www.samajalive.in
Monday, December 15, 2025
24.1 C
Bhubaneswar

ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଆଜିଠାରୁ ଚାରି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତ; ବୈଠକରେ ଯୋଗଦେବେ ନାହିଁ ମେହବୁବା ମୁଫ୍‍ତି

ଶ୍ରୀନଗର: ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନଃ ପ୍ରଦାନ ପାଇଁ ସେଠାକାର ରାଜନୈତିକ ଦଳଗୁଡିକ ପକ୍ଷରୁ ଦାବି ହେଉଥିବାବେଳେ ସୀମା ନିର୍ଦ୍ଧାରଣ ପରେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ସେହି କ୍ରମରେ ସୀମା ନିର୍ଦ୍ଧାରଣ ଆୟୋଗର ସଦସ୍ୟମାନେ ମଙ୍ଗଳବାର ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହି ଦଳ ସେଠାରେ ଚାରିଦିନ ରହି ବିଭିନ୍ନ ରାଜନୈତିକ ଦଳଗୁଡିକ ସହିତ ଆଲୋଚନା କରିବେ ବୋଲି ଜଣାଯାଇଛି । ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସଦସ୍ୟମାନେ ସୀମା ନିର୍ଦ୍ଧାରଣ କମିଶନ ସଦସ୍ୟଙ୍କୁ ଭେଟିବେ । ଅନ୍ୟପକ୍ଷରେ ମେହବୁବା ମୁଫତି ଆୟୋଗ ସଦସ୍ୟମାନଙ୍କ ସହିତ ବୈଠକରୁ ଦୂରେଇ ରହିବେ ବୋଲି କହିଛନ୍ତି । ଜୁନ୍‍ ୨୪ରେ ଜାମ୍ମୁ କାଶ୍ମୀରର ୮ଟି ରାଜନୈତିକ ଦଳର ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୂତ ବୈଠକରେ ନୂଆଦିଲ୍ଲୀରେ ଯୋଗଦେଇଥିଲେ ।
ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନ ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ ଆୟୋଗର ସଦସ୍ୟମାନେ ମଙ୍ଗଳବାର ଶ୍ରୀନଗର ଠାରେ ପହଞ୍ଚିଥିବା ଜଣାଯାଇଛି । ଏଥିରେ ଆୟୋଗର ପଦପ୍ରଯୁକ୍ତ ସଦସ୍ୟ ସୁଶିଲ ଚନ୍ଦ୍ରା (ନିର୍ବାଚନ ଆୟୁକ୍ତ) ଏବଂ କେ କେ ଶର୍ମା (ଜାମ୍ମୁ କାଶ୍ମୀରର ନିର୍ବାଚନ ଆୟୁକ୍ତ) ପ୍ରମୁଖ ସାମିଲ ଅଛନ୍ତି । ଏଥିସହିତ ଲୋକସଭା ବାଚସ୍ପତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ଭାଜପା ସାଂସଦ ଯୁଗଳ କିଶୋର ଶର୍ମା, ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲା, ମହମ୍ମଦ ଆକବର ଲୋନ ଏବଂ ହସନେନ ମାସୁଦିଙ୍କୁ ଆୟୋଗର ସହଯୋଗୀ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି । ସେମାନେ ଏଠାରେ ଚାରିଦିନ ରହଣି ସମୟରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ନାଗରିକ ସମାଜର ସଦସ୍ୟ ଏବଂ ଜିଲା ନିର୍ବାଚନ ଅଧିକାରୀ ଅଥବା ଉକ୍ତ ଅଞ୍ଚଳର ୨୦ଟି ଜିଲାର ଉପାୟୁକ୍ତମାନଙ୍କୁ ଭେଟି ସେମାନଙ୍କ ଠାରୁ ସଂପ୍ରତି ଚାଲିଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ । ତେବେ ନ୍ୟାସନାଲ କନ୍‍ଫରେନ୍ସ, ସିପିଆଇ(ଏମ) ଏବଂ ନ୍ୟାସନାଲ ପାନ୍ଥର୍ସ ପାର୍ଟିର ନେତୃବୃନ୍ଦ ସୀମା ନିର୍ଦ୍ଧାରଣ ଆୟୋଗଙ୍କୁ ଭେଟିବେ କି ନାହିଁ ତାହା ଏଯାଏ ସ୍ପଷ୍ଟ ଜଣାପଡିନାହିଁ ।
ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚରେ ଏହି ସୀମା ନିର୍ଦ୍ଧାରଣ ଆୟୋଗ ଗଠନ କରାଯାଇଥିଲା ଏବଂ କୋଭିଡ ମହାମାରୀ କାରଣରୁ ଏହାର କାର୍ଯ୍ୟକାଳ ୨୦୨୧ ମାର୍ଚ୍ଚରେ ବୃଦ୍ଧି କରାଯାଇଥିଲା । ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅନୁଯାୟୀ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସଂସଦୀୟ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ଦାୟିତ୍ୱ ସୀମା ନିର୍ଦ୍ଧାରଣ ଆୟୋଗକୁ ନ୍ୟସ୍ତ କରାଯାଇଛି । ନିୟମ ଅନୁଯାୟୀ ସୀମା ନିର୍ଦ୍ଧାରଣ ଶେଷ ହେବାପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ୮୩ରୁ ୯୦କୁ ବୃଦ୍ଧି ପାଇବ । ଆଉ ୨୪ଟି ବିଧାନସଭା ଆସନ ଖାଲି ପଡିବ । କାରଣ ତାହା ପାକିସ୍ତାନ ଅଧିକୃତ କାଶ୍ମୀର ଅଂଶରେ ରହିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories