ଖାଲେଦାଙ୍କ ଜାମିନ ସୁପ୍ରିମକୋର୍ଟରେ ଖାରଜ

0

ଢାକା : ବାଂଲାଦେଶ ସୁପ୍ରିମକୋର୍ଟ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଜାମିନକୁ ଖାରଜ କରିଦେଇଛନ୍ତି। ଆସନ୍ତା ମେ’ ୩୧ ପର୍ଯ୍ୟନ୍ତ ଖାଲେଦାଙ୍କୁ ଜାମିନ ମିଳିବା ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ଫଳରେ ଖାଲେଦା ଜେଲରୁ ମୁକୁଳିବା ଅସମ୍ଭବ ହୋଇପଡିଛି। ହାଇକୋର୍ଟ ଗତ ସପ୍ତାହରେ ଖାଲେଦାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ। ସୁପ୍ରିମକୋର୍ଟଙ୍କ ଏତାଦୃଶ ନିଷ୍ପତ୍ତିକୁ ଖାଲେଦାଙ୍କ ନେତୃତ୍ୱାଧୀନ ବିଏନ୍‌ପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି) ପ୍ରତିବାଦ କରିଛି। ସରକାରଙ୍କ ଚାପ ବଳରେ ସୁପ୍ରିମକୋର୍ଟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଅର୍ଥ ହେରଫେର ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଢାକାର ଏକ ଅଦାଲତ ଗତମାସରେ ଖାଲେଦାଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଆସନ୍ତା ଡିସେମ୍ବରରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କ୍ଷମତାସୀନ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍‌ ପକ୍ଷରୁ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଜେଲରେ ବନ୍ଦୀ କରାଯାଉଥିବା ଅଭିଯୋଗ ହୋଇଛି।

Leave A Reply