ପ୍ୟାରିସ୍/ନୂଆଦିଲ୍ଲୀ: ରାଫେଲ ଯୁଦ୍ଧବିମାନ କ୍ରୟ ଜନିତ ଭୂତ ପୁଣି ଭାରତ ସରକାରଙ୍କ ଆଡ଼କୁ ମାଡ଼ିଆସିଛି। ଫ୍ରାନ୍ସ ସରକାର ରାଫେଲ ଯୁଦ୍ଧବିମାନ ବିକ୍ରି ସଂକ୍ରାନ୍ତରେ ୨୦୧୬ରେ ଭାରତ ସହିତ ଡାସଲ୍ଟ କମ୍ପାନୀର ସ୍ବାକ୍ଷରିତ ରାଜିନାମାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି। ଫ୍ରାନ୍ସର ଜଣେ ବିଚାରପତିଙ୍କ ଦ୍ବାରା ଗତ ଜୁନ୍ ୧୪ରୁ ଏହି ତଦନ୍ତ ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ‘ମିଡିଆପାର୍ଟ’ରେ ଶୁକ୍ରବାର ଖବର ପ୍ରକାଶ ପାଇଛି। ଭାରତ ସହ ହୋଇଥିବା ରାଫେଲ୍ ରାଜିନାମାରେ ‘ଦୁର୍ନୀତି ଓ ପକ୍ଷପାତ’ ହୋଇଥିବାର ଅଭିଯୋଗ ଉଠିବା ପରେ ଫ୍ରାନ୍ସ ସରକାର ଏହି ପଦକ୍ଷେପ ନେଇଛନ୍ତି। ‘ଫ୍ରେଞ୍ଚ୍ ନ୍ୟାସନାଲ ଫାଇନାନ୍ସିଆଲ ପ୍ରସିକ୍ୟୁସନ୍’ର (ପିଏନ୍ଏଫ୍) ଅର୍ଥନୈତିକ ଅପରାଧ ଶାଖାର ନିର୍ଦେଶ ଆଧାରରେ ସରକାର ତଦନ୍ତ ନିର୍ଦେଶ ଦେଇଥିବା ପ୍ରକାଶ। ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହଲାଣ୍ଡେଙ୍କର ରାଜିନାମା କ୍ଷେତ୍ରରେ ଭୂମିକାର ମଧ୍ୟ ତଦନ୍ତ ହେବ।
ସମ୍ପ୍ରତି ଦେଶର ରାଷ୍ଟ୍ରପତି ଥିବା ଇମାନୁଏଲ ମାର୍କନ୍ ସେତେବେଳେ ଅର୍ଥମନ୍ତ୍ରୀ ଥିବାରୁ ତାଙ୍କର ଭୂମିକା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। ତାଙ୍କ ବ୍ୟତୀତ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଜିନ୍ ୟେସ୍ ଲି ଡ୍ରିଆନ୍ଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ପୁନଶ୍ଚ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀକୁ ମଧ୍ୟ ତଦନ୍ତକୁ ଟଣାଯିବ ବୋଲି ସୂଚନା ମିଳିଛି; କାରଣ ଏହି କମ୍ପାନୀ ଡାସଲ୍ଟ ସହିତ ବ୍ୟାବସାୟିକ ଚୁକ୍ତି ସ୍ବାକ୍ଷର କରିଥିଲା। ମିଡିଆପାର୍ଟ ପ୍ରତିନିଧି ୟାନ୍ ଫିଲିପିନ୍ ଏହି ଦୁର୍ନୀତି ସମ୍ପର୍କରେ କ୍ରମାଗତ ଖବର ପ୍ରକାଶ କରି ଚାଲିଛନ୍ତି। ଏପ୍ରିଲରେ ଫ୍ରାନ୍ସର ଏକ ସ୍ବେଚ୍ଛାସେବୀ ସଂସ୍ଥା ‘ସେର୍ପା’ ପକ୍ଷରୁ ଅଭିଯୋଗ ହେବା ପରେ ମିଡିଆପାର୍ଟ ପକ୍ଷରୁ ଖବର ପ୍ରସାରିତ ହୋଇଥିଲା। ଡାସଲ୍ଟ କମ୍ପାନୀ ଭାରତୀୟ ମଧ୍ୟସ୍ଥଙ୍କୁ ୧୦ଲକ୍ଷ ୟୁରୋ ଉତ୍କୋଚ ଦେଇଥିବା ଏହି ଖବରରେ ପ୍ରକାଶ ପାଇଥିଲା। ଡାସଲ୍ଟ ପକ୍ଷରୁ ଏହି ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଭାରତ ସରକାର ୫୯ହଜାର କୋଟି ଟଙ୍କା ମୂଲ୍ୟରେ ୩୬ଟି ରାଫେଲ ଯୁଦ୍ଧବିମାନ କିଣିବା ପାଇଁ ଏହାର ନିର୍ମାତା ଡାସଲ୍ଟ କମ୍ପାନୀ ସହିତ ଚୁକ୍ତିବଦ୍ଧ ହୋଇଥିବାବେଳେ ଅଦ୍ୟାବଧି ୧୪ଟି ହସ୍ତଗତ ହେଲାଣି।
ଏହି ଖବରକୁ ନେଇ ଭାରତରେ କଂଗ୍ରେସ ପୁଣି ସକ୍ରିୟ ହୋଇଉଠିଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା ଅଭିଯୋଗର ତଦନ୍ତ କରାଇବାକୁ ଦାବି କରିଥିଲେ। ଏବେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ସେହି ଦାବିକୁ ଦୋହରାଇଛନ୍ତି।



