ସମ୍ବଲପୁର: ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରେ ମହାନ ବିପ୍ଲବୀ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜନ୍ମ ବାର୍ଷିକୀ ପ୍ରବାସୀ ଓଡିଆଙ୍କ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ‘ଜୁହାର ପରିବାର’ ପକ୍ଷରୁ ଶୌର୍ଯ୍ୟ ଓ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଇଛି। ରବିବାର ଏହି ଅବସରରେ ଆଭାଷି ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ରୂପେ ବିଶିଷ୍ଟ ଲେଖକ ଓ ଐତିହାସିକ ଡ. ଜିତାମିତ୍ର ପ୍ରସାଦ ସିଂଦେଓ, ଇତିହାସ ଗବେଷକ ଦୀପକ କୁମାର ପଣ୍ଡା, ଶିକ୍ଷାବିତ ସୁଜିତ ପୃଷେଠ, ମୋହନ ସାହୁ ଓ ଅଶୋକ କୁମାର ପୁଜାହାରୀ ଯୋଗ ଦେଇଥିଲେ। ଅତିଥି ରୁପେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଜୟଦେବ ଷଡଙ୍ଗୀ, ବରିଷ୍ଠ ସମ୍ପାଦକ ସାମ୍ବାଦିକ ବାମାପଦ ତ୍ରିପାଠୀ ଓ ବରିଷ୍ଠ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଯୋଗ ଦେଇଥିଲେ। ଅତିଥି ଓ ବକ୍ତା ମାନେ ସୁରେନ୍ଦ୍ର ସାଏ ଙ୍କ ଜୀବନ ଓ ସଂଗ୍ରାମର ବିଭିନ୍ନ ଦିଗ ସର୍ମ୍ପକରେ ଆଲୋଚନା କରିଥିଲେ।
ଏହା ସହିତ ତାଙ୍କର ସଂଗ୍ରାମ ଓ ସହଯୋଗୀ ମାନଙ୍କର ସର୍ମ୍ପକରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି ବୋଲି ଅତିଥି ଓ ବକ୍ତାଗଣ ମତପ୍ରକାଶ କରିଥିଲେ। ଏହି ଅବସରରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ନିଜର ସୁନ୍ଦର ସାଏ କବିତା ଆବୃତ୍ତି କରିଥିଲେ। ନାଟ୍ୟ ମହର୍ଷି ଭଗବାନ ସାହୁ ଙ୍କ ଐତିହାସିକ ଚୌହାନ ବୀର ସୁନ୍ଦର ସାଏ ନାଟକରେ ଅଭିନୟ କରିଥିବା ବରଗଡ଼ କୁମ୍ଭାରୀ ର ଭୁବନ ଭୋଇ ନାଟକର କିଛି ଅଂଶ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମକୁ ଜୁହାର ପରିବାରର ସଦସ୍ୟ ମହେଶ ଠାକୁର ଓ ସର୍ବେଶ୍ୱର ପଧାନ ସଂଯୋଜନା କରିଥିଲେ। ବାସୁଦେବ ତ୍ରିପାଠୀ ସ୍ୱାଗତ ଭାଷାଣ ପ୍ରଦାନ କରିଥିବା ବେଳେ ବିଜୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ୨ ଶତରୁ ଉର୍ଦ୍ଧ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜୁହାର ପରିବାର ଦିଲ୍ଲୀର ସଦସ୍ୟ ମାନେ ସକାଳ ସମୟରେ ସମ୍ବଲପୁର, ବୁର୍ଲା, ଝାରସୁଗୁଡା, ସୁବର୍ଣ୍ଣପୁର ରେ ଥିବା ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାନ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ, ପ୍ରଖ୍ୟାତ ଗୀତିକାର ଲାଲ ରତ୍ନାକର ସିଂ, ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଓ ଅଭିନେତା ମିହିର ଦାସ ଙ୍କୁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।



