ଆଠଗଡର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ

ବିଶ୍ଵନାଥ ବିଦ୍ୟାପୀଠ, ଆଠଗଡ
ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରମେଶ କୁମାର ସ୍ବାଇଁ, ବରିଷ୍ଠ ଶିକ୍ଷକ କାଶୀନାଥ ସାହୁ, ବିଜୟ କୁମାର ସାହୁ, ମୃତ୍ୟୁଞ୍ଜୟ ରଥ, ଶିକ୍ଷୟିତ୍ରୀ ସରିତା ମିଶ୍ର ପ୍ରମୁଖ ନିଜ ନିଜ ବକ୍ତବ୍ଯରେ ଉତ୍କଳମଣି ଗୋପବନ୍ଧୁଙ୍କ ସେବା, ତ୍ୟାଗ, ଦେଶଭକ୍ତିର ପଟ୍ଟାନ୍ତର ନାହିଁ ବୋଲି କହିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ସ୍କୁଲ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନଶିକ୍ଷକ ଶ୍ରୀ ସ୍ବାଇଁ ଓ ଅନ୍ଯ ଶିକ୍ଷକ/ଶିକ୍ଷୟିତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ସରକାରୀ ବାଳିକା ହାଇସ୍କୁଲ
ଆଠଗଡର ସରକାରୀ ବାଳିକା ହାଇସ୍କୁଲରେ ମହାନ ଦେଶଭକ୍ତ, ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ବୁଧବାର ପାଳନ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀ ଏହି ଅବସରରେ ଉଦବୋଧନ ଦେଇ  ପଣ୍ଡିତ ଗୋପବନ୍ଧୁଙ୍କ ସେବା ମନୋଭାବ ଏବଂ ତ୍ୟାଗପୂତ ଜୀବନାଦର୍ଶକୁ ପାଥେୟ କରି ଛାତ୍ରୀମାନେ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ । ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପରିଡା,  ସଂଯୁକ୍ତା ଦାଶ, ଶୁଭଲକ୍ଷ୍ମୀ ରାଉତଙ୍କ ସମେତ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉତ୍କଳମଣିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସ୍କୁଲ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଗୋପବନ୍ଧୁ ବିଜ୍ଞାନ କଲେଜ
ଗୋପବନ୍ଧୁ ବିଜ୍ଞାନ କଲେଜରେ ବିଶିଷ୍ଟ ଜନସେବକ, ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏଥିରେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ହେଉଛନ୍ତି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିବା ସହ ସେହି ପୂଣ୍ୟାତ୍ମାଙ୍କ ନୀତି, ଆଦର୍ଶ ଓ ସେବା ମନୋଭାବ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଅନୁକରଣୀୟ ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ଯରେ ପ୍ରାଧ୍ୟାପକ ଦେବେଶ ନନ୍ଦନ ରଥ, ଦେବାଶିଷ ପଟ୍ଟନାୟକ, ଡଃ ଗୌତମବୁଦ୍ଧ ସୀତାରାମ ଏବଂ ଅନ୍ଯ ଅଧ୍ୟାପକ ଓ  ଅଧ୍ୟାପିକା ଗୋପବନ୍ଧୁଙ୍କ ତ୍ଯାଗପୁତ ଜୀବନାଦର୍ଶ ଉପରେ ଅବତାରଣା କରିଥିଲେ । କଲେଜ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁ ଏବଂ ତାଙ୍କର ପ୍ରିୟ ଶିଷ୍ଯ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ  ପ୍ରତିମୂର୍ତ୍ତିରେ ସମସ୍ତେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଗୋପବନ୍ଧୁ ମହିଳା କନିଷ୍ଠ କଲେଜ
ଆଠଗଡସ୍ଥିତ ଗୋପବନ୍ଧୁ ମହିଳା କନିଷ୍ଠ କଲେଜରେ ମହାନ ଜନସେବକ, ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ଅବସରରେ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ବରିଷ୍ଠ ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ, ପ୍ରାଧ୍ୟାପିକା ରୀନା ପଟ୍ଟନାୟକ, ପ୍ରମୋଦିନୀ ଜେନା, ସ୍ମିତା ମହାପାତ୍ର, ପୁଷ୍ପମଞ୍ଜରୀ ଦାସଙ୍କ ସମେତ ଅନ୍ଯ ଅଧ୍ୟାପିକା ପଣ୍ଡିତ ଗୋପବନ୍ଧୁଙ୍କ ନିସ୍ୱାର୍ଥପର ଜନସେବା, ବିଶେଷକରି  ରାଜ୍ୟରେ ବିପର୍ଯ୍ୟୟ ବେଳେ ଯେପରି ଦିନରାତି ଏକ କରି ସେବା କରୁଥିଲେ ତାହା ବିରଳ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଯୁବ-ଛାତ୍ର ସମାଜ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ମନୋଭାବ ପୋଷଣ କରିବା ଉଚିତ ବୋଲି ସେମାନେ ମତପ୍ରକାଶ କରିଥିଲେ । କଲେଜ ପରିସରସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷା ଓ ଅଧ୍ୟାପିକାମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏନଏସି ପ୍ରଶାସନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ
ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୁଧବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶଭକ୍ତ ଓ ନିସ୍ୱାର୍ଥପର ଜନସେବକ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ କରାଯାଇଛି । ଏନଏସିର ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି, ନିର୍ବାହୀ ଅଧିକାରୀ ଡଃ ପ୍ରଦୀପ କୁମାର ସାହାଙ୍କ ସମେତ ବହୁ କାଉନସିଲର ଏଥିରେ ଯୋଗଦେଇ ଗୋପବନ୍ଧୁଙ୍କ ତ୍ଯାଗପୁତ ଜୀବନକୁ ଅନୁଶୀଳନ କଲେ ତାଙ୍କୁ ଉତ୍କଳମଣି ନୁହଁ ବରଂ ଭାରତମଣି କହିଲେ ଭୁଲ ହେବନି ବୋଲି ମତବ୍ୟକ୍ତ କଲେ । ତାଙ୍କ ପରି ଜଣେ ନିସ୍ୱାର୍ଥପର ଜନସେବକ ଓ ଦେଶଭକ୍ତ ଆଜି ଦିନରେ ବିରଳ ବୋଲି ସେମାନେ କହିଥିଲେ । ମହିଳା କଲେଜ ନିକଟ ପୂଜ୍ଯପୂଜା ପୀଠ ଓ ରାସରସିକପୁର ଛକରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପନଗରପାଳ, ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ଯ କାଉନସିଲର ମାଲ୍ୟାର୍ପଣ
କରିଥିଲେ ।
ଗୋପବନ୍ଧୁ ବାଳିକା ହାଇସ୍କୁଲ, ଖୁଣ୍ଟକଟା
ଆଠଗଡ ବ୍ଲକର ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ବୁଧବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ପଣ୍ଡାଙ୍କ ସମେତ ଶିକ୍ଷକ ଅଶୋକ କୁମାର ମିଶ୍ର, ଶିକ୍ଷୟିତ୍ରୀ ପ୍ରତୀକ୍ଷା ପରିଡା, ସବିତା ଭୋଳ, ଜୟଶ୍ରୀ ଜେନା, ବିନୋଦିନୀ ସାହୁ ପ୍ରମୁଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ତ୍ଯାଗ, ସେବା, ନିଷ୍ଠାର ତୁଳନା ନାହିଁ ବୋଲି ପ୍ରକାଶ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରୀମାନେ ନିଜ ଜୀବନରେ ଅନ୍ଯକୁ ସାହାଯ୍ଯ କରିବା ଏବଂ କିଛି ନା କିଛି ସେବା କରିବା ଉଚିତ ବୋଲି ସେମାନେ ପରାମର୍ଶ ଦେଇଥିଲେ ।
ସାବିତ୍ରୀ ରଥ ବିଦ୍ୟାପୀଠ, ସମସରପୁର
ଆଠଗଡ ବ୍ଲକର ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ମହାନ ଦେଶସେବକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାରସ୍ବତ ସ୍ରଷ୍ଟା ଉତ୍କଳମଣି ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ପୌରୋହିତ୍ୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁ ନିଜ ବକ୍ତବ୍ଯରେ ଗୋପବନ୍ଧୁଙ୍କ ସେବା, ତ୍ୟାଗ, ଜାତୀୟତା ଭାବ, ସାରସ୍ବତ କୃତି ଅନନ୍ୟ ବୋଲି ପ୍ରକାଶ କରିଥିଲେ । ଶିକ୍ଷୟିତ୍ରୀ ସୁଲୋଚନା ପାଲ, ସୁକନ୍ୟା ମଙ୍ଗୁଆଳ, ଅର୍ପିତା ସାହୁ, ମିତା ରାଉତ, ଶିକ୍ଷକ ପ୍ରମୋଦ କୁମାର ସାହୁ, ବସନ୍ତ ସ୍ୱାଇଁ, ମାନସ ରାଉତ ପ୍ରମୁଖ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ଏଥିରେ ଅନୁପ୍ରାଣିତ ହେବା ଲାଗି ପରାମର୍ଶ ଦେଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Comments are closed.