ନନ୍ଦନକାନନ: ଏଣିକି ସନ୍ଧ୍ୟା ୬ଟାପରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ନନ୍ଦନକାନନ ପ୍ରାଣୀଉଦ୍ୟାନ ନିର୍ଦେଶକ ମନୋଜ ମହାପାତ୍ର ଏନେଇ ନୂଆ ନିର୍ଦେଶନାମା ଜାରି କରିଛନ୍ତି। ନନ୍ଦନକାନନର ବିକାଶ ଓ ପଶୁପକ୍ଷୀଙ୍କ ସୁରକ୍ଷାର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଦର୍ଶାଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକତା କାରଣ ସ୍ପଷ୍ଟ ଓ ସଂପୂର୍ଣ ଠିକଣା ପ୍ରଦାନ କରିବାକୁ ପଡ଼ିବ। ଏହାପରେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ସାମୟିକ ସମୟସୀମାର ଏକ ପାସ୍ (ପ୍ରବେଶ ଅନୁମତି ପତ୍ର) ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେ କହିଛନ୍ତି ଯେ ଉଦ୍ୟାନ ଭିତରୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଅର୍ଥାତ୍ ସନ୍ଧ୍ୟା ହେବାମାତ୍ରେ ଉଦ୍ୟାନ ଭିତର ପରିସର ମଧ୍ୟରେ ଥିବା ଜଙ୍ଗଲ ଭିତରେ ଖୋଲାରେ ବିଚରଣ କରୁଥିବା ହରିଣ,ବାରହା,ମୟୂର,କୁଟୁରା,ବିଲୁଆ ଆଦି ଜନ୍ତୁ ଜଙ୍ଗଲରୁ ବାହାରି ମୁଖ୍ୟ ରାସ୍ତା ଉପରକୁ ଚାଲିଆସୁଛନ୍ତି। ଏହି ସମୟରେ ଯାତାୟାତ କରୁଥିବା ବାଇକ ଚାଳକଙ୍କ ସହ ଏମାନଙ୍କ ଧକ୍କା ହେବାର ଆଶଙ୍କା ରହିଛି। ଯଦି ସେହି ସମୟ ମଧ୍ୟରେ ଦୁର୍ଘଟଣା ଘଟେ ସେ ସମ୍ପର୍କରେ କିଛି ଜାଣି ହୁଏ ନାହିଁ ଏବଂ ଆଘାତପ୍ରାପ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ହେବ ନାହିଁ। ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହା ସହିତ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହି ଦିନ ପଶୁପକ୍ଷୀଙ୍କୁ କୋଳାହଳରୁ ଦୂରେଇ ରଖାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରାଯାଉଛି। କେବଳ ଦାୟିତ୍ବରେ ଥିବା ଠିକାଦାର ଓ କର୍ମଚାରୀଙ୍କ ସହ ଆବଶ୍ୟକତା ଥିବା ନନ୍ଦନକାନନ କର୍ମଚାରୀମାନଙ୍କୁ ଉଦ୍ୟାନ ଭିତରକୁ ଛଡା ଯାଇଥାଏ। ଏହି ନିୟମକୁ ପରିବର୍ତ୍ତନ କରାଯିବ। ସୋମବାର ନନ୍ଦନକାନନ ବନ୍ଦ ରହୁଥିବାରୁ ସେହିଦିନ ୧ ନମ୍ବର ଓ ୨ ନମ୍ବର ମୁଖ୍ୟ ପ୍ରବେଶ ଫାଟକ ବନ୍ଦ ରହୁଛି। ସୋମବାର ଦିନ ଆବଶ୍ୟକତା ନ ଥିବା କୌଣସି କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରବେଶକୁ ଏଥର ବାରଣ କରାଯିବ। ଏଥିପାଇଁ ସମସ୍ତଙ୍କୁ ସଚେତନ କରିବା ପାଇଁ ଉଭୟ ପ୍ରବେଶ ଫାଟକରେ ସୂଚନା ଫଳକ ଲଗାଯିବ।



