୩ୟ ଟେଷ୍ଟ : ଭାରତର ପ୍ରଥମ ଇନିଂସ ୭୮ରେ ଶେଷ, ଇଂଲଣ୍ଡ ୪୨ ରନରେ ଆଗୁଆ
ଦ୍ରୁତବୋଲରଙ୍କ ଘାତକ ବୋଲିଂ ପରେ ଇଂଲଣ୍ଡର ଓପ୍ନର ଦୃଢ଼
ହେଡିଂଲି : ବୁଧବାରଠାରୁ ଏଠାରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଇଂଲଣ୍ଡର ପେସ୍ ଆକ୍ରମଣ ସମ୍ମୁଖରେ ଭାରତର ଜଣେ ମାତ୍ର ବ୍ୟାଟ୍ସମ୍ୟାନ୍ ମଧ୍ୟ ତିଷ୍ଠି ପାରିନଥିଲେ ଏବଂ ତାସ୍ର ଘର ପରି ଭାରତର ୱିକେଟସବୁ ପଡ଼ି ଚାଲିଥିଲା। ଫଳରେ ମାତ୍ର ୭୮ ରନ୍ ସ୍କୋର୍ରେ ଭାରତ ପ୍ରଥମ ଇନିଂସରେ ଅଲ୍ଆଉଟ ହୋଇଯାଇଛି। ୨ୟ ଟେଷ୍ଟକୁ ୧୫୧ ରନ୍ରେ ଜିତିବା ପରେ ଭାରତୀୟ ଦଳର ଏପରି ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କୋହଲି ସେନାର ପ୍ରଶଂସକଙ୍କୁ ନିରାଶ କରିଛି। ଜେମ୍ସ ଆଣ୍ଡରସନ୍ ମାତ୍ର ୨୧ ରନ୍ ସ୍କୋର୍ରେ ଭାରତର ପ୍ରଥମ ୩ଟି ୱିକେଟ ନେବା ପରେ ଓଲି ରବିନ୍ସନ ପରବର୍ତ୍ତୀ ୨ଟି ୱିକେଟ ନେଇଥିଲେ। ଏହାପରେ ଅନ୍ୟ ଦୁଇ ପେସ୍ ବୋଲର ସାମ୍ କରନ୍ ଓ କ୍ରେଗ୍ ଓଭର୍ଟନ ଭାରତୀୟ ଇନିଂସର ସମାପ୍ତି ଘଟାଇଥିଲେ। ଏପରି ସ୍ଥିତିରୁ ମ୍ୟାଚ୍କୁ ଫେରିବାକୁ ହେଲେ ଭାରତକୁ କିଛି ଚମତ୍କାର କରିବାକୁ ପଡ଼ିବ।
ଭାରତର ବିପର୍ଯ୍ୟୟ ପରେ ଇଂଲଣ୍ଡ ୨ୟ ଇନିଂସ ଆରମ୍ଭକରି ଅଦ୍ୟାବଧି ଚମତ୍କାର ବ୍ୟାଟିଂକରିଛି। ଇଂଲଣ୍ଡର ଦୁଇ ଓପ୍ନରଙ୍କ ଉପରେ ଭାରତୀୟ ବୋଲର କୌଣସି ପ୍ରଭାବ ପକାଇ ପାରିନାହାନ୍ତି। ପ୍ରଥମ ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସରେ କୌଣସି ୱିକେଟ ନ ହରାଇ ୧୨୦ ରନ୍ କରିପାରିଛି। ହସିବ୍ ହମିଦ୍ ୬୦ ଓ ରୋରି ବର୍ନସ ୫୨ ରନ୍ କରି କ୍ରିଜ୍ରେ ରହିଛନ୍ତି । ହାତରେ ୧୦ଟିଯାକ ୱିକେଟ ବାକିଥାଇ ଇଂଲଣ୍ଡ ଏବେ ୨୨ ରନ୍ ଆଗରେ ରହିଛି।
ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଜେମ୍ସ ଆଣ୍ଡରସନ୍ଙ୍କ ନେତୃତ୍ବରେ ଇଂଲଣ୍ଡର ପେସ୍ ବୋଲର ବଲ୍କୁ ସ୍ବିଙ୍ଗ୍ କରିଥିଲେ; ଯାହାର ମୁକାବିଲା ଭାରତୀୟ ବ୍ୟାଟ୍ସମ୍ୟାନ୍ କରି ପାରିନଥିଲେ । ଭାରତର ପ୍ରଥମ ୫ ବ୍ୟାଟ୍ସମ୍ୟାନ୍ ୱିକେଟ ରକ୍ଷକ ଜୋସ୍ ବଟ୍ଲରଙ୍କୁ କ୍ୟାଚ୍ ଦେବା ଏହାର ପ୍ରମାଣ। ଭାରତର ପ୍ରଥମ ୩ ବ୍ୟାଟ୍ସମ୍ୟାନ୍ ଆଉଟ୍ ସ୍ବିଙ୍ଗରକୁ ଖେଳି ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ଗତ ମ୍ୟାଚ୍ରେ ଶତକ ଅର୍ଜନ କରିଥିବା କେ.ଏଲ୍. ରାହୁଲ ପ୍ରଥମ ଓଭରରେ ବିନା ସ୍କୋର୍ରେ ଆଉଟ ହୋଇଥିଲେ। ଚେତେଶ୍ବର ପୂଜାରା ସମାନ ଢଙ୍ଗରେ ୧ ରନ୍କରି ବିଦାୟ ନେଇଥିଲେ। ବିରାଟ କୋହଲି ୭ ରନ୍କରି ଆଉଟ ହୋଇଥିଲେ। ୨୧ ରନ୍ରେ ୩ଟି ୱିକେଟ୍ ପଡ଼ିଯିବା ପରେ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାଣେ ୨୫ ରନ୍ ଯୋଡ଼ିଥିଲେ। ରାହାଣେ ୧୮ ରନ୍କରି ୱିକେଟ ରକ୍ଷକଙ୍କୁ କ୍ୟାଚ୍ ଦେଇଥିଲେ। ଏହାସହ ୨୨ ରନ୍ରେ ଭାରତ ଶେଷ ୭ଟି ୱିକେଟ ହରାଇ ୭୮ ରନ୍ରେ ଅଲ୍ଆଉଟ ହୋଇଥିଲା। ଋଷଭ ପନ୍ତ୍ ବହୁତ ବାହାର ବଲ୍କୁ ଖେଳି ଆଉଟ ହୋଇଥିଲେ। ଦଳର ସ୍କୋର୍ ୬୭ ରନ୍ ଥିବା ବେଳେ ଭାରତର ଶେଷ ଆଶା ରୋହିତ ଶର୍ମା ଏକ ବେପରୁଆ ପୁଲ୍ ସଟ୍ ମାରି ଆଉଟ ହୋଇଥିଲେ। ୧୦୫ ବଲ୍ ଖେଳି ରୋହିତ ୧୯ ରନ୍ କରିଥିଲେ। ୬୭ ରନ୍ ସ୍କୋର୍ରେ ୪ଟି ୱିକେଟ ପଡ଼ିଥିଲା। ଈଶାନ୍ତ ଶର୍ମା ୮ ରନ୍କରି ଅପରାଜିତ ଥିଲେ। ଜେମ୍ସ ଆଣ୍ଡରସନ୍ ମାତ୍ର ୮ ଓଭର ବୋଲିଂକରି ୩ଟି ୱିକେଟ ନେଇଥିଲେ। କ୍ରେଗ୍ ଓଭର୍ଟନ ୩ଟି ଏବଂ ସାମ୍ କରନ୍ ଓ ଓଲି ରବିନ୍ସନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
Comments are closed.