ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ସମ୍ଭାବନା ଟଳିଲା

0

ହାଇଦରାବାଦ : ତେଲେଙ୍ଗାନାରେ ଆଗୁଆ ବିଧାନସଭା ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ବିଧାନସଭା ଭାଙ୍ଗ କରିବା ନେଇ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ରବିବାର ହାଇଦରାବାଦଠାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାତ୍ର ସେଥିରେ ରାଜ୍ୟରେ ଆଗୁଆ ନିର୍ବାଚନ କରାଇବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଫଳରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଆଗୁଆ ଅନୁଷ୍ଠିତ ହେବା ସମ୍ଭାବନା ବର୍ତ୍ତମାନ ପାଇଁ ଟଳିଯାଇଛି। ମାତ୍ର କେସିଆର ବିଧାନସଭା ଭଙ୍ଗ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ କାଡିଆମ ଶ୍ରୀହରି କହିଛନ୍ତି, ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ। ହାଇଦରାବାଦଠାରେ ୭୦ କୋଟି ଟଙ୍କା ବ୍ୟୟରେ ୭୫ ଏକର ଜମିରେ ପଛୁଆ ବର୍ଗଙ୍କ ପାଇଁ ଏକ ଅଟ୍ଟାଳିକା ନିର୍ମାଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ୟପଟେ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ କେସିଆର ରଙ୍ଗାରେଡ୍ଡୀ ଜିଲାରେ ଆୟୋଜିତ ପ୍ରଗତି ନିବେଦନ ସଭା ନାମକ ମୈଦାନରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି। ଦଳୀୟ କର୍ମୀମାନେ ଗୋଲାପି ସ୍କାର୍ଭ ପିନ୍ଧି ହାତରେ ଗୋଲାପି ପତାକା ଧରି ସମାବେଶରେ ଯୋଗଦେଇଛନ୍ତି। ତେଲେଙ୍ଗାନାର ୩୧ଟି ଜିଲାରୁ ବସ୍‍, ଭ୍ୟାନ, ଟ୍ରାକ୍ଟର ଏବଂ କାର୍‍ ଯୋଗେ ଟିଆରଏସର ମହିଳା ଓ ପୁରୁଷ କର୍ମୀମାନେ ରଙ୍ଗାରେଡ୍ଡୀଠାରେ ପହଞ୍ଚିଛନ୍ତି। ଟିଆରଏସ କର୍ମୀଙ୍କୁ ସଭାସ୍ଥଳକୁ ଆଣିବା ନିମନ୍ତେ ରାଜ୍ୟ ପରିବହନ ବିଭାଗର ୧୦,୬୦୦ଟି ବସ୍‍ ମଧ୍ୟରୁ ୭,୨୦୦ଟି ବସ୍‍ ବ୍ୟବହାର କରାଯାଇଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୨୦,୦୦୦ ପୁଲିସ କର୍ମଚାରୀ ମତୁୟନ କରାଯାଇଛି। ଅନ୍ୟପଟେ ହାଇଦରାବାଦ ମେଟ୍ରୋପଲିଟାନ ଉନ୍ନୟନ ପ୍ରଧିକରଣ ଏଠାକାର ଟୋଲଗେଟରେ ଏହି ବସ୍‍ଗୁଡିକଠାରୁ ଟୋଲ ଫି’ ଆଦାୟ ନ କରିବାକୁ ସ୍ଥିର କରିଥିଲା। ଏହିସବୁ ଘଟଣାକୁ ନେଇ ବିରୋଧୀଦଳଗୁଡିକ ଶାସକ ଦଳ ଟିଆରଏସକୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ରାଜନୈତିକ ଜନସଭା ନିମନ୍ତେ ସରକାରୀ ସାମଗ୍ରୀ ତଥା ବ୍ୟବସ୍ଥାର ଅନୁଚିତ ଉପଯୋଗ କରିଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ମାତ୍ର କେସିଆରଙ୍କ ପୁଅ ତଥା କ୍ୟାବିନେଟ ମନ୍ତ୍ରୀ କେ.ଟି. ରାମାରାଓ (କେଟିଆର୍‍) ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ଉଲ୍ଲେଖ ଯେ, ରାଜନୈତିକ ଫାଇଦା ନିମନ୍ତେ କେସିଆର ରବିବାର ବିଧାନସଭା ଭଙ୍ଗ କରିପାରନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଏପରିକି ରଙ୍ଗାରେଡ୍ଡୀଠାରେ ଅନୁଷ୍ଠିତ ବିଶାଳ ଜନସମାବେଶ ରାଜ୍ୟ ରାଜନୀତିକୁ ଉଷ୍ମ କରିବ ବୋଲି କେଟିଆର ଶନିବାର କହିଥିଲେ; କିନ୍ତୁ ବିଗତ କିଛି ଦିନ ହେବ ଟିଆରଏସ ସହିତ ସମ୍ପର୍କ ବୃଦ୍ଧି କରିଥିବା ବିଜେପି ପକ୍ଷରୁ ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଅସ୍ୱୀକାର କରାଯାଇଥିଲା। ଯଦି ବିଧାନସଭା ଭଙ୍ଗ ହୁଏ ତା’ହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦଳ ସୁପାରିସ କରିବ ଏବଂ କେସିଆର କେବଳ କାମଚଳା ମୁଖ୍ୟମନ୍ତ୍ରୀ ହୋଇ ରହିବେ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା।

Leave A Reply