ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର, ଦେଖିପାରିବେ ଓରାଓଁ ଜନଜାତିଙ୍କ ପର୍ବପର୍ବାଣି ଓ ବେଶଭୂଷା
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଜାନୁଆରୀ ୩୦ରେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଓରାଓଁ ଜନଜାତିଙ୍କର ପରମ୍ପରା ଓ ସଂସ୍କୃତିର ନିଦର୍ଶନ ବିଭିନ୍ନ ପର୍ବପର୍ବାଣି ଓ ବେଶଭୂଷା ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ଓରାଓଁମାନେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଛତିଶଗଡ଼ ଓ ମହାରାଷ୍ଟ୍ରରେ ବାସ କରିଥାନ୍ତି। ଓଡ଼ିଶାର ଓରାଓଁମାନେ କୃଷିଜୀବୀ ସଂପ୍ରଦାୟର। ସେମାନେ କୃଷିରେ ଆଧୁନିକ ଉପକରଣ ଯଥା: ସାର, କୀଟନାଶକ ଓ ଉନ୍ନତ ମାନର ମଂଜିର ଉପଯୋଗ କରିଥାନ୍ତି। ସେମାନଙ୍କ ଘରଗୁଡ଼ିକ ବେଶ୍ ପ୍ରଶସ୍ତ। ଓରାଓଁ ଜନଜାତିଙ୍କ ଘର ସମ୍ମୁଖ ଓ ପଛପଟେ ଅଗଣା ଥାଏ। ଓରାଓଁମାନେ ମାନବ ଜୀବନ ଓ ପ୍ରକୃତି ସହିତ ସଂପର୍କ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହାକୁ ସେମାନେ ସାମାଜିକ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ କରିଥାନ୍ତି। ବିଭିନ୍ନ ଋତୁ ପରିବର୍ତ୍ତନ ସହ ସେମାନେ ନୃତ୍ୟ ଓ ସଂଗୀତ ଉତ୍ସବ ପାଳନ କରି ଆନନ୍ଦିତ ହୁଅନ୍ତି। ସେଥି ମଧ୍ୟରେ ଗୋଉତ୍ସବ ବା ଗୋପୂଜା ଅନ୍ୟତମ।
ଓରାଓଁମାନଙ୍କର ପାରମ୍ପରିକ ପୋଷାକ ନାଲି ଧଡ଼ି ବୁଣା ବା ମୋଟା ଖଦଡ଼ରେ ତିଆରି ହୋଇଥାଏ। ପୁରୁଷମାନେ ଲିଅନ୍ କପଡ଼ା ବା କେରିଆ ପରିଧାନ କରୁଥିବାବେଳେ ମହିଳାମାନେ କାନାରିଆ ପରିଧାନ କରିଥାନ୍ତି। ଉଭୟ ପୋଷାକ ସ୍ଥାନୀୟ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଓରାଓଁ ଜନଜାତିର ପୁରୁଷମାନେ ବେଳେବେଳେ ପଗଡ଼ି ବ୍ୟବହାର କରୁଥିବାବେଳେ ମହିଳାମାନେ ଅଳଙ୍କାର ବ୍ୟବହାର କରିଥାନ୍ତି, ଯାହାକି ମୂଲ୍ୟବାନ ଧାତୁ କିମ୍ବା ପିତ୍ତଳରେ ତିଆରି ହୋଇଥାଏ। ସଂପ୍ରତି, ଏହି ଜନଜାତି ପାରମ୍ପରିକ ପୋଷାକ ସହିତ ପ୍ୟାଣ୍ଟ, ସାର୍ଟ ଓ ସିନ୍ଥେଟିକ୍ ଶାଢ଼ି ପରିଧାନ କରୁଛନ୍ତି। ନୃତ୍ୟ ସମୟରେ ସେମାନେ ନକଲି ପଇସାରେ ତିଆରି ହାର ଓ ବାହୁବନ୍ଧରେ ସଜାଇ ହୋଇଥାନ୍ତି।
Comments are closed.