚଟି ସହିତ ସମସ୍ତପ୍ରକାର ଛୋଟବଡ ଗଣ୍ଠି ଏହି ରୋଗରେ ଦରଜ ହେବା ସହ ଫୁଲେ। ଏହା ଏକ ଅଟୋଇମ୍ୟୁନ ରୋଗ ଯେଉଁଥିରେ ଶରୀରର ରୋଗପ୍ରତିରୋଧକ ଶକ୍ତି ଅନିୟନ୍ତ୍ରିତ ହୋଇ ବିଭିନ୍ନ ଗଣ୍ଠିକୁ ଆକ୍ରମଣ କରେ। ରିଉମାଟଏଡ୍ ଫ୍ୟାକ୍ଟର ଏବଂ ଆଣ୍ଟି ସିସିପି ଆଦି କ୍ଷତିକାରକ ଆଣ୍ଟିବଡି ଏଥିରେ ଦେଖାଯାଏ। ଧୂମପାନ ଦ୍ବାରା ଆଣ୍ଟିବଡି ଅଧିକ ସୃଷ୍ଟି ହେଉଥିବାରୁ ଗଣ୍ଠିବାତ ରୋଗର ପ୍ରଭାବ ଅଧିକ ହୁଏ।
ଏହି ରୋଗରେ ଗଣ୍ଠିବାତ ଛଡା ବେଳେବେଳେ ଆଖି ମଧ୍ୟ ଲାଲ୍ ପଡି ଦରଜ ହୋଇଥାଏ। ଠିକ୍ ସମୟରେ ରୋଗ ନିୟନ୍ତ୍ରିତ ନହେଲେ ପରିସ୍ରାରେ ପ୍ରୋଟିନ୍ ଯିବା, ଗୋଡରେ ଘା’ ହେବା ସହ ଶ୍ବେତ ରକ୍ତକଣିକା କମିଯାଇଥାଏ। ଫୁସ୍ଫୁସ ମଧ୍ୟ ଏଥିରେ ପ୍ରଭାବିତ ହେଉଥିବା ଯୋଗୁ ଶୁଖିଲା କାଶ ହେବା ସହ ଅଳ୍ପବାଟ ଚାଲିଲେ ବି ଧଇଁସଇଁ ଲାଗେ। ରୋଗର ଲକ୍ଷଣ, ହାଡ ଏକ୍ସ-ରେ, ରିଉମାଟଏଡ ଫ୍ୟାକ୍ଟର ଏବଂ ଆଣ୍ଟି ସିସିପି ପରୀକ୍ଷା କରି ଏହା ସମ୍ପର୍କରେ ଜଣାପଡିଥାଏ।
ଚିକିତ୍ସା ପଦ୍ଧତି: ରୋଗ ନିୟନ୍ତ୍ରଣ ଲାଗି ମିଥୋଟ୍ରେକ୍ସିଟ୍, ଲେପ୍ଟୁନୋମାଇଡ୍, ସଲ୍ଫାସାଲାଡାଇନ୍ ଆଦି ଔଷଧ ବ୍ୟବହାର କରାଯାଏ। ଏହା ବ୍ୟତୀତ ରୋଗ ନିୟନ୍ତ୍ରଣ ଲାଗି କେତୋଟି ବାୟୋଲୋଜିକ ଇଞ୍ଜେକ୍ସନ ଯଥା- ରିଟୁକ୍ସିମାବ୍, ଆଣ୍ଟି ଟିଏନ୍ଏଫ୍, ଆଣ୍ଟି ଆଇଏଲ୍-୬ ଆଦି ଔଷଧର ବ୍ୟବହାର ବେଳେବେଳେ ଦରକାର ହୁଏ। ଏସବୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯକ୍ଷ୍ମାରୋଗ, ହେପାଟାଇଟିସ୍-ବି ଓ ହେପାଟାଇଟିସ୍-ସି ଲାଗି ରକ୍ତପରୀକ୍ଷା କରାଯାଏ।
ବ୍ୟାୟାମ ଓ ଖାଦ୍ୟ: ନିୟମିତ ଫିଜିଓଥେରାପି ବା ଉପଯୁକ୍ତ ବ୍ୟାୟାମ ଦ୍ବାରା ଗଣ୍ଠିର ନମନୀୟତା ବଜାୟ ରଖିହୁଏ। କେବଳ ଗାଉଟ୍ ବା ୟୁରିକ୍ ଏସିଡଜନିତ ଗଣ୍ଠିବାତ ରୋଗକୁ ଛାଡିଦେଲେ ଅନ୍ୟ କୌଣସି ଗଣ୍ଠିବାତ ରୋଗରେ ଖାଦ୍ୟର ସେପରି ବାରଣ ନଥାଏ। ତେବେ ସୁଷମ ଖାଦ୍ୟ ଖାଇବା ସହିତ ଧୂମପାନ ଓ ମଦପାନରୁ ବିରତ ରହିବା ଜରୁରୀ।