ରାତି ପାହିଲେ ହୋଇଥାନ୍ତା ପଞ୍ଚାୟତ ନିର୍ବାଚନ, ହେଲେ ସ୍ଥଗିତ ପାଇଁ ଜାରି ହେଲା ବିଜ୍ଞପ୍ତି
ଭୁବନେଶ୍ବର: ରାତି ପାହିଲେ ହୋଇଥାନ୍ତା ପଞ୍ଚାୟତ ନିର୍ବାଚନ, ହେଲେ ଆଜି ସ୍ଥଗିତ ରଖିବା ପାଇଁ ଜାରି ହେଲା ବିଜ୍ଞପ୍ତି। ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ଆକସ୍ମିକ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫଳରେ ଆସନ୍ତାକାଲି(ବୁଧବାର) ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖାଯାଇଛି। ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବା ନେଇ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସରପଞ୍ଚ ପ୍ରାଥୀ ସରୋଜ ସେଠଙ୍କ ମୃତ୍ୟୁ ଖବର ପାଇବା ପରେ ଭଟଲି ବିଡିଓ ତଥା ନିର୍ବାଚନ ଅଧିକାରୀ ଧୀରେନ୍ଦ୍ର କୁମାର ସେଠୀ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏନେଇ ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।
ବରଗଡ଼ ଜିଲା ଭଟଲି ବ୍ଲକ୍ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରୋଜ ସେଠ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଏହା ସତ୍ତ୍ୱେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ସେ ପ୍ରଚାର ପାଇଁ ଯାଇପାରୁନଥିଲେ। ତାଙ୍କ ସମର୍ଥକମାନେ ଘରକୁ ଘର ବୁଲି ତାଙ୍କ ପାଇଁ ପ୍ରଚାର କରୁଥିଲେ। ଏଥର ସରୋଜ ଜିତିବେ ବୋଲି ସାଥୀମାନେ ବେଶ୍ ଉତ୍ସାହିତ ଥିଲେ।
ଚାରି ଦିନ ତଳେ ସରୋଜ ସେଠ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକି୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଛି। ସରୋଜଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବୁଧବାର ହେବାକୁ ଥିବା ନିର୍ବାଚନକୁ ବନ୍ଦ କରାଯାଇଛି।
Comments are closed.