ଉତ୍ତରପ୍ରଦେଶ, ବିହାରରେ ମେଣ୍ଟ ପାଇଁ କଂଗ୍ରେସର ଭିତିରିଆ ଉଦ୍ୟମ

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମ୍ପ୍ରତି ପିବିତ୍ର ଶୈବପୀଠ କୌଳାଶ ମାନସରୋବର ଯାତ୍ରାରେ ଥିବା ବେଳେ ଦଳୀୟ ସହଯୋଗୀମାନେ ବିଜେପି ବିରୋଧରେ ମହାମେଣ୍ଟ ମଜବୁତ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। ବିଷେଶକରି ରାଜନୈତିକ ଭାଷାରେ ଆଞ୍ଚଳିକ ପାୱାରହାଉସ୍‍ ଭାବେ ପରିଚିତ ଉତ୍ତରପ୍ରଦେଶ ଏବଂ ବିହାରରେ ମେଣ୍ଟ ଗଠନ ନେଇ ଏହି ନେତାମାନେ ଭିତିରିଆ ଆଲୋଚନା ଚଳାଇଛନ୍ତି। ଦଳୀୟ ନେତୃବୃନ୍ଦ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‍ପି), ବହୁଜନ ସମାଜ ପାର୍ଟି (ବିଏସ୍‍ପି), ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‍ଡି) ସହିତ ଯୋଗାଯୋଗ କରିଛନ୍ତି। ଅନ୍ୟପଟେ ବିହାରରେ ଶାସକ ଦଳ ଜେଡିୟୁ ସହ ବିଜେପିର ଆସନ ବୁଝାମଣା ବିଫଳ ହେବା ପରେ କଂଗ୍ରେସ ସେଠାରେ ନିଜ ପାଇଁ ନୂତନ ସମ୍ଭାବନର ସନ୍ଧାନ କରୁଛି। ଏପରିକି ବିହାରରେ ବିଜେପି ସହ ମେନ୍‍ଟ କରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ସମର୍ଥନ ହାସଲ କରିବାକୁ ମଧ୍ୟ କଂଗ୍ରେସର ପୁରୁଖା ନେତା ଜୋରଦାର ଉଦ୍ୟମ ଚଳାଇଛନ୍ତି। ତେବେ ଯଦି ଜେଡିୟୁ ସହିତ ମେନ୍‍ଟ ଗଠନର ସମ୍ଭାବନା ସୃଷ୍ଟି ହୁଏ, ତା’ହେଲେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ଉପୁଜିବ। କାରଣ ଜେଡିୟୁ ୨୦୧୭ରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‍ଜେଡି) ଠାରୁ ମେଣ୍ଟ ଭାଙ୍ଗି ବିଜପେି ସହ ହାତ ମିଳାଇଛି। ଏହି ଘଟଣା ପରଠାରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ କୌଣସି ପରିସ୍ଥିତିରେ ମଧ୍ୟ ନୀତୀଶଙ୍କ ସହିତ ରାଜନୈତିକ ବୁଝାମଣା କରିବାକୁ ପ୍ରସ୍ତୁତ ନାହାନ୍ତି।
୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବାକୁ ହେଲେ ବିରୋଧୀ ଦଳଗୁଡିକୁ ଏହି ଦୁଇ ରାଜ୍ୟରେ ଅଧିକ ଆସନ ଲାଭ କରିବାକୁ ହେବ। ବର୍ତ୍ତମାନ ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ ମଧ୍ୟରୁ ୬୯ଟି ଏବଂ ବିହାରରେ ମୋଟ ୪୦ ଆସନ ମଧ୍ୟରୁ ୨୩ ବିଜେପି ନିଟକରେ ରହିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନାନୁସାରେ, କଂଗ୍ରେସର ବହୁ ପ୍ରମୁଖ ନେତାଙ୍କୁ ଉତ୍ତରପ୍ରଦେଶରେ ଏସପିର ଅଖିଳେଶ ଯାଦବ, ବିଏସପିର ମାୟାବତୀ ଏବଂ ଆରଏଲଡିର ଅଜିତ ସିଂହଙ୍କ ସହିତ ଆସନ ବୁଝାମଣା ଦାୟିତ୍ୱ ଦିଆଯାଇଛି। କଂଗ୍ରେସର ବର୍ଷୀୟାନ ନେତା ଗୁଲାମ ନବୀ ଆଜାଦ ମଧ୍ୟ ପ୍ରମୁଖ ଆଞ୍ଚଳଳିକ ଦଳଗୁଡିକର ନେତାମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଏସ୍‍ପି ଏବଂ ଏସ୍‍ପି ଉତ୍ତରପ୍ରଦେଶରେ ନିଜ ପାଇଁ ଅତିକମ୍‍ରେ ୬୫ରୁ ୭୦ ଆସନ ଚାହୁଁଛନ୍ତି। କଂଗ୍ରେସ ଏବଂ ଆରଏଲଡି ପାଇଁ ଏମାନେ ୧୦-୧୫ ଆସନ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି। ମାତ୍ର କଂଗ୍ରେସ ରାଜ୍ୟରେ ନିଜର ସମର୍ଥକ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ଆସନରେ ପ୍ରାର୍ଥି ଦେବାକୁ ଯୋଜନା ରଖିଛି। ଏଣୁ ଆସନ ବୁଝାମଣା ନେଇ ଏହି ଦୁଇ ଦଳ ସହିତ ମୂଲଚାଲ କରିବା କଷ୍ଟକର ହୋଇପାରେ। ବିହାରରେ କଂଗ୍ରେସ ଏବଂ ଆରଜେଡି ମେନ୍‍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ; କିନ୍ତୁ ଜେଡିୟୁ ସହିତ କୌଣସି ସମ୍ପର୍କ ସ୍ଥାପନ ନ କରିବାକୁ ଲାଲୁଙ୍କ ଦଳ ସ୍ୱତନ୍ତ୍ର ଭାବେ କଂଗ୍ରେସକୁ କହିଛି। ମାତ୍ର ନୀତୀଶଙ୍କ ଠାରୁ କିଛି ମାତ୍ରାରେ ସମର୍ଥନ ଯୋଗାଡ ଯୋଜନାରେ ଥିବା କଂଗ୍ରେସ ଏ ବିଷୟରେ ଲାଲୁଙ୍କୁ ରାଜି କରାଇବାର ଉଦ୍ୟମ କରିଥିଲା। ଏଥିକ୍ରମେ ଲାଲୁ ମୁମ୍ବାଇସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ କଂଗ୍ରେସର ଜଣେ ନେତା ତାଙ୍କୁ ସାକ୍ଷାତ କରିଥିଲେ। ମାତ୍ର ଲାଲୁ ନିଜ ନିଷ୍ପତ୍ତିରେ ଅଟଳ ରହିଥିବା ଜଣାପଡିଛି।

Leave A Reply