ରେଙ୍ଗାଲି ନିର୍ବାଚନ ମଣ୍ଡଳିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ବିଜେଡି-ବିଜେପିରେ ଅସନ୍ତୁଷ୍ଟ ସମସ୍ୟା
ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବାକୁ ବିଜେଡି, ବିଜେପି, କଂଗ୍ରେସ ଆଦି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଲେଣି। ପ୍ରାରମ୍ଭିକ ପ୍ରଚାର କାର୍ଯ୍ୟ ମଧ୍ୟ ତିନି ପ୍ରମୁଖ ଦଳ ଆରମ୍ଭ କରିଦେଇଛନ୍ତି। ରେଙ୍ଗାଲି ନିର୍ବାଚନ ମଣ୍ଡଳିରେ ରେଙ୍ଗାଲି ବ୍ଳକର ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଧନକଉଡା ବ୍ଳକର ମଧ୍ୟ ଦୁଇଟି ଜିଲା ପରିଷଦ ଜୋନ୍ ଥିବା ବେଳେ ମାନେଶ୍ୱର ବ୍ଳକର ଗୋଟିଏ ଜିଲା ପରିଷଦ ଜୋନ୍ ମୋଟ ୫ଟି ଜିଲା ପରିଷଦ ଜୋନ୍ ରହିଛି। ବିଜେଡିର ବିଧାୟକ ଥାଇ ସୁଦ୍ଧା ଗତ ଜିଲା ପରିଷଦ ନିର୍ବାଚନ ରେ ବିଜେଡିକୁ ବାଜିମାତ୍ ଦେଇ ବିଜେପି ଦଳ ପ୍ରାର୍ଥୀ ବିଜୟୀ ହୋଇ ୫ଟି ଯାକ ଜୋନରେ ଜିଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ଜିଲା ପରିଷଦ ଗଠନ ହେବା ପରେ ଅନୁଷ୍ଠିତ ନିର୍ବାଚନ ପ୍ରଥମ ନିର୍ବାଚନରେ ରେଙ୍ଗାଲି ଜୋନ୍ ୧ରେ ସିପିଆଇ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଏହାପରେ ଲଗାତାର ଦୁଇ ଥର କଂଗ୍ରେସ ଏବଂ ବିଜେଡି ଗୋଟିଏ ଥର ଓ ବିଜେପି ମଧ୍ୟ ଗୋଟିଏ ଥର ନିର୍ବାଚନ ଜିତିଛି। ଜୋନ୍ (୨)ରେ ପ୍ରଥମ ଥର ଜନତାଦଳ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଲଗାତାର ତିନିଥର ଏବଂ ଗୋଟିଏ ଥର ବିଜେପି ନିର୍ବାଚନ ଜିତିଛି। ନିର୍ବାଚନ ମଣ୍ଡଲି ଅଧିନରେ ଥିବା ମାନେଶ୍ୱର ଜୋନ୍ (୧) ପ୍ରଥମେ ଜନତା ଦଈଳ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଲଗାତାର ୩ଥର ଏବଂ ଗୋଟିଏ ଥର ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଧନକଉଡା ଜୋନ୍(୧)ରେ କଂଗ୍ରେସ ୩ଥର ନିର୍ବାଚନ ଜିତିଥିବା ବେଳେ ବିଜେପି ଦୁଇଥର ନିର୍ବାଚନ ଜିତିଛି। ଧନକଉଡା ଜୋନ୍ (୨ରେ ୪ଥର ଥର ବିଜେପି ଏବଂ ଗୋଟିଏ ଥର ବିଜେଡି ନିର୍ବାଚନ ଜିତିଛି। ଗତ ଜିଲା ପରିଷଦ ନିର୍ବାଚନ ସମୟରେ ବିଧାୟକ ଥିଲେ ବିଜେଡି ଦଳ ରମେଶ ପଟୁଆ ଏଥର ଏହି ନିର୍ବାଚନ ମଣ୍ଡଳିରେ ବିଜେପି ଦଳର ବିଧାୟକ ଅଛନ୍ତି ବିଜେପିର ନାଉରି ନାୟକ। ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଶୋଚନୀୟ ଭାବରେ ପରାଜିତ ହେଲା ପରେ ବିଧାନ ସଭା ନିର୍ବାଚନରେ ମଧ୍ୟ ବିଜେପି ଠାରୁ ବିଜେଡି ପରାଜିତ ହୋଇଥିଲା।
ଏଣୁ ଜିଲା ପରିଷଦ ନିର୍ବାଚନକୁ ବିଧାନ ସଭା ନିର୍ବାଚନ ର ସେମିଫାଇନାଲ୍ ଅଟେ ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ ମହଲରେ ମତପ୍ରକାଶ ପାଉଛି। ବିଜେଡି ଦଳ ଗତ ନିର୍ବାଚନରେ ହୋଇଥିବା ପରାଜୟର ପ୍ରତିଶୋଧ ନେବାପାଇଁ ଚଳିତ ନିର୍ବାଚନ ରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଦୁଇ ଜଣମନ୍ତ୍ରୀ, ଜଣେ ବିଧାୟକ, ପୂର୍ବତନ ବିଧାୟକ, ଜିଲା ସଭାପତିଏବଂ ଦଳିୟ ପର୍ଯ୍ୟବେକ୍ଷକ, ଜିଲା ସଭାପତି ଏହି ନିର୍ବାଚନରେ ବିଜେପିକୁ ପରାସ୍ତ କରି ଦଳିୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଜୋରଦାର୍ ପ୍ରୟାସ କରୁଛନ୍ତି। ବିଜେପି ଦଳ ମଧ୍ୟ ବିଜେଡିକୁ ପୁଣି ଥରେ ପରାସ୍ତ କରି ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ସ୍ୱତନ୍ତ୍ର ରଣ ନୀତି ପ୍ରସ୍ତୁତ କରି ସମ୍ବଲପୁର ଏବଂ ରେଙ୍ଗାଲି ବିଧାୟକ, ସଙ୍ଗଠନର ଦକ୍ଷ କର୍ମକର୍ତ୍ତା ମାନଙ୍କୁ ନେଇ ଜୋରଦାର ପ୍ରୟାସ ଜାରି ରଖିଛି। କିନ୍ତୁ ଉଭୟ ଦଳ ପାଇଁ ଟିକେଟ୍ ନପାଇ ଅସନ୍ତୁଷ୍ଠ ଆଶାୟୀ ଏବଂ ଗୋଷ୍ଠି କନ୍ଦଳ ମୁଖ୍ୟ ସମସ୍ୟା ତଥା ହାଇକମାଣ୍ଡ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଜେପି ଅପେକ୍ଷା ବିଜେଡି ଦଳରେ ବିଭିନ୍ନ ଜୋନରେ ଟିକେଟରୁ ବଞ୍ଚିତ ଥିବା ଅସନ୍ତୁଷ୍ଠ ଅଶାୟୀଙ୍କ ସଂଖ୍ୟା ବେଶୀ ଏବଂ ଗୋଷ୍ଠି କନ୍ଦଳ ମଧ୍ୟ ବେଶି ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀ ରେ ଉଭୟ ଦଳ ରେ ଥିବା ଅସନ୍ତୁଷ୍ଠ ମାନେ ଅର୍ନ୍ତଘାତି କାର୍ଯ୍ୟ କରି ଦଳିୟ ପ୍ରାର୍ଥୀଙ୍କ ପରାଜୟର କାରଣ ସାଜିବାର ଆଶଙ୍କା ଥିବାରୁ ଗୋଷ୍ଠୀ କନ୍ଦଳ ପରାଜୟର କାରଣ ହେବାର ସମ୍ଭାବନାକୁ ଏଡାଇ ଦିଅଯାଇ ନପାରେ ବୋଲି ମତପ୍ରକାଶ ପାଇଛି। ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ସହିତ ଗୋଷ୍ଠୀ କନ୍ଦଳର ସମାଧାନ କରି ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଉଭୟ ଦଳ ବ୍ୟାପକ ଚେଷ୍ଟା ଚଲାଇଛନ୍ତି। ଇତି ମଧ୍ୟରେ ବିଜେଡିରୁ ଟିକେଟ୍ ପାଇବାକୁ ଆଶା ରଖି ନିରାଶ ହୋଇଥିବା ଆଶାୟୀମାନଙ୍କୁ ନିର୍ବାଚନ ପରିଚାଳନା କମିଟିର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯାଇ ନିରାଶ ଆଶୟୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରାଯାଇଥିବାର ଜଣାପଡିଛି। ବିଜେପି ପକ୍ଷରୁ ମଧ୍ୟ ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ପ୍ରୟାସ ଜାରି ରହିଛି। କେଉଁ ଦଳ ଗୋଷ୍ଠୀକନ୍ଦଳକୁ କେତେ ପ୍ରଶମିତ କରିପାରିବ ଏବଂ ଟିକେଟରୁ ବଞ୍ଚିତ ହୋଇଥିବା ଅସନ୍ତୁଷ୍ଟ ଆଶୟୀଙ୍କୁ ସନ୍ତୁଷ୍ଟ କରିବାରେ କେତେ ସଫଳ ହେବ ଆକଳନ କରିବା ମୁସ୍କିଲ୍।
ଅପରପକ୍ଷରେ ଏକଦା ସମ୍ବଲପୁର ଜିଲା ପରିଷଦର ମୋଟ ୧୮ରୁ ୧୫ ଆସନ ଜିତି ଜିଲା ପରିଷଦ ଗଠନ କରିଥିବା କଂଗ୍ରେସ ଦଳର ସ୍ଥିତି ପୂର୍ବାପେକ୍ଷା ଦୁର୍ବଳ ଥିଲେ ମଧ୍ୟ ଦଳ ର ପାରମ୍ପାରିକ ଭୋଟ ଏବଂ ବିଜେଡି ଓ ବିଜେପି ଦଳ ରେ ଦେଖାଇଥିବା ଗୋଷ୍ଠି କନ୍ଦଳ ଓ ଅସନ୍ତୁଷ୍ଠ ଅଶାୟୀ ତଥା ଉଭୟ ଦଳ ଉପରେ ବିତସ୍ପୃହ ହୋଇ ପଡିଥିବା ଭୋଟର ମାନଙ୍କୁ ଅଧାର କରି ନିର୍ବାଚନ ମଇ୍ଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି। ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଜିଲା ସଭାପତି ଅଶ୍ୱିନୀ ଗୁରୁ, ଜିଲା ସମ୍ପାଦକ ସୁବାସ ବିଶ୍ୱାଳ ପ୍ରମୁଖ ଦଳୀୟ ପ୍ରଚାର ପାଇଁ ବାହାରିଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ତାରିଖ ପାଖେଇ ଆସିଲେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ବହୁ ତୁଙ୍ଗ ନେତା ନିର୍ବାଚନ ପ୍ରଚାର ପାଇଁ ଆସିବେ ବୋଲି କୁହାଯାଉଛି। ଦଳର ସ୍ଥିତି ଏବଂ ସମ୍ମାନ ରକ୍ଷା ପାଇଁ ବିଜେଡି ଏବଂ ବିଜେପିରେ ଥିବା ଅସନ୍ତୁଷ୍ଟ ଅଶାୟୀ ଏବଂ ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇବାରେ କଂଗ୍ରେସ କେତେ ସଫଳ ହେବ ତହା ଦଳର ନେତୃମଣ୍ଡଳୀର ରଣନୀତି ତଥା ଗୋଟି ଚାଳନା ଉପରେ ନିର୍ଭର କରୁଛି ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଉଛି।
Comments are closed.