ନେହେରୁଙ୍କ ପ୍ରତିମୂର୍ତ୍ତି ରେ କାଳି ବୋଳିଲେ ଦୁର୍ବୃତ୍ତ
କଲକାତା : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲାରେ କେତେକ ଦୁର୍ବୃତ୍ତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ କାଳି ବୋଳିଥିବା ଦେଖିବାକୁ ମିଳିଛି । ଏହି ଘଟଣା ଜଣାପଡିବାପରେ କାଟୱା ମ୍ୟୁନିସିପାଲିଟିର କର୍ମଚାରୀମାନେ ଥାନାରେ ଏତଲା ଦାଏର କରିଥିଲେ। ଏହି ଘଟଣା ପଛରେ ବିଜେପି କର୍ମୀଙ୍କ ହାତ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏହି ଅଭିଯୋଗକୁ ବିଜେପି ନେତା କୃଷ୍ଣ ଘୋଷ ଖଣ୍ଡନ କରିଛନ୍ତି। ଦଳଗତ ମତପାର୍ଥକ୍ୟ ଥିଲେ ସୁଦ୍ଧା ବିଜେପି ଏଭଳି ହୀନକାର୍ଯ୍ୟ କରିବ ନାହିଁ ବୋଲି ଘୋଷ ମତବ୍ୟକ୍ତ କରିଛନ୍ତି।
ତ୍ରିପୁରାରେ କମ୍ୟୁନିଷ୍ଟ ନେତା ଲେନିନ୍ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରୁ ଏହି ଅଧ୍ୟାୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ମହାତ୍ମାଗାନ୍ଧି, ସୁଭାଷଚନ୍ଦ୍ର ବୋଷ, ବାବାସାହେବ ଆମ୍ବେଦକର, ଶ୍ୟାମାପ୍ରସାଦ ମୁଖାର୍ଜୀ, ପେରିୟାରଙ୍କ ଭଳି ବ୍ୟକ୍ତିବିଶେଷଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଥିଲା।