ତୃତୀୟ ସାମ୍ମୁଖ୍ୟର ଘୋଷଣା କଲେ ମମତା-ଚନ୍ଦ୍ରଶେଖର
କଲକାତା : ବିଜେପି ଓ କଂଗ୍ରେସକୁ ବାଦ୍ ଦେଇ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଙ୍ଗଳବାର ଆଲୋଚନା କରିଛନ୍ତି। କଂଗ୍ରେସ ଓ ବିଜେପି ଠାରୁ ଦୂରେଇ ରହିଥିବା ସମଭାବାପନ୍ନ ଦଳଗୁଡିକୁ ନେଇ ଏହି ସାମ୍ମୁଖ୍ୟ ଗଠନ କରିବାକୁ ଉଭୟ ନିଷ୍ପତ୍ତି ନେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ସାମ୍ମୁଖ୍ୟ ଗଠନ କରାଯିବ। ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ; ମାତ୍ର ଆଜି ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏପରିକି ଆଗାମୀ ଦିନରେ ଏହି ସାମ୍ମୁଖ୍ୟରେ ଶିବସେନା, ଡିଏମ୍କେ, ଆପ୍ ଭଳି ଦଳଗୁଡିକୁ ସାମିଲ କରିବାକୁ ମମତା ଯୋଗାଯୋଗ ଚଳାଇଛନ୍ତି। ନିକଟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ୱାରା ଆୟୋଜିତ ନୈଶ ଭୋଜିରୁ ମମତା ନିଜକୁ ଦୂରେଇ ରଖିବାର ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହୋଇଛି।