ନବଦିଗନ୍ତ ମାମଲା : ସାଂସଦ ହାଁସଦାଙ୍କୁ ଜେଲ୍‌ରେ ଜେରା

0

ଭୁବନେଶ୍ୱର: ନବଦିଗନ୍ତ ଚିଟ୍‌ଫଣ୍ଡ୍‌ ମାମଲାରେ ସିବିଆଇ ଦ୍ୱାରା ୨୦୧୪ରେ ଗିରଫ ହୋଇ ସ୍ଥାନୀୟ ଝାରପଡାସ୍ଥିତ ସ୍ୱତନ୍ତ୍ର ଜେଲ୍‌ରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମଙ୍ଗଳବାର କମ୍ପାନୀ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ରେଜିଷ୍ଟ୍ରାର ଅଫ୍‌ କମ୍ପାନୀ(ଆର୍‌ଓସି) ପକ୍ଷରୁ ଜେରା କରାଯାଇଛି। ପ୍ରାୟ ସାଢ଼େ ୩ ବର୍ଷ ଧରି ସିବିଆଇ ମାମଲାର ତଦନ୍ତ କରିବା ପରେ ନିକଟରେ ଚୂଡାନ୍ତ ଅଭିଯୋଗ ଫର୍ଦ ଦାଖଲ କରିସାରିଛି। ଦୀର୍ଘ ଦିନ ପରେ ସାଂସଦଙ୍କୁ ଜେରା କରାଯିବା ସମ୍ପର୍କରେ ତାଙ୍କ ଆଇନଜୀବୀ ଗୌରୀଶଙ୍କର ପାଣି କହିଛନ୍ତି, ଯେହେତୁ ସାଂସଦ ଶ୍ରୀ ହାଁସଦା ନବଦିଗନ୍ତ କମ୍ପାନୀର ଜଣେ ନିର୍ଦେଶକ ଭାବେ କାର୍ୟ୍ୟ କରୁଥିଲେ। ତାଙ୍କୁ କମ୍ପାନୀ ସମ୍ପର୍କରେ ଆର୍‌ଓସିର ଅଧିକାରୀମାନେ ପଚରାଉଚରା କରିଛନ୍ତି।
ଆର୍‌ଓସିର ୨ ଜଣ ଅଧିକାରୀ ଏ କେ ମହାପାତ୍ର ଓ ସୌରଭ ଏବଂ ଜଣେ କ୍ଷୀପ୍ରଲେଖକ ଜେଲ୍‌କୁ ଯାଇଥିଲେ। ସ୍ଥାନୀୟ ସ୍ୱତନ୍ତ୍ର ସିଜେଏମ୍‌(ସିବିଆଇ) ଆର୍‌ଓସିର ଅଧିକାରୀଙ୍କୁ ଜେରା ସମୟରେ ତାଙ୍କ ଆଇନଜୀବୀଙ୍କୁ ସେଠାରେ ଉପସ୍ଥିତ ରହିବାକୁ ଅନୁମତି ଦେଇଥିଲେ। ତେଣୁ ସେ ଜେରା ସମୟରେ ଉପସ୍ଥିତ ଥିବା ଗଣମାଧ୍ୟମକୁ କହିଥିଲେ। ଦୀର୍ଘ ଦିନ ପରେ ଆର୍‌ଓସି ପକ୍ଷରୁ ଏଭଳି ଜେରା କରାଯିବା ପଛରେ କ’ଣ କାରଣ ରହିଛି ତାହା ସେ ମଧ୍ୟ ବୁଝି ପାରି ନ ଥିଲେ। ଯେହେତୁ କମ୍ପାନୀ ବିରୋଧରେ ଠକେଇ ଅଭିଯୋଗ ରହିଛି, ତେଣୁ ଆର୍‌ଓସି ଏହାର ଅନୁଧ୍ୟାନ କରୁଛି। ଆର୍‌ଓସି ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇ ନ ଥିବା ଜଣାପଡିଛି।
ସାଂସଦ ଶ୍ରୀ ହାଁସଦାଙ୍କୁ ସିବିଆଇ ୨୦୧୪ ନଭେମ୍ବର ୪ରୁ ଗିରଫ କରିଥିଲା। ସିବିଆଇ ଗିରଫ କରିବା ପୂର୍ବରୁ ସାଂସଦ ଶ୍ରୀ ହାଁସଦାଙ୍କ ରାଇରଙ୍ଗପୁର ବାସଭବନ ଉପରେ ଚଢ଼ଉ କରି ୨୮ ଲକ୍ଷ ଟଙ୍କା ଜବତ କରିଥିଲା। ନବଦିଗନ୍ତର ମୁଖ୍ୟ ଅଞ୍ଜନ ବଳିଆରସିଂହ, ନିର୍ଦେଶକ ପ୍ରଦୀପ ପଟ୍ଟନାୟକ ଓ କାର୍ତ୍ତିକେୟ ପରିଡ଼ାଙ୍କୁ ଗିରଫ କରି ପଜଚରାଉଚରା କରିବା ପରେ ସିବିଆଇ ସାଂସଦ ଶ୍ରୀ ହାଁସଦାଙ୍କୁ ଗିରଫ କରିଥିଲା।

Leave A Reply