ତିଲେଶ୍ୱର ପଞ୍ଚାୟତ: ପ୍ରାର୍ଥୀଙ୍କୁ ଦ୍ୱନ୍ଦ୍ବରେ ପକାଇଛି ଭୋଟରଙ୍କ ନିରବତା
ହରଭଙ୍ଗା: ଆଉ ଦିନ କେଇଟା ପରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ମତଦାନ ସମୟ ପାଖେଇ ଆସୁଥିବାବେଳେ ସବୁଠି ଭୋଟରଙ୍କ ନୀରବତା ଏଥର ପ୍ରାର୍ଥୀଙ୍କୁ ଦ୍ୱନ୍ଦ୍ବରେ ପକାଇଛି। ଏଥର ନିର୍ବାଚନୀ ପାଣିପାଗ ସବୁ ପଞ୍ଚାୟତରେ ଏକ ପ୍ରକାର ପରିଲକ୍ଷିତ ହେଉଛି। କିଏ ଜିତିବି କିଏ ହାରିବ ତାକୁ ନେଇ ଯଦିଓ ରାଜନୈତିକ ଛକାପଞ୍ଝା ଲାଗିରହିଛି। ତଥାପି ଭୋଟରଙ୍କ ଖୋଲାଖୋଲି ସମର୍ଥନ କେଉଁଠି ବି ଦେଖିବାକୁ ମିଳୁନି। ସବୁ ଭୋଟର କାହାକୁ ସମର୍ଥନ କରିବେ ପ୍ରଶ୍ନର ଉତ୍ତରରେ ନିରବ ରହୁଛନ୍ତି। ଫଳରେ ପ୍ରାର୍ଥୀମାନେ ନିଜର ସମର୍ଥକ କିଏ ତାହା ଜାଣିପାରୁ ନାହାନ୍ତି। ଏହା ଭିତରେ ପ୍ରଚାର ସମୟ ଶେଷ ହୋଇ ଆସୁଥିବାବେଳେ ପ୍ରାର୍ଥୀଙ୍କ ସ୍ୱଛତାକୁ ନେଇ ଏଥର ଭୋଟର ଅଙ୍କକଷୁଥିବା ଚର୍ଚ୍ଚାର ବିଷୟ ହୋଇଛି। ୧୬ଟି ରାଜସ୍ୱ ଗ୍ରାମ ୧୫ଟି ଓାର୍ଡକୁ ନେଇ ତିଲେଶ୍ୱର ପଞ୍ଚାୟତ ଗଠିତ। ଏହି ପଞ୍ଚାୟତରେ ୧୭୧୨ପରିବାରରେ ୭ହଜାର୧୯ ଲୋକ ବସବାସ କରନ୍ତି। ସେଥିରୁ ଅନୁସୂଚିତଜାତି ବର୍ଗର ୨ହଜାର ୬୬ଜଣ, ଅନୁସୂଚିତଜନଜାତ ବର୍ଗର-୧୫୩ଜଣ, ଅନ୍ୟାନ୍ୟ ବର୍ଗର-୪ହଜାର୮ଶହ ରହିଛି।
ଏହି ପଞ୍ଚାୟତରେ ଭୋଟର ସଂଖ୍ୟା-୫ହଜାର୨୯୧ ରହିଛି। ଅନ୍ୟ ପଞ୍ଚାୟତ ଅପେକ୍ଷା ଏହି ପଞ୍ଚାୟତରେ ଏକ ସପ୍ତାହିକ ଗୋରୁ ହାଟ ରହିଛି। ସେଥିରୁ ପଞ୍ଚାୟତକୁ ବହୁତ ପରିମାଣରେ ରାଜସ୍ୱ ମିଳୁଛି। ମାତ୍ର ସେହି ଅନୁପାତରେ ପଞ୍ଚାୟତର ଆଶାନୁରୁପ ବିକାଶ ହୋଇପାରିନାହିଁ। ଏବେ ବି ଗାଁ ଗାଁରେ ପିଈବା ପାଣି, ରାସ୍ତା, ଶିକ୍ଷା , ସ୍ୱାସ୍ଥ୍ୟ ଭଳି ସମସ୍ୟା ରହିଛି। ପଞ୍ଚାୟତରେ ଅଧିକାଂଶ ଲୋକ କୃଷି, ଦିନ ମଜୁରୀ ଉପରେ ନିର୍ଭର କରନ୍ତି। ମାତ୍ର ଶ୍ରମଜୀବୀ ପରିବାର ଲୋକେ ମନରେଗା କାମ କ’ଣ ଜାଣନ୍ତି ନାହିଁ। ଏଥର ସରପଞ୍ଚ ଆସନ ଅନୁସୂଚିତଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଆସନ ପାଇଁ ଯାମିନୀ ବେହେରା, ଝୁନୁ ବେହେରା, ଶୈଳବାଳା ବେହେରା ଭଳି ତିନି ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ପଞ୍ଚାୟତର ପୂର୍ଣ୍ଣାଙ୍ଗ ବିକାଶ ମୁଦା ନେଇ ସମସ୍ତେ ଭୋଟରଙ୍କ ପାଖକୁ ଯାଉଥିବାବେଳେ ଭୋଟର କାହାକୁ ଏଥର ନିର୍ବାଚିତ କରୁଛନ୍ତି ତାକୁ ନେଇ ଅଙ୍କକଷା ଚାଲିଛି।
Comments are closed.