ବିଡିଓଙ୍କୁ ଅଟକ ରଖି​‌ଲେ ଗ୍ରାମବାସୀ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତ ଧାଡିଆମ୍ବ ଆଦିବାସୀ ଗ୍ରାମରେ ଲୋକଙ୍କ ଭୋଟର ତାଲିକାରେ ନାମ ନଥିବାରୁ ମତଦାନରୁ ବଞ୍ଚିତ ହୋଇଥିଲେ। ଏହାର ପ୍ରତିବାଦରେ ବହୁ ଆଦିବାସୀ ବିଡିଓ ପ୍ରକାଶ କୁମାର ଦାସଙ୍କୁ ରାସ୍ତାରେ ଗାଡିରୁ ଓହ୍ଲାଇ ଚଲାଇ ଚଲାଇ ନେବା ସହିତ ଅଟକ ରଖିଥିବା ଜଣାଯାଇଛି। ଆଜି ପାତ୍ରପୁଟ ବିଡିଓ ତୁମ୍ବା ଲିମେଇ ଶୁଣି ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହ କାର୍ଯ୍ୟ ଦେଖି ଫେରିବା ବେଳେ ଏଭଳି ଘଟଣା ଘଟିଛି। ବିଡ଼ିଓ ତୁମ୍ବାରୁ ଫେରିବା ବେଳେ ଗୋପୀନାଥପୁର ଛକ ନିକଟରେ ଅଂଚଳର ବହୁ ଆଦିବାସୀ ଏକତ୍ରିତ ହୋଇ ତାଙ୍କୁ ଅଟକାଇଥିଲେ। ଯାହା ଫଳରେ କଥା କଟାକଟି ହୋଇଥିଲା। ଏହାପରେ ଉତ୍ୟକ୍ତ ଆଦିବାସୀ ବିଡ଼ିଓଙ୍କୁ ଗାଡିରୁ ଟାଣି ଓହ୍ଲାଇଥିଲେ। ତାଙ୍କୁ ପ୍ରାୟ ଚାରି କିଲୋମିଟର ଚଲାଇ ଗ୍ରାମକୁ ନେଇ ଅଟକ ରଖିଥିଲେ। ଖବର ପାଇ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପୁଲିସ ଟିମ ସହିତ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି ।

ଗତ ୨୦ ତାରିଖ ଦିନ ଭୋଟ ବେଳେ ଧାଡିଆମ୍ବ ଆଦିବାସୀ ଗ୍ରାମର ଲୋକମାନଙ୍କ ଭୋଟ ତାଲିକାରେ ନାମ ନଥିବାରୁ ଉତେଜନା ପ୍ରକାଶ ପାଇଥିଲା। ଏପରିକି ତିନିଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା। ଏପରିକି ଭୋଟ ବାକ୍ସକୁ ଲୋକମାନେ ବ୍ଳକକୁ ନେବାକୁ ଛାଡି ନଥିବା ବେଳେ ପୋଲିଙ୍ଗ ଦଳକୁ ଅଟକ ରଖିଥିଲେ। ତେବେ ପାତ୍ରପୁର ତହସିଲଦାର, ଜରଡା ଥାନା ଅଧିକାରୀ ପୁଲିସ ଫୋର୍ସ ସହିତ ଗ୍ରାମରେ ପହଞ୍ଚି ବୁଝାସୁଝା କରିବା ପରେ ପୋଲିଂ ଦଳକୁ ଛାଡି ଥିଲେ। ଏହା ପରେ ଗ୍ରାମବାସୀ ବ୍ଳକ କାର୍ୟ୍ୟାଳୟକୁ ନିୟମିତ ଆସି ଗୁହାରୀ କରିଥିଲେ। ତେବେ ତାଙ୍କୁ ରୁକ୍ଷ ବ୍ୟବହାର କରିବା ନେଇ ଗ୍ରାମବାସୀ ମହଲରେ ଉତେଜନା ପ୍ରକାଶ ପାଇଥିଲା। ଆଜି ବିଡ଼ିଓଙ୍କୁ ଅଟକ ରଖିବା ଖବର ପାଇ ତହସିଲଦାର, ପୁଲିସ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି କରିଛନ୍ତି। ତେବେ ଗ୍ରାମବାସୀଙ୍କର ଭୋଟର ତାଲିକାରେ ନାମ ନଥିବାରୁ କୌଣସି ମୌଳିକ ସୁବିଧାରୁ ବଂଚିତ ନ କରିବା ସହିତ ଆଗାମୀ ନିର୍ବାଚନରେ ଯେଭଳି ଭୋଟ ଦେବାରୁ ବଞ୍ଚିତ ନହେବେ ସେଥିପାଇଁ ପ୍ରତିଶ୍ରୁତି ଦେବା ପାଇଁ ଲିଖିତ ରାଜିନାମା କରିଥିବା ଜଣାଯାଇଛି। ଖବର ପାଇ ଜିଲ୍ଲା ଅଧିକାରୀମାନେ ବ୍ଳକରେ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି। ଲିଖିତ ପ୍ରତିଶ୍ରୁତି ଦେବା ପରେ ବିଡ଼ିଓଙ୍କୁ ଛାଡିଥିବା ଜଣାପଡ଼ିଛି।

Comments are closed.