www.samajalive.in
Wednesday, December 10, 2025
15.1 C
Bhubaneswar

ସଂସଦ ଅଧିବେଶନ ଆରମ୍ଭ; ବିରୋଧୀଙ୍କ ହୋ ହଲ୍ଲା; ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ କଡା କଟକଣା ଓ ସୁରକ୍ଷା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ବିରୋଧୀ ଦଳ ସଦସ୍ୟମାନେ ସରକାର କୋଭିଡ ପରିଚାଳନାରେ ବିଫଳ ହୋଇଥିବା, ମାତ୍ରାଧିକ ମୁଦ୍ରାସ୍ଫୀତି, ପେଟ୍ରୋଲ ଡିଜେଲ ମୂଲ୍ୟ ଆକାଶଛୁଆଁ ହେବା ଏବଂ ଚାଷୀ ସମସ୍ୟା ଆଦିକୁ ନେଇ ହୋ ହଲ୍ଲା କରିବା ଫଳରେ ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ସରକାର ସଂସଦ ମଧ୍ୟରେ ଏବଂ ବାହାରେ ସମସ୍ତ ନେତାଙ୍କ ସହିତ କୋଭିଡ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛନ୍ତି। ସେଥିପାଇଁ ସମସ୍ତ ସାଂସଦ ଏବଂ ରାଜନୈତିକ ଦଳଗୁଡିକ ସଦନ ମଧ୍ୟରେ ସବୁଠାରୁ ଜଟିଳ ଓ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବାକୁ ସେ ନିବେଦନ କରିବା ସହିତ ସରକାର ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ କହିଥିଲେ। ଏକ ଶୃଙ୍ଖଳିତ ପରିବେଶରେ ସଂସଦ କାର୍ଯ୍ୟ ଚାଲିବାକୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଥିଲେ। ଏହାଦ୍ୱାରା ଗଣତନ୍ତ୍ରର ଉଦ୍ଦେଶ୍ୟ ସାଧିତ ହେବା ସହିତ ଜନସାଧାରଣଙ୍କ ବିଶ୍ୱାସ ମଜଭୁତ ହେବ ଏବଂ ବିକାଶର ଧାରାରେ ଉନ୍ନତି ଘଟିବ।

- Advertisement -

 

ପରେ ସଂସଦରେ ପ୍ରଧାନମନ୍ତ୍ରୀ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପରିଚିତ କରାଇଥିଲେ। ସେ କହିଥିଲେ ଯେ ଅନେକ ମହିଳା, ଦଳିତ, ଆଦିବାସୀଙ୍କୁ ମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଛି। ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହେବା ଉଚିତ। ତାହାସହିତ କୃଷି, ଗ୍ରାମ୍ୟ ପୃଷ୍ଠଭୂମିରୁ ଆସିଥିବା, ଅନ୍ୟ ପଛୁଆ ବର୍ଗଙ୍କୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ତେବେ ବିରୋଧୀ ଦଳଗୁଡିକ ସେମାନଙ୍କ ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ହଟ୍ଟଗୋଳ ଜାରି ରଖିଥିଲେ। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇବା ସହିତ ବିରୋଧୀ ଦଳର ନେତୃବୃନ୍ଦ ଏଥିରୁ ବିରତ ରହିବାକୁ କହିଥିଲେ। ତେବେ ସ୍ଥିତିରେ ସୁଧାର ନଆସିବାରୁ ଲୋକସଭା ବାଚସ୍ପତି ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

 

ଏହି ଅବସରରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୱାଇଏସଆରସିପିର ମାମିଲା ଗୁରୁମୂର୍ତ୍ତି, ଭାଜପାର ମଙ୍ଗଳ ସୁରେଶ ଅଙ୍ଗାଡି, ଆଇୟୁଏମଏଲର ଅବଦୁସମ୍ମଦ ସମାଦାନ ଏବଂ କଂଗ୍ରେସର ବିଜୟ କୁମାର ଓରଫ ବିଜୟ ବସନ୍ତ ଆଦି ଅନ୍ତର୍ଭୁକ୍ତ।

ରାଜ୍ୟସଭାରେ ସଦସ୍ୟମାନେ ପରଲୋକଗତ ସାଂସଦ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ଦିଲୀପ କୁମାର ଏବଂ କ୍ରୀଡାବିତ ମିଲଖା ସିଂ ଆଦି ଅନ୍ତର୍ଭୁକ୍ତ। ପରେ ଗୃହକୁ ମଧ୍ୟାହ୍ନ ୧୨.୨୪ ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଥିଲା। ଦେଶରେ ପେଟ୍ରୋଲ, ଡିଜେଲର ମାତ୍ରାଧିକ ମୂଲ୍ୟବୃଦ୍ଧି ପ୍ରତିବାଦରେ ତୃଣମୂଳ କଂଗ୍ରେସର ସାଂସଦମାନେ ସୋମବାର ଦିନ ସାଇକେଲରେ ସଂସଦ ଭବନକୁ ଆସିଥିବା ଲକ୍ଷ୍ୟ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories