୧୯୯୦ରେ ଠେମରାରେ ଖିରି ଖାଇଥିଲେ ବିଜୁ ବାବୁ
ସ୍ମୃତିରେ ବିଜୁ ବାବୁ ...
ସମ୍ବଲପୁର: ଓଡିଶା ତଥା ଭାରତୀୟ ରାଜନୀତିରେ ବିଜୁ ପଟ୍ଟନାୟକ ଏକ ଧ୍ରୁବ ତାରା ସଦୃଶ। ନିସନ୍ଦେହ ସେ ଜଣେ ମହାନ ବୁଦ୍ଧିଜୀବୀ, ଏକାଧାରାରେ ସାଂସଦ, ବିଧାୟକ, ରାଜନୈତିକ ବ୍ୟକ୍ତିତ୍ୱ ହେବା ସହିତ ସର୍ବୋପରି ସେ ଓଡିଶାର ଜଣେ ପ୍ରମୁଖ ସଂସ୍କାରକ ଥିଲେ। ସ୍ୱାଧିନତା ପରେ ଓଡିଶାର ବିକାଶରେ ରହିଥିବା ତାଙ୍କର ଭୂମିକା ଚିରସ୍ମରଣୀୟ ଅଟେ। ସେ ସାରା ରାଜ୍ୟବାସୀ ଙ୍କ ସହିତ ତ୍ରୁଣମୂଳ ସ୍ତରରୁ ସର୍ମ୍ପକ ରକ୍ଷା ରଖୁଥିଲେ ଏବଂ ଏଥି ପାଇଁ ସେ ସମସ୍ତଙ୍କ ହୃଦୟରେ ଆଜି ବି ସମ୍ମାନର ସହିତ ଜୀବିତ। ଏକ ଜନନାୟକ ରୂପେ ତାଙ୍କର ପଶ୍ଚିମ ଓଡିଶା ସମେତ ସମ୍ବଲପୁର ଅଞ୍ଚଳବାସୀଙ୍କ ସହିତ ଘନିଷ୍ଠ ସର୍ମ୍ପକ ରହିଥିଲା। ବିଜୁ ବାବୁ ଙ୍କୁ ସାରା ରାଜ୍ୟରେ ଅନେକ ଯୁବକ ନିଜର ଆଦର୍ଶ ରୂପେ ଗ୍ରହଣ କରି ତାଙ୍କର ଅନୁସରଣ କରୁଥିବା ବେଳେ ସମ୍ବଲପୁରରେ ମଧ୍ୟ ଅନେକ ଯୁବକ ତାଙ୍କର ଅନୁଗାମୀ ହେବା ସହିତ ଘନିଷ୍ଠ ସହଯୋଗୀ ରୂପେ କାର୍ଯ୍ୟ କରିଆସିଛନ୍ତି।
ସେହିଭଳି ବିଜୁ ବାବୁ ଙ୍କ ଘନିଷ୍ଠ ସହ ଯୋଗୀ ରୂପେ ଏକଦା ଓଡିଶା ତଥା ପଶ୍ଚିମ ଓଡିଶାର ରାଜନୀତିରେ ପରିଚିତ ଗୋପି ରଞ୍ଜନ ବାବୁ ଅନେକ ଅଭୂଲା ସ୍ମୃତି ଗୁଡିକୁ ବଖାଣିଛନ୍ତି। ସେ ବିଜୁ ବାବୁ ଙ୍କୁ ନିଜର ରାଜନୈତିକ ପିତା ର ସଜ୍ଞା ଦେଇଥିବା ଗୋପୀ ବାବୁ ୧୯୭୧ ମସିହାରେ ଯେତେବେଳେ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା, ସେହି ସମୟରେ ପ୍ରଥମେ ଭୁବନେଶ୍ୱର ଠାରେ ଦେଖା ହୋଇଥିଲା। ସମ୍ବଲପୁର ଠାରେ ଏକ ଦଳୀୟ ବୈଠକ ନିମନ୍ତେ ଗୋପି ଓ ତାଙ୍କର ୨ ଜଣ ସାଥି ବିଜୁ ବାବୁ ଙ୍କୁ ଦେଖା କରିଥିଲେ। ୧୯୭୪ ମସିହାରେ ନିର୍ବାଚନ ସମୟରେ ଆମର ଗ୍ରାମ ଠେମରା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଆସୁଥିବା ବେଳେ ସମ୍ବଲପୁରକୁ ପ୍ରଚାର ପାଇଁ ବିଜୁ ବାବୁ ଆସିଥିଲେ। ୧୨ ଫେବୃଆରୀ ୧୯୭୫ ବିଜୁ ବାବୁ ଆସିଥିବା ବେଳେ ସେ ସମୟରେ ପୂର୍ବତନ ମନ୍ତ୍ରୀ ମୁରାରୀ ମିଶ୍ରଙ୍କ ଜରିଆରେ ଗୋପି ରଞ୍ଜନ ବାବୁଙ୍କ ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଆୟୋଜିତ ହେଉଥିବା ଏକ ସାଙ୍ଗଠନିକ ବୈଠକରେ ପ୍ରଥମେ ସାକ୍ଷାତକାର ହୋଇଥିଲା। ବିଜ ବାବୁଙ୍କ ସହିତ ସାକ୍ଷାତକାର ସମୟରେ ଗୋପି ବାବୁ କଥାବାର୍ତ୍ତା ହେବା ସମୟରେ ୩୦ ଜଣ ସାଥି ଙ୍କ ସହିତ ସାଇକେଲରେ ବୈଠକକୁ ଆସିଥିବାର ଜାଣି ସେ ବେଶ ଖୁସି ପ୍ରକାଶ କରି ତାଙ୍କ ଗ୍ରାମ ଠେମରାକୁ ଯିବାକୁ ଇଚ୍ଛା ପ୍ରକାଶ କରିବା ସହିତ ତାଙ୍କର ଘରେ ଭୋଜନ କରିବେ ବୋଲି କହିଥିଲେ।
ଏଣୁ ସେହି ରାତ୍ରରେ ଠେମରା ଗ୍ରାମକୁ ଫେରିବା ପରେ ଗୋପି ବାବୁ ଓ ତାଙ୍କର ସାଥି ମାନେ ବିଜୁ ବାବୁଙ୍କ ଭବ୍ୟ ସ୍ୱାଗତ ନିମନ୍ତେ ଲାଗି ପଡିଥିଲେ। ୧୩ ଫେବୃଆରୀ ୧୯୭୫ ସକାଳ ୮ଟାରେ ବିଜୁ ବାବୁ ଠେମରା ଗ୍ରାମକୁ ପହୁଞ୍ଚିବା ପରେ ଗ୍ରାମ ମୁଣ୍ଡରେ ଥିବା ମହାଦେବ ମନ୍ଦିରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ତାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯାଇଥିଲା। ଗ୍ରାମ ରାସ୍ତା କଡରେ ରହିଥିବା ସମସ୍ତ ଘର ଗୁଡିକର ସମ୍ମୁଖରେ ଝୋଟି ଦିଆଯାଇ କଳସ, ନଡିଆ ଓ ଦୀପ ପ୍ରଜ୍ୱଳନ କରାଯାଇ ତାଙ୍କୁ ସମସ୍ତେ ସ୍ୱାଗତ କରିଥିଲେ। ଏହା ଦେଖି ବିଜୁ ବାବୁ ଠେମରା ଗ୍ରାମ ପ୍ରତି ବିଶେଷ ଆକୃଷ୍ଟ ରହିଥିଲେ। ଏହା ପରେ ସେ ଗୋପି ବାବୁଙ୍କ ଘରକୁ ଯାଇ ଭୋଜନ କରିଥିଲେ। ଏହା ପରେ ଠେମରା ଗ୍ରାମ କୁ ସମୟ ମିଳିଲେ ଅନେକ ସମୟରେ ଆସିଥିଲେ।
ସେହିଭଳି ପ୍ରାୟ ୩୨ ବର୍ଷ ପୂର୍ବେ ୨୩ ଫେବୃଆରୀ ୧୯୯୦ (ଶୁକ୍ରବାର) ମସିହାରେ ପବିତ୍ର ଶିବରାତ୍ର ଅବସରରେ ଠେମରା ଗ୍ରାମକୁ ବିଜୁ ବାବୁ ସମ୍ବଲପୁର ଗସ୍ତ ସମୟରେ ପରିଦର୍ଶନ କରିଥିଲେ। ସେ ସମୟରେ ଠେମରା ଗ୍ରାମର ପ୍ରସିଦ୍ଧ ଶିବରାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଗୋପି ବାବୁଙ୍କ ଘରକୁ ଯାଇ ତାଙ୍କର ମା’ଙ୍କ ଦ୍ୱାରା ନିର୍ମିତ ଖିରି ଖୁସିରେ ଖାଇଥିଲେ। ବିଜୁ ବାବୁଙ୍କ ହୃଦୟ ବହୁତ ବଡ। ବିଜୁ ବାବୁଙ୍କ ସ୍ନେହ ଓ ବିଶ୍ୱାସକୁ ସମ୍ମାନ ଦେଇ ମୁଁ ଶେଷ ପର୍ଯ୍ୟନ୍ତ ତାଙ୍କର ସହିତ ଜଡିତ ରହିଥିଲି। ମୁଁ ଯେହେତୁ ଗାଁ ମାଟିର କର୍ମକର୍ତ୍ତା ଏବଂ ମୋର ମାଟିର ପ୍ରତି ମୋହକୁ ଜାଣିଥିବାରୁ ଯେତେବେଳେ ବି ଆମେ ଫୋନରେ କଥା ହେଉଥିଲୁ, ସେ ସବୁ ବେଳେ ଗ୍ରାମବାସୀ (ଠେମରା) କେମିତି ଅଛନ୍ତି ବୋଲି ପଚାରୁଥିଲେ। ମୋତେ ଯେତେବେଳେ ବି ନବୀନ ବାବୁ ଭେଟନ୍ତି ଖୁବ ଆଦର ସହିତ କଥା ହୋଇଥାନ୍ତି। ସେହିଭଳି ଅନେକ ସ୍ମୃତି ଗୁଡିକୁ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜୁ ବାବୁଙ୍କ ଘନିଷ୍ଠ ସହ ଯୋଗୀ ଗୋପି ରଞ୍ଜନ ବାବୁ ସାଉଁଟି ରଖିଛନ୍ତି।
ବିଜୁ ବାବୁଙ୍କ ଲୋକପ୍ରିୟତା ଅଞ୍ଚଳବାସୀଙ୍କ ମଧ୍ୟରେ ଅତ୍ୟଧିକ ରହିଛି। ସେ ସମ୍ବଲପୁର ସହରରେ ଚାଲି ଚାଲି ବୁଲିବା ଏବଂ ଲୋକଙ୍କ ସହିତ ଭାବଆଦାନ ପ୍ରଦାନର ମଧ୍ୟ ଅନେକ ନଜୀର ରହିଛି। ବିଜୁ ବାବୁ ଙ୍କୁ ଜୀବନବ୍ୟାପି ନିରନ୍ତର ଅଞ୍ଚଳବାସୀ ସ୍ନେହ ପ୍ରଦାନ କରି ଆସିଥିବା ବେଳେ ଠେମରା ନିବାସୀ ଗୋପି ରଞ୍ଜନ ବାବୁ ଭଳି ବ୍ୟକ୍ତିତ୍ୱ ତାଙ୍କର ଅନ୍ତିମ ସମୟ ପର୍ଯ୍ୟନ୍ତ ସାଥିରେ ରହିଥିଲେ।
Comments are closed.