ମୁମ୍ବଇରେ ରେଳବାଇ ଚାକିରି ଆଶାୟୀଙ୍କ ବିକ୍ଷୋଭ
ମୁମ୍ବଇ : ରେଳବାଇରେ ଚାକିରି ପାଇବାକୁ ଆଶାୟୀ ଥିବା ସହସ୍ରାଧିକ ପ୍ରାର୍ଥୀଙ୍କ ବିକ୍ଷୋଭ ଯୋଗୁଁ ମଙ୍ଗଳବାର ମୁମ୍ବଇରେ ଲୋକାଲ ଟ୍ରେନ ସେବା ପ୍ରାୟ ଚାରିଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। କେନ୍ଦ୍ର ରେଳବାଇରେ ଚାକିରି ପାଇଁ ସେମାନେ ଯୋଗ୍ୟତା ଅର୍ଜନ କରିସାରିଥିଲେ ସୁଦ୍ଧା ସେମାନଙ୍କୁ ନିରାଶ କରାଯାଉଥିବାରୁ ଏହି ପ୍ରାର୍ଥୀମାନେ ମଙ୍ଗଳବାର ସକାଳ ୭ଟାରୁ ମାଟୁଙ୍ଗା-ଦାଦର ଲାଇନ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଲୋକାଲ ଟ୍ରେନ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଚାକିରିଆଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସେମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ। ବର୍ତ୍ତମାନ ମୁମ୍ବଇ ସମେତ ଭାରତର ଅନ୍ୟ ପ୍ରମୁଖ ସହରରେ ଓଲା, ଉବେର ଟ୍ୟାକ୍ସି ଚାଳକମାନେ ଧର୍ମଘଟ କରୁଥିବାରୁ ଚାକିରିଆଙ୍କ ଅବସ୍ଥା ଅଧିକ ବିପନ୍ନ ହୋଇପଡିଥିଲା। କେତେକ ବିକ୍ଷୋଭକାରୀ ଚଳନ୍ତା ଲୋକାଲ ଟ୍ରେନ ଉପରକୁ ଟେକାପଥର ଫୋପାଡିବାରୁ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା।