ମଙ୍ଗଳବାର ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନ

0

ଇସଲାମାବାଦ : ପାକିସ୍ତାନ ରାଷ୍ଟ୍ରପତି ମାମନୁନ ହୁସେନ୍‍ଙ୍କ ୫ ବର୍ଷୀୟା କାର୍ଯ୍ୟକାଳ ସେପ୍ଟେମ୍ବର ୮ରେ ଶେଷ ହେବାକୁ ଯାଉଛି। ମାମନୁନ୍‍ ପୁନଃ ରାଷ୍ଟ୍ରପତି ଦାୟିତ୍ୱ ବହନ କରିବାକୁ ଯାଗ୍ୟ ଥିଲେ। ମାତ୍ର ସେଥିନେଇ ସେ ଅନିଚ୍ଛା ପ୍ରକାଶ କରିବାରୁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି। ମଙ୍ଗଳବାର ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଶାସକ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ), ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବାର ସମ୍ଭାବନା ରହିଛି। ପିଟିଆଇ ପ୍ରାର୍ଥୀ ଆରିଫ ଆଲଭି ରାଷ୍ଟ୍ରପତି ଦୌଡ଼ରେ ସର୍ବାଗ୍ରେ ରହିଥିବା କୁହାଯାଉଛି। ମାତ୍ର ପିପିପି ଯଦି ଏହାର ପ୍ରାର୍ଥୀ ଐଜାଜ୍‍ ଅହସାନଙ୍କ ପ୍ରାର୍ଥିତ୍ୱ ପ୍ରତ୍ୟାହାର କରି ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମୌଲାନା ଫଜଲୁର ରେହମାନଙ୍କୁ ସମର୍ଥନ ଦିଏ ତା’ହେଲେ ପିଟିଆଇ ପାଇଁ ଅଡୁଆ ପରିସ୍ଥିତି ଉପୁଜିବା ଆଶଙ୍କା ଅଛି। ମିଳିତ ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ସୋମବାର ସୁଦ୍ଧା ବିରୋଧୀ ଦଳ ପିଏମ୍‍ଏଲ୍‍-ଏନ୍‍ ଏବଂ ପିପିପି ମଧ୍ୟରେ କୌଣସି ସହମତି ହୋଇ ପାରି ନ ଥିବା ଜଣାପଡିଛି। ତେବେତ୍ରିମୁଖୀ ନିର୍ବାଚନ ହେଲେ ସେଥିରୁ କେବଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ଲାଭବାନ ହେବ। କାରଣ ଇଲେକ୍ଟୋରାଲ କଲେଜରେ ୭୦୬ ଭୋଟ୍‍ ମଧ୍ୟରୁ ୨୫୧ କେବଳ ପିଟିଆଇର। ଏହାର ମିତ୍ର ଦଳଗୁଡିକର ସଦସ୍ୟ ସଂଖ୍ୟାକୁ ବିଚାରକୁ ନିଆଗଲେ ପିଟିଆଇର ଭୋଟ ସଂଖ୍ୟା ୩୧୪ରେ ପହଞ୍ଚି। ଅନ୍ୟପଟେ ପିଏମ୍‍ଏଲ୍‍-ଏନ୍‍ ଏବଂ ପିପିପିର ମିଳିତ ଭୋଟ ସଂଖ୍ୟା ୨୬୦ ରହିଛି। ଏହାକୁ କ୍ଷୁଦ୍ର ଦଳଗୁଡିକର ସମର୍ଥନ ମିଳିଲେ ଭୋଟ ସଂଖ୍ୟା ୩୨୧ରେ ପହଞ୍ଚିବ। ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଜିତିବାର ସମ୍ଭାବନା ବେଶୀ ରହିଛି। ମାତ୍ର ଏହି ବିଜୟ ସମ୍ପୂର୍ଣ୍ଣ ଭାବେ ପିଏମ୍‍ଏଲ୍‍-ଏନ୍‍ ଏବଂ ପିପିପିର ସହମତି ଉପରେ ନିର୍ଭର କରେ।

Leave A Reply