www.samajalive.in
Friday, December 5, 2025
26.1 C
Bhubaneswar

ପ୍ରସନ୍ନଙ୍କ ରୁଦ୍ରାଭିଷେକ ପରେ ରାଜନୀତି ଉଷ୍ମ

ନାକଟିଦେଉଳ : ସମ୍ବଲପୁର ଜିଲାର ଅନ୍ୟତମ ପାର୍ବତ୍ୟ ଓ ଘନ ଜଙ୍ଗଲ ପରିବେଷ୍ଟିତ ନାକଟିଦେଉଳ ବ୍ଲକର ଖୋଲାଗଡ଼ସ୍ଥିତ ଏକ ଶିବମନ୍ଦିରରେ ଶାସକ ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରୁଦ୍ରଭିଷେକ ଆଳରେ ଏହା ତାଙ୍କର ଶକ୍ତିସଂଗ୍ରହ ଅଭିଯାନ ବୋଲି ଆଲୋଚନା ହେଉଛି।

ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ। ସେମାନଙ୍କୁ ମନ୍ଦିର ପର୍ଯ୍ୟନ୍ତ ନେବାପାଇଁ ଯାନବାହାନ ବ୍ୟବସ୍ଥା କରାଯାଇଥିଲା। ବହୁସଂଖ୍ୟକ ବିଜେଡି କର୍ମୀଙ୍କ ସହ ସଂକୀର୍ତ୍ତନ ଦଳ ଓ କୃଷ୍ଣଗୁରୁ ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ସମସ୍ତଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଖୋଲଗଡ଼ ଶୈବପୀଠ ସମେତ ପାଖରେ ଥିବା ବନ୍ଧର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ନାକଟିଦେଉଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜିତେନ୍ଦ୍ରୀୟ ପ୍ରଧାନ, ଗୋଗୁଆ ସରପଞ୍ଚ ଧନେଶ୍ୱର ପ୍ରଧାନ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ସୁଶାନ୍ତ ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବ୍ଲକ ପ୍ରତିନିଧି ତଥା ଜିଲା ଆଦିବାସୀ କଲ୍ୟାଣସଂଘର ସହସମ୍ପାଦକ ମହେନ୍ଦ୍ର କୁଅଁର, ବିଜେଡ଼ି ଯୁବନେତା ରାଜକିଶୋର ପ୍ରଧାନଙ୍କ ସମେତ ତାଙ୍କର ବହୁ ସମର୍ଥକ ଏବଂ ଜନସାଧାରଣଙ୍କୁ ଏହି ସମାବେଶରେ ଦେଖିବାକୁ ମିଳିଥିଲା।
ଗତ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହେବାପରେ ଶ୍ରୀ ଆଚାର୍ଯ୍ୟ ବିଜେଡି ରାଜ୍ୟ ଉପସଭାପତି ପଦରେ ଅଛନ୍ତି। ହେଲେ ସେ କେବେ ବି ରେଢ଼ାଖୋଲ ସହିତ ନିଜ ସମ୍ପର୍କକୁ ଛିନ୍ନ କରି ନାହାନ୍ତି। ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର କର୍ମୀ ତଥା ଜନସାଧାରଣଙ୍କ ସହ ନିଜ ସମ୍ପର୍କକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ସର୍ବଦା ପ୍ରୟାସ କରିଆସିଛନ୍ତି। ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାଠାରୁ ଆରମ୍ଭ କରି ବିଭିନ୍ନ ସଭାସମିତିରେ ସେ ବରାବର ଯୋଗଦେଇ ଆସୁଛନ୍ତି। ଅନ୍ୟପକ୍ଷରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମନ୍ତ୍ରୀ ପଦରୁ ହଟିବା ପରଠାରୁ ସେ ଦଳୀୟ ହାଇକମାଣ୍ଡଙ୍କ ସୁଦୃଷ୍ଟିରେ ନଥିବା ଆଲୋଚନା ହୋଇଆସୁଛି। ସେ ପ୍ରକାର ପରିସ୍ଥିତିରେ ପ୍ରସନ୍ନ ବାବୁଙ୍କ ଏ ପ୍ରକାର ଆୟୋଜନ ଏକାଧିକ ପ୍ରଶ୍ନକୁ ଜନ୍ମ ଦେଇଛି। ଆଗାମୀ ନିର୍ବାଚନରେ ସେ ରେଢ଼ାଖୋଲ ବିଧାନସଭା ଆସନରୁ ଲଢ଼ିବେ କି ନା ସେଥିରେ ସ୍ପଷ୍ଟ ସୂଚନା ମିଳି ନଥିଲେ ହେଁ ଏହାର ଉତ୍ତର ଖୁବଶୀଘ୍ର ମିଳିବ ବୋଲି ଆଶା କରାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories