ପଞ୍ଚାୟତ ନିର୍ବାଚନ: ବିଜେଡି ପାଇଁ ବିପଦ ଆଦିବାସୀ!
ଫାଇଦା ନେବାକୁ ଗୋଡ କାଢି ବସିଛି କଂଗ୍ରେସ ଓ ବିଜେପି
ବଲାଙ୍ଗିର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗଣିତ ସେତେ ଜଟିଳ ହେଉଛି ଶାସକ ଦଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ବଳ କୁହାଯାଉଛି। ସଂରକ୍ଷଣ ବିବାଦ ଓ ଆଦିବାସୀ ଉପେକ୍ଷାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ବଲାଙ୍ଗିର ଜିଲାରେ ଆଦିବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। କେଉଁଠି ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ତ କେଉଁଠି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଏତିକିରେ ସୀମିତ ନରହି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ନାହିଁ ଘୋଷଣା କରିଥିଲେ। କିଛି ପ୍ରାର୍ଥୀ ସଂଘ ନିଷ୍ପତ୍ତିକୁ ବେଖାତିର କରି ନାମାଙ୍କନ ଦାଖଲ କରିଥିଲେ। ସେମାନଙ୍କୁ ସଂଗଠନ ବିରୋଧୀ ଦର୍ଶାଇବା ସହ ଏହାର ସଠିକ୍ ସମୟରେ ଜବାବ ଦିଆଯିବ ବୋଲି ଚେତାବନୀ ମଧ୍ୟ ଶୁଣାଇଛନ୍ତି ଆଦିବାସୀ ସଂଘ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ଆଦିବାସୀ ବିପଦ ହେବେ ଆକଳନ କରାଯାଉଛି। ଆଉ ଏହାର ଭରପୁର ଫାଇଦା ନେବାକୁ ଗୋଡ କାଢି ବସିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ବୋଲି ଜିଲାରେ ଚର୍ଚ୍ଚା ଚାଲିଛି।
ବଲାଙ୍ଗିର ଜିଲାର ପୂର୍ବ ସଂରକ୍ଷଣ ତାଲିକା ଅନୁସାରେ ସମିତି ସଭ୍ୟ ଓ ସରପଞ୍ଚ ଭାବରେ ଅନୁସୂଚିତ ଜନଜାତି(ଏସ୍ଟି)ଙ୍କ ପାଇଁ ୭୨ଟି ଲେଖାଏଁ ପଦ ସଂରକ୍ଷିତ ରହିଥିଲା। ସେହିପରି ୩ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ହେବାର ସୁଯୋଗ ସହ ୩୪ ଜିଲା ପରିଷଦ ଆସନରୁ ୮ଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ କରାଯାଉଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଏଥର ସଂରକ୍ଷଣ ତାଲିକା ଘୋଷଣା ପରେ ସବୁ ଗଣିତ ଓଲଟ ପାଲଟ ହୋଇଯାଇଛି। ଆଦିବାସୀ ସଂଘ ରାସ୍ତାକୁ ଓହ୍ଲାଇ ସଶସ୍ତ୍ର ବିକ୍ଷୋଭ କରିଥିଲା। ଜିଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଥିଲା। ହେଲେ ଏହାକୁ ଖାତିର କଲେନି ସରକାର। ପୂର୍ବ ଭଳି ନିର୍ବାଚନ ପ୍ରକ୍ରିୟା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଲେ। ଯାହା କଟା ଘା’ରେ ଚୂନ ଭଳି ହୋଇଥିଲା ଆଦିବାସୀଙ୍କ ପାଇଁ। ପଞ୍ଚାୟତ ସମିତିରୁ ଆରମ୍ଭ କରି ପଞ୍ଚାୟତ ଯାଏ ଆନ୍ଦୋଳନକୁ ଜାରି ରଖିଥିଲେ ଆଦିବାସୀ ଭାଇ ଓ ଭଉଣୀମାନେ। ତେବେ ସଂଶୋଧିତ ତାଲିକାରେ ୭୨ଟି ସମିତି ସଭ୍ୟ ଆସନରେ ଆଦିବାସୀମାନେ ଲଢିପାରିବେ ହେଲେ ସରପଞ୍ଚ ପଦରେ ଲଢିପାରିବେ ନାହିଁ ବୋଲି ଜଣାପଡିଥିଲା। ସେହିପରି ୮ଟି ଜିଲା ପରିଷଦ ଆସନରେ ଅନୁସୂଚିତ ଜନଜାତିର ଲୋକେ ପ୍ରାର୍ଥୀ ହୋଇପାରିବେ ବୋଲି ଘୋଷଣା କରିଥିଲେ।
ସରକାରୀ ଘୋଷଣା ପରେ ପଞ୍ଚାୟତ ସମିତିଗୁଡ଼ିକରେ ଆଦିବାସୀ ସଂଘର ବୈଠକ କରାଯାଇ କୌଣସି ବ୍ୟକ୍ତି ନାମାଙ୍କନ ଦାଖଲ କରିପାରିବେ ନାହିଁ ବୋଲି ଏକ ସ୍ୱରରେ ରାଜି ହୋଇଥିଲେ। ତେବେ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା। ଦେଓଗାଁର ୧୨ ନମ୍ବର ଜିଲା ପରିଷଦ ଆସନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମମତା କୁମୁରାଙ୍କୁ ସଂଘର ବାରଣ ପରେ ବି ସେ ନାମାଙ୍କନ ଦାଖଲ କଲେ। ତାଙ୍କୁ ଜାତି ଭାଇ ସାମାଜିକ ବାସନ୍ଦ କରିଥିଲେ। ତେବେ ଗତ ୨୫ ତାରିଖରେ ଶ୍ରୀମତୀ କୁମୁରାଙ୍କ ଶାଶୁ ସୌଦାମିନୀଙ୍କର ମୃତ୍ୟୁ ହେବା ଯୋଗୁଁ ଜାତି ଭାଇ ପାଖ ମାଡି ନଥିଲେ। ଶେଷରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଶେଷକୃତ୍ୟରେ ଯୋଗଦେବେ। କିନ୍ତୁ ସାମାଜିକ ଭୋଜିରେ କେହି ସାମିଲ ହେବେ ନାହିଁ। ୭ ଘଣ୍ଟା ପରେ ଉଠିଥିଲା ଶବ। ସେହିପରି ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଲୋଇସିଂହା ୩୪ ନମ୍ବର ଆସନରୁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସଂଘ ନିଷ୍ପତ୍ତିରେ ରାଜି ହୋଇ ଆସିଥିଲେ। କିନ୍ତୁ ଶେଷ ସମୟ ଯାଏ ବିଜେଡି ପ୍ରାର୍ଥୀ ଧରାଛୁଆଁ ଦେଲେ ନାହିଁ କି ପ୍ରତ୍ୟାହାର ପାଇଁ ଆସିଲେ ନାହିଁ। ଯଦି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଉଛନ୍ତି ତା’ହେଲେ ବିଜେଡି ଏହି ଆସନ ଏକାକୀ ବାଜି ମାରିନେବ।
ଜିଲାରେ ଅନୁସୂଚିତ ଜନଜାତି(ଆଦିବାସୀ) ଭୋଟରଙ୍କ ସଂଖ୍ୟା ୩ଲକ୍ଷ ୩୪ ହଜାର ପ୍ରାୟ। ବର୍ତ୍ତମାନ ସଂଘର ଆଭିମୁଖ୍ୟ ବଦଳିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ଆଦିବାସୀଙ୍କୁ ସମର୍ଥନ ଦିଅ ନାହିଁ କି ଗାଁରେ ପୂରାଅ ନାହିଁ। ଗାଁରେ ପଶିଲେ ସଂରକ୍ଷଣ କାହିଁକି ପ୍ରତ୍ୟାହାର କଲ ତାର ଜବାବ ମାଗିବାକୁ ଲୋକଙ୍କୁ କୁହାଯାଉଛି। ଅନ୍ୟପଟେ ବିଜେଡି ବିରୋଧୀ ହୋଇ ଉଠିଥିବା ଆଦିବାସୀ ଦଳ ପାଇଁ ଏବେ ବିପଦ ସୃଷ୍ଟିକାରୀ ସାଜିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଏହା ବିଜେଡ଼ି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।
Comments are closed.