ଆତ୍ମପ୍ରଚାର ଓ ପ୍ରବଞ୍ଚନାର ଜାଲରେ ଭାରତ

ମହାତ୍ମା ଗାନ୍ଧୀ ମାଟିରୁ ସଂଗ୍ରାମୀମାନଙ୍କୁ ଗଢ଼ିଥିଲେ। ସତ୍ୟ ଓ ଅହିଂସାକୁ ପାଥେୟ କରି ମହାତ୍ମା ସ୍ବାଧୀନତା ସଂଗ୍ରାମକୁ ସାର୍ବଜନୀନ କରିପାରିଥିଲେ। ତିଲକଙ୍କଠାରୁ ଲାଲାଜୀ, ମଧୁବାବୁଙ୍କଠାରୁ ଗୋପବନ୍ଧୁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଦେଶ ପାଇଁ ଲଢିଲଢି ସର୍ବସ୍ବାନ୍ତ ହୋଇ ଯାଇଥିଲେ। ନିଜ ଜୀବଦ୍ଦଶାରେ ସ୍ବାଧୀନତାର ସ୍ବାଦ ଚାଖିବା ପାଇଁ ଈଶ୍ବର ଏହି ମହାତ୍ମାମାନଙ୍କୁ ବଞ୍ଚାଇ ନଥିଲେ। ଘର, ଦ୍ବାର, ପରିବାର ତ୍ୟାଗକରି ଗୋଟିଏ ଗୋଡ଼ ଜେଲରେ ଓ ଅନ୍ୟଟି ସ୍ବାଧୀନତା ସଂଗ୍ରାମରେ ବିତାଇଥିବା ଏହି ପ୍ରାତଃ ସ୍ମରଣୀୟ ବ୍ୟକ୍ତିମାନଙ୍କ କଷ୍ଟଲବ୍ଧ ସ୍ବାଧୀନତାକୁ ଆଜିର ପିଢ଼ି ଓ ଶାସନକର୍ତ୍ତା ଭୋଗ କରୁଛନ୍ତି। ସ୍ବାଧୀନତା ସଂଗ୍ରାମର ଜନନାୟକମାନେ ସ୍ବପ୍ରଚାରରୁ ଦୂରରୁ ରହି ଜନସେବା କରୁଥିଲେ ଓ ଅତି ସରଳ ଜୀବନଯାପନ କରୁଥିଲେ। ଗାନ୍ଧିଜୀ ତୃତୀୟ ଶ୍ରେଣୀ ରେଳଡବାରେ ଭ୍ରମଣ କରୁଥିଲେ ଓ ତୃତୀୟ ଶ୍ରେଣୀ ସ୍ନାନାଗାରରେ ନିତ୍ୟକର୍ମ ସାରୁଥିଲେ। ଆଜି କ’ଣ କୌଣସି ରାଜନେତା ତୃତୀୟ ଶ୍ରେଣୀରେ ଯାତ୍ରା କରିପାରିବ? ପଣ୍ଡିତ ଗୋପବନ୍ଧୁ ଶଗଡ ଗାଡି ବା ଚାଲି ଚାଲି କିମ୍ବା ନୌକାରେ ଯାତ୍ରାକରି ଲୋକଙ୍କ ଦୁଃଖ-କଷ୍ଟ ମୋଚନ ପାଇଁ ଦିନରାତି ଗୋଟିଏ କରି ଜୀବନ ବିତାଉଥିଲେ। ଏଭଳି ସେବାରେ ନିଜର ଭୋକ ଶୋଷ ଭୁଲି ଯାଉଥିଲେ। ମାନସିକ ବିଷାଦ ଓ ଅର୍ଥାଭାବ ସତ୍ତ୍ବେ ଉତ୍କଳମଣି ନର ସେବାକୁ ନାରାୟଣ ସେବା ରୂପେ ବିବେଚନା କରୁଥିଲେ। ବନ୍ୟା ସମୟରେ ସେ ନିଜ ପୁତ୍ରକୁ ରୋଗ ଶଯ୍ୟାରେ ଛାଡି ଦେଇ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ଦୁର୍ଦଶା ମୋଚନ ପାଇଁ ଯାଇଥିବା ବେଳେ ପୁଅର ଅକାଳ ମୃତ୍ୟୁ ହୃଦୟ ବିଦାରକ ଥିଲା।
୧୯୨୮ ମସିହାରେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ ତାଙ୍କ ପୁସ୍ତକ ‘ଅସୁଖୀ ଭାରତ’ରେ ଛପାଇବା ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ତାଙ୍କର ଛବିଟିଏ ପଠାଇବା ପାଇଁ ପତ୍ର ଦ୍ବାରା ଅନୁରୋଧ କରିଥିଲେ। ଉତ୍କଳମଣି ତାଙ୍କ ବିୟୋଗର ମାତ୍ର କିଛି ଦିନ ପୂର୍ବରୁ ଜୁନ ୧୯୨୮ରେ ଲାଲାଜୀଙ୍କୁ ଜଣାଇଥିଲେ ଯେ ତାଙ୍କ ପାଖରେ କୌଣସି ଛବି ନାହିଁ। ତାଙ୍କ ଭାଇ ନାରାୟଣ ଦାସଙ୍କ ଅକାଳ ବିୟୋଗରେ ଲାଲାଜୀ ପଠାଇଥିବା ଏକ ଶୋକବାର୍ତ୍ତାର ଉତ୍ତରରେ ପଣ୍ଡିତ ଗୋପବନ୍ଧୁ ଦାସ ଲାଲାଜିଙ୍କୁ ଜଣାଇଥିଲେ ଯେ “ନର ନାରାୟଣଙ୍କ ସେବା କାର୍ଯ୍ୟକୁ ଲାଲାଜୀଙ୍କ ସହଯୋଗରେ ସାର୍ଥକ କରିବା ପାଇଁ ସେ ଲୋକସେବକ ମଣ୍ଡଳର ସଦସ୍ୟତା ଗ୍ରହଣ କରିଛନ୍ତି, ନାମ ଓ ଖ୍ୟାତି କମାଇବା ପାଇଁ ତାଙ୍କର ଆଗ୍ରହ ନାହିଁ”। ୧୯୨୮ ଜୁନ ମାସରେ ମୃତ୍ୟୁର କିଛି ସପ୍ତାହ ପୁର୍ବରୁ ଅସୁସ୍ଥ ଥାଇ ମଧ୍ୟ ସେ କଲିକତାରେ ଶ୍ରମିକ ସଂଗଠନ ଡାକରାରେ ଏକ ବୈଠକରେ ଯୋଗଦେବା ପାଇଁ କଲିକତା ଯାଇଥିଲେ ଓ ଶ୍ରମିକ ଶୋଷଣ ବିରୋଧରେ ଶ୍ରମିକଙ୍କୁ ସଂଗଠିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏକାଧାରରେ ଉତ୍କଳମଣି ଗୋପବନ୍ଧୁ ଓଡ଼ିଶା ଏକତ୍ରୀକରଣ ଆନ୍ଦୋଳନ, ସ୍ବାଧୀନତା ସଂଗ୍ରାମ ଓ ଜାତୀୟ ଶିକ୍ଷାର ବିକାଶ ପାଇଁ ତନ ମନ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଯାହା ଚିରଦିନ ଜନସେବକଙ୍କୁ ପ୍ରେରଣା ଦେଉଥିବ। ଦୁଃଖ ଓ ବିଡ଼ମ୍ବନା ଯେ ଉଭୟ ଉତ୍କଳମଣି ଗୋପବନ୍ଧୁ ଓ ପଞ୍ଜାବର ‘ବାଘ’ କୁହାଯାଉଥିବା ଲାଲାଜୀ ଅକାଳରେ ୧୯୨୮ ମସିହାରେ ଆଗପଛ ହୋଇ ଇହଲୀଳା ସମ୍ବରଣ କରିଥିଲେ। ଆଜିକା ରାଜନୀତିକୁ ଛବିସଂସ୍କୃତି ଗ୍ରାସ କରିଅଛି। ଚିକିତ୍ସା ପ୍ରମାଣପତ୍ରଠାରୁ ଆରମ୍ଭ କରି ‘ଭିଜିଟିଂ କାର୍ଡ’ରେ ଛବି ନ ଛାପିଲେ ଆଜିକାର ବହୁ ନେତାଙ୍କୁ ଭଲ ନିଦ ହେଉ ନାହିଁ। । ସରପଞ୍ଚ ଆଶାୟୀ ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ରାଜନେତାମାନେ ଦଶହରା, ନୂଆବର୍ଷ ପ୍ରଭୃତି ଉତ୍ସବରେ ନିଜ ନିଜର ଛବି ଥିବା ବଡ଼ବଡ଼ ପ୍ରଚାରପତ୍ର ଲଗାଇ ନିଜର ପ୍ରଚାର କରୁଛନ୍ତି। ନିଜ ଜୀବନ କାଳରେ ନେତାମାନେ ନିଜ ନାମରେ କ୍ରୀଡ଼ାଙ୍ଗନ ଓ ଉଦ୍ୟାନ ଆଦିର ନାମକରଣ କରିବା ଘଟଣା ଏକ ନୂଆ ରାଜନୈତିକ ସଂସ୍କୃତିରେ ପରିଣତ ହୋଇଛି। ଆଜି ଅଣିଏ ସେବା କରି ୧୫ ଅଣା ପ୍ରଚାର କରିବା ଏକ ରାଜନୈତିକ ସଂସ୍କୃତି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଜି କିଛି ନେତା ଦେଶର ଅନେକ ସମସ୍ୟାକୁ ନେଇ ନେହେରୁଙ୍କୁ ଦୋଷ ଦେଉଛନ୍ତି। ହୋଇପାରେ ସ୍ବାଧୀନତା ସଂଗ୍ରାମର ମହାନାୟକମାନଙ୍କ କିଛି ନିଷ୍ପତ୍ତି ହୁଏତ ଅନ୍ୟ ପ୍ରକାର ବି ହୋଇପାରିଥାନ୍ତା; କିନ୍ତୁ କେଉଁ ପରିସ୍ଥିତିରେ, କେତେ ଜଟିଳତା ଭିତରେ ଏହି ପୂର୍ବଜମାନେ ତତ୍‌କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଯେଉଁ ନିଷ୍ପତ୍ତି ନେଉଥିଲେ ତାହା ବିଚାର କରିବା କଥା। ପଣ୍ଡିତ ନେହେରୁ ସମ୍ବିଧାନ ସଭାରେ ସମ୍ବିଧାନର ଆଭିମୁଖ୍ୟ ଉପରେ ମତ ରଖି କହିଥିଲେ ଯେ “ନାଗରିକ ହିଁ ସ୍ବାଧୀନ ଭାରତର ସାର୍ବଭୌମ ଅଧିକାରୀ ଓ ସମ୍ବିଧାନର ସମସ୍ତ କ୍ଷମତା ନାଗରିକଙ୍କଠାରୁ ଅଣାଯାଇଛି”। ଏହି ଐତିହାସିକ ଶବ୍ଦପୁଞ୍ଜିର ଚିରନ୍ତନ ପ୍ରେରଣା କଷ୍ଟଲବ୍ଧ ସ୍ବାଧୀନତାର ରକ୍ଷାକବଚ ରୂପେ କାମ କରିବ। ଆଜିର ପିଢ଼ି ଯଦି ସମ୍ବିଧାନ ରଚୟନର ଦାୟିତ୍ବ ନେଇଥାନ୍ତେ, ସେମାନେ ଜନତା ଜନାର୍ଦନକୁ ଏଭଳି ସମ୍ମାନ ଓ କ୍ଷମତା ଦେଇଥାନ୍ତେ ତ? ରୋଲେଟ ଆଇନ ବିରୋଧରେ ଆନ୍ଦୋଳନ ଚାଲୁଥିବାବେଳେ, ବଡ଼ଲାଟ ସଭାରେ ଏହି ବିଧେୟକ ଚର୍ଚ୍ଚାକୁ ଗାନ୍ଧିଜୀ ପ୍ରହସନ ବୋଲି ଆଖ୍ୟାଦେଇ ବ୍ରିଟିଶ ସରକାରଙ୍କ ଏହା ଲୋକଦେଖାଣିଆ କାର୍ଯ୍ୟ ବୋଲି ଅଭିମତ ରଖିଥିଲେ। ଆଜି ସଂସଦରେ ୭ ମିନିଟରେ ଆଇନ ଗୃହୀତ ହୋଇଯାଉଛି ବୋଲି ସମ୍ବାଦ ମିଳୁଛି। ଗାନ୍ଧିଜୀଙ୍କ ପରିକଳ୍ପିତ ନୂତନ ଭାରତର ଅବସ୍ଥା ଦେଖି ଆମ ପୂର୍ବଜମାନଙ୍କ ଆତ୍ମା ବ୍ୟଥିତ ହେଉଥିବ। ନେତାଜୀ, ପଣ୍ଡିତ ନେହେରୁ, ସର୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ବି ସି ରାୟ, ରାଜ ଗୋପାଳଚାରୀ, ଜେ ବି କୃପାଳିନୀ, ଡ. ଲୋହିଆ, ଜୟପ୍ରକାଶ ନାରାୟଣ, ବିଶ୍ବନାଥ ଦାସ, କାମରାଜ, ନବକୃଷ୍ଣ ଚୌଧୁରୀଙ୍କ ଭଳି ମହାପୁରୁଷମାନେ ସ୍ବାଧୀନତା ସଂଗ୍ରାମର ସାରଥି ରୂପେ ଉତ୍ତୀର୍ଣ୍ଣ ହୋଇଥିଲେ। ଯେଉଁ ସାମନ୍ତବାଦୀ ଓ ଦେଶଦ୍ରୋହ ଆଇନ ବଳରେ ୧୮୯୭ରେ ଲାଲାଜୀ, ୧୯୨୬ରେ ମହାତ୍ମା ଗାନ୍ଧୀ, ୧୯୨୨ରେ ଗୋପବନ୍ଧୁ ଦାସ ଗିରଫ ହୋଇଥିଲେ, ସେହି ସବୁ ଆଇନ ଆଜି ସ୍ବାଧୀନ ରାଷ୍ଟ୍ରରେ ମଧ୍ୟ ସୁରକ୍ଷିତ ଓ ଏହାର ଅପପ୍ରୟୋଗ କରାଯାଉଛି। ଏ ଦିଗରେ କଂଗ୍ରେସର ଉଦାସୀନତା ଆଜି ସେହି ଦଳକୁ ବହୁ ତଳକୁ ନେଇଯାଇଛି।
ଜରୁରୀ ପରିସ୍ଥିତିରୁ ଦେଶ ଓ ସମାଜ କିଛି ଶିଖିଲା ଭଳି ମନେ ହେଉନାହିଁ। ଆମ ସାମ୍ବିଧାନିକ ଓ ବିଚାର ବ୍ୟବସ୍ଥା ଜରୁରୀ ପରିସ୍ଥିତିରେ ବିନା ବିଚାରରେ ଅଟକ ଥିବା ଜୟପ୍ରକାଶ, ମୋରାର୍‌ଜୀ ଦେଶାଇ, ବିଜୁ ପଟ୍ଟନାୟକ, ଡ. ମହତାବ, ଶ୍ରୀ ବାଜପେୟୀ, ଶ୍ରୀ ଚନ୍ଦ୍ରଶେଖର ପ୍ରମୁଖ ଜନନାୟକଙ୍କୁ ସୁରକ୍ଷା ଦେଇପାରିନଥିଲା। । ଜରୁରୀ ପରିସ୍ଥିତି ବେଳେ ଜଗଜ୍ଜୀବନ ରାମଙ୍କ ‘ଟେଲିଫୋନ ଟ୍ୟାପିଂ’ ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ଶାହା କମିସନ ଏହାକୁ ଗଣତନ୍ତ୍ରର ବିରୋଧୀ ବୋଲି ଦର୍ଶାଇଥିଲେ। କଂଗ୍ରେସ ଶାସନରେ ଆଡୱାଣୀ ଓ ଅନ୍ୟ ନେତାଙ୍କ ‘ଟେଲିଫୋନ ଟ୍ୟାପିଂ’ ହେବାର ଅଭିଯୋଗ ଉଠିଥିଲା। ବର୍ତ୍ତମାନ ତ ଏହାଠାରୁ ଭୟାନକ ପେଗାସସ ଗୁଇନ୍ଦାଗିରି ଅଭିଯୋଗ ପଦାକୁ ଆସିଅଛି। ଯାହାକୁ ଇସ୍ରାଏଲ ଏକ ଅସ୍ତ୍ର ରୂପେ ବର୍ଣ୍ଣନା କରୁଛି ତାକୁ ଦେଶର ରାଜନେତା, ସାମ୍ବିଧାନିକ ସଂସ୍ଥାର ମୁଖ୍ୟ, ବୁଦ୍ଧିଜୀବୀ ଓ ଖୋଦ ସରକାରଙ୍କ ମନ୍ତ୍ରୀଙ୍କ ଗୁଇନ୍ଦାଗିରି ହୋଇଥିବା ଅଭିଯୋଗ ସମ୍ବାଦ ପ୍ରକାଶ ପାଇଛି। ଏହା ଉପରେ ଉତ୍ତର ଦାବିକରି ସଂସଦ ଅଚଳ ରହିଛି। ପୂର୍ବ ସରକାର ସମୟରେ କିଛି ଦୁର୍ନୀତି ଘଟଣା ଉପରେ ଉତ୍ତର ମାଗି ସଂସଦ ଅଚଳ ହୋଇଥିବା ବେଳେ ତତ୍କାଳୀନ ବିରୋଧୀ ଦଳର କିଛି ନେତା ସରକାରଙ୍କୁ ଉତ୍ତରଦାୟୀ କରିବା ଦିଗରେ ଏଭଳି ଅଚଳ ଅବସ୍ଥା ଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି ଅଭିମତ ରଖିଥିବା ନେଇ ବିରୋଧୀଦଳ ବର୍ତ୍ତମାନ ଶାସକ ଦଳକୁ ଆଙ୍ଗୁଠି ଦେଖାଉଛି। ଓଡିଆରେ ପ୍ରବାଦ ଅଛି ‘ତୁ ହଗୁରାକୁ ମୁଁ ହଗୁରା…’। ସମାଜ ଓ ସରକାରଙ୍କର ସଦ୍‌ବୁଦ୍ଧି ଜାଗ୍ରତ ହେଉ। ଦେଶରେ ଅଜସ୍ର ଅମୀମାଂସିତ ସମସ୍ୟା ଥିବାବେଳେ ନୂଆ ସମସ୍ୟା ସୃଷ୍ଟିହେବା ଦେଶ ପାଇଁ ଶୁଭଙ୍କର ନୁହେଁ।
ସେବର ନେତାମାନେ ଦେଶର ଭବିଷ୍ୟତ ଚିନ୍ତା କରୁଥିଲେ। ଆଜିର ନେତାମାନେ ଦଳର ଭବିଷ୍ୟତ ନେଇ ଚିନ୍ତିତ। ହିଂସା, ମିଥ୍ୟା ଓ ପ୍ରବଞ୍ଚନାର ଜାଲରେ ‘ସ୍ବରାଜ୍ୟ’ ଅସୁରକ୍ଷିତ। କାହିଁ ସେଦିନ ଯେତେବେଳେ ଗାନ୍ଧୀ-ଗୋପବନ୍ଧୁ ବିନା ସୁରକ୍ଷାରେ ତୃତୀୟ ଶ୍ରେଣୀ ରେଳଡବାରେ ବୁଲି ଏକ ସାମନ୍ତ ଓ ସାମ୍ରାଜ୍ୟବାଦୀ ଶାସକ ବିରୋଧରେ ସଂଗ୍ରାମ ଚଳାଇ ମଧ୍ୟ ବ୍ୟକ୍ତିଗତ ଭାବେ ଅସୁରକ୍ଷିତ ନ ଥିଲେ। ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ନିଜ ଅନ୍ତିମ ଭାଷଣରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ ବ୍ୟବସ୍ଥାରେ ପବିତ୍ରତା, ସାଧୁତା ଓ ସଚ୍ଚୋଟତା ଉପରେ ଗୁରୁତ୍ବ ଦେଇ ଦଳ ପ୍ରାର୍ଥୀ ଓ କ୍ଷମତାସୀନ ସରକାରଙ୍କ ଦ୍ବାରା ଭବିଷ୍ୟତରେ “ଅସାଧୁ ଆଚରଣ ଅବଲମ୍ବନର ବିପଦ” ନେଇ ସତର୍କ କରାଇଥିଲେ, ଯାହା ଆଜି ସତ୍ୟ ପ୍ରମାଣିତ ହେଉଛି। ବାହୁ ବଳ ଓ ଅର୍ଥ ବଳ କଷ୍ଟାର୍ଜିତ ଗଣତନ୍ତ୍ରକୁ ଦୁର୍ବଳ କରୁଅଛି। ନିର୍ବାଚନ ସମୟରେ ଯଦି ଜଣେ ମୁଖ୍ୟମନ୍ତ୍ରୀ ଗୁଣ୍ଡା ଉପଦ୍ରବ ଲାଗି ଏକ ଭୋଟଗ୍ରହଣ କେନ୍ଦ୍ରରେ ୩ ଘଣ୍ଟା ଅଟକ ରହେ, ସେଥିରୁ ଆମ ନିର୍ବାଚନ ଓ ଗଣତନ୍ତ୍ରର ଅବସ୍ଥାକୁ ଅନୁମାନ କରାଯାଇପାରେ। ଜନଆନ୍ଦୋଳନ ଓ ସମାଜସେବାରେ ଦକ୍ଷତା ରଖିଥିବା ବ୍ୟକ୍ତିମାନେ ରାଜନୀତିକୁ, ବିଶେଷ କରି ନିର୍ବାଚନକୁ ଡରି ଯାଉଛନ୍ତି। ଆଜି ରାଜନୈତିକ ବ୍ୟବସ୍ଥା ହିଂସା, ପ୍ରବଞ୍ଚନା, ପ୍ରତାରଣା ଓ ଆତ୍ମପ୍ରଚାର ଜାଲ ଭିତରେ ଅଣନିଶ୍ବାସୀ ହୋଇଯାଇଛି ଯାହା ଗାନ୍ଧୀ, ଗୋପବନ୍ଧୁଙ୍କ ଆଦର୍ଶର ପରିପନ୍ଥୀ। ଗାନ୍ଧିଜୀଙ୍କ ମତରେ ‘ଅସହିଷ୍ଣୁତା’ ମଧ୍ୟ ଏକ ପ୍ରକାର ହିଂସା।
ଏଣୁ ଦେଶର ଭବିଷ୍ୟତର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ନ ହେଲେ ଆମ ଗଣତନ୍ତ୍ର କେବଳ ଭୋଟକୈନ୍ଦ୍ରିକ ବ୍ୟବସ୍ଥା ହୋଇ ରହିଯିବ। ନାଗରିକ ସଚେତନତା ସମ୍ବିଧାନର ଅସଲ ରକ୍ଷାକବଚ ବୋଲି ସମ୍ବିଧାନ ସଭାରେ ଡ. ଆମ୍ବେଦକର ଯେଉଁ ଘୋଷଣା କରିଥିଲେ, ତାର ସଫଳତା ପାଇଁ କାର୍ଯ୍ୟ କରାଯିବା ଉଚିତ। ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେବ ଏବଂ ତାହା ମଧ୍ୟ ଗାନ୍ଧୀଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସା ମାର୍ଗରେ। ଏହି ଆକାଙ୍‌କ୍ଷା ହାସଲ ପାଇଁ କାହାକୁ ଅପେକ୍ଷା କରିବା ପରିବର୍ତ୍ତେ, ପ୍ରତ୍ୟେକ ନାଗରିକ ନିଜକୁ ପରିବର୍ତ୍ତନର ସାରଥି ସାଜି ସମ୍ମୁଖକୁ ଆସିବା ଉଚିତ। ଦେଶର ଭବିଷ୍ୟତ ପାଇଁ ସମସ୍ତଙ୍କୁ ମିଳିମିଶି ସତ୍ୟ ଓ ଅହିଂସା ମାର୍ଗରେ ପରିଚାଳିତ ହେବାକୁ ପଡିବ, ନଚେତ ସ୍ବାଧୀନତା ପ୍ରତି ବିପଦ ବଢ଼ି ଚାଲିବ।

ରାମଚନ୍ଦ୍ର ପଣ୍ଡା

ପୂର୍ବତନ ଉପବାଚସ୍ପତି, ଓଡ଼ିଶା ବିଧାନସଭା
ଦୂରଭାଷ :୯୪୩୭୪୧୨୮୭୭

Comments are closed.