କଟକ: ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀ(୬୭)ଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ଘଟିଛି। ଝାଞ୍ଜିରୀମଙ୍ଗଳା ଚକୋଲେଟ୍ ଲେନ୍ସ୍ଥ ବାସଗୃହରେ ସେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ଶଶିଭୂଷଣ ତ୍ରିପାଠୀ ଉପସ୍ଥିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ମୀନାକ୍ଷୀ ଦେବୀ ପୁରୀ ଜିଲା ଶ୍ରୀପୁରୁଷୋତ୍ତମପୁର ଗ୍ରାମରେ ୧୯୫୫ ମାର୍ଚ୍ଚ ୨୮ରେ ଜନ୍ମଲାଭ କରିଥିଲେ। ତାଙ୍କ ପିତା ସ୍ୱାଧୀନତା ସଂଗ୍ରାମୀ ସଦାଶିବ ମିଶ୍ର ଓ ମାତା କନକଲତା। ସେ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ପରେ ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଅଧ୍ୟାପିକା ରୂପେ କାର୍ଯ୍ୟ କରିଥିଲେ। ଏଥିସହ ସେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚର ଗବେଷଣା ସହକାରୀ ଭାବେ କଟକ ବଡ଼ ଡାକ୍ତରଖାନାରେ ୧୯୯୨ରୁ ୨୦୧୫ ଯାଏ କାର୍ଯ୍ୟ କରିଥିଲେ। ହାଇସ୍କୁଲ ସ୍ତରରୁ ଶ୍ରେଷ୍ଠ ଗାଇଡ୍ ଭାବେ ରାଷ୍ଟ୍ରପତି ପଦକ ହାସଲ ସହ ଖେଳ, ବକ୍ତୃତା, ସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିଲେ।
ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ। ଜଣେ ସଫଳ ଗାଳ୍ପିକା, ନାଟ୍ୟକାର, ଗୀତିକବି, ପ୍ରାବନ୍ଧିକ ଓ ଶିଶୁସାହିତ୍ୟ ଲେଖିକା ଭାବେ ବେଶ ପରିଚିତ ଥିଲେ। ତାଙ୍କର ସାରସ୍ୱତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମେତ ଏକାଧିକ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ଉପସଭାପତି ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ବିଜୟାନନ୍ଦ ସିଂହ, ଅମରେଶ ପଟ୍ଟନାୟକ, ଡ. ପ୍ରଭାକର ସ୍ୱାଇଁ, ବିଜୟ କୁମାର ଶତପଥୀ, ଗୌରହରି ଦାସ, ଡ. ହୃଷୀକେଶ ମଲ୍ଳିକ, ଡ. ସଂଗ୍ରାମ ଜେନା, ତରୁଣ କୁମାର ସାହୁ, ସଞ୍ଜିତ୍ କୁମାର ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।



