ଜୁନିୟର ବର୍ଗରେ ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ

0

ଚାଙ୍ଗ୍‍ୱନ(ଦକ୍ଷିଣ କୋରିଆ) : ଏଠାରେ ଚାଲିଥିବା ଆଇଏସଏସଏଫ୍‍ ବିଶ୍ୱ ଚମ୍ପିଆନସିପ୍‍ ସୁଟିଂରେ ଗୁରୁବାର ଭାରତକୁ ଜୁନିୟର ବର୍ଗରେ ଆଉ ୨ଟି ସ୍ୱର୍ଣ୍ଣପଦକ ମିଳିଛି। ଜୁନିୟର ପୁରୁଷ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଉଦୟବୀର ସିଂହ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ୨୫ ମିଟର ପିସ୍ତଲ ଦଳଗତ ଇଭେଣ୍ଟରେ ମଧ୍ୟ ଭାରତକୁ ଅନୁରୂପ ସଫଳତା ମିଳିଛି। ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ୧୬ ବର୍ଷୀୟ ଉଦୟବୀର ୫୮୭ ପଏଣ୍ଟ (ପ୍ରିସିସନ-୨୯୧ ଓ ର‍୍ୟାପିଡ-୨୯୬) ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଆମେରିକାର ହେନେରୀ ଲେଭେରେଟ୍‍ଙ୍କୁ ରୌପ୍ୟ ଓ ଦକ୍ଷିଣ କୋରିଆର ଲି ଜ୍ୟାକୟୁନ୍‍ଙ୍କୁ ବ୍ରୋଞ୍ଜପଦକ ମିଳିଛି। ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ଭାରତୀୟ ସୁଟର ବିଜୟବୀର ସିଧୁଙ୍କୁ ୪ର୍ଥ ଓ ରାଜକୁଅଁର ସିଂହ ସାନ୍ଧୁଙ୍କୁ ୨୦ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି।
ଅପରପକ୍ଷରେ ଉଦୟବୀର ସିଂହ, ବିଜୟବୀର ସିଧୁ ଓ ରାଜକୁଅଁର ସିଂହ ସାନ୍ଧୁ ପୁରୁଷ ୨୫ ମିଟର ପିସ୍ତଲ ଦଳଗତ ଇଭେଣ୍ଟରେ ମୋଟ ୧୭୩୬ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିବାସହ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଚୀନକୁ ରୌପ୍ୟ (୧୭୩୦) ଓ ଦକ୍ଷିଣ କୋରିଆକୁ ବ୍ରୋଞ୍ଜପଦକ (୧୭୨୧) ମିଳିଛି। ଜୁନିୟର ସୁଟରଙ୍କୁ ଗୋଟିଏପଟେ ସ୍ୱର୍ଣ୍ଣଦପକ ସଫଳତା ମିଳିଥିବାବେଳେ ଅନ୍ୟପଟରେ ଭାରତର ସିନିୟର ସୁଟର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ସ୍କିଟ୍‍ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସିରାଜ ଶେଖ୍‍ ୮ମ ସ୍ଥାନ ଅଧିକାର କରିଥିବାବେଳେ ଅଙ୍ଗଦବୀର ସିଂହଙ୍କୁ ୬୯ ଓ ମୈରାଜ ଅହମ୍ମଦଙ୍କୁ ୭୯ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଦଳଗତ ସ୍କିଟ୍‍ ଇଭେଣ୍ଟରେ ସିରାଜ୍‍, ଅଙ୍ଗଦବୀର ଓ ମୈରାଜ୍‍ଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୩୭ ପଏଣ୍ଟ ସ୍କୋର କରି ୧୬ଶ ସ୍ଥାନ ଅଧିକାର କରିଛନ୍ତି। ସିନିୟର ପୁରୁଷ ୨୫ ମିଟର ସେଣ୍ଟର ଫାୟାର ପିସ୍ତଲ ଇଭେଣ୍ଟରେ ଗୁରପ୍ରୀତ ସିଂହ ୧୦ମ, ଲଣ୍ଡନ ଅଲିମ୍ପିକ୍‍ସର ରୌପ୍ୟପଦକ ବିଜେତା ବିଜୟ କୁମାର ୨୪ତମ ଓ ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବା ଅନିସ ଭାନ୍‍ୱାଲା୨୫ତମ ସ୍ଥାନ ଅଧିକାର କରିଛନ୍ତି। ଦଳଗତ ଇଭେଣ୍ଟରେ ଏହି ତିନିଜଣ ସୁଟର ୧୭୩୩ ପଏଣ୍ଟ ସ୍କୋର କରି ୪ର୍ଥ ସ୍ଥାନରେ ରହିବା ଫଳରେ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ସୁଦ୍ଧା ଭାରତ ୯ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ସମେତ ମୋଟ ୨୪ଟି ପଦକ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଦୁଇ ଭାରତୀୟ ମହିଳା ସୁଟର ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Leave A Reply