ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ୧୪ ଟି ଗାଁ ରେଡ୍ ଜୋନକୁ ଆସିଯିବା ସହ କନିଷି ହାଟର ବଜାର ଅଞ୍ଚଳକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ କ୍ଷୁଦ୍ର ଆବଦ୍ଧାଞ୍ଚଳ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ୩୨ ପଞ୍ଚାୟତର ୧୨୩ ଟି ଗାଁକୁ ରଙ୍ଗେଇଲୁଣ୍ଡା ବ୍ଲକ ଗଠିତ ହୋଇଛି। କରୋନାର ଦ୍ବିତୀୟ ଲହରର ପ୍ରଭାବ ମଧ୍ୟ ଏଠାରେ ଦେଖିବାକୁ ମିଳିଥିବାବେଳେ ରବିବାର ସୁଦ୍ଧା ୨୮ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଏହା ସହ ଶନିବାର ଦିନ ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ କନିଷି ହାଟରେ ଥିବା ଜଣେ ଫଳ ଦୋକାନୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କନିଷି ତହସିଲ ପକ୍ଷରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ କ୍ଷୁଦ୍ର ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯିବା ସହ ଉକ୍ତ ବଜାର ଅଞ୍ଚଳକୁ ବାଡ ଦିଆଯାଇ ବନ୍ଦ କରାଯାଇଛି।
Related Posts
କନିଷି ହାଟ ଅଞ୍ଚଳରେ ପରିବା ସହ ବିଭିନ୍ନ ସାମଗ୍ରୀର ଦୋକାନ ପ୍ରତି ଦିନ ବସିଥାଏ। ଯଦ୍ୱାରା ଏଠାରେ କିଣାବିକା କରିବାକୁ ବହୁ ଜନସମାଗମ ହୋଇଥାଏ। ରବିବାର ଦିନ ଏଠାରେ ସାପ୍ତାହିକ ହାଟ ହେବା ସହ ଗ୍ରାମାଞ୍ଚଳରୁ ପନିପରିବା ସହିତ ବିଭିନ୍ନ ସାମଗ୍ରୀ ବିକ୍ରି କରିବାକୁୁ ବ୍ୟବସାୟୀ ମାନେ ଭିଡ ଜମାଇଥାନ୍ତି। ବ୍ରହ୍ମପୁର ସହରର ଅନେକ ଲୁଗା, ପନିପରିବା, ଘରକରଣା ବ୍ୟବସାୟୀ ଏହି ହାଟକୁ ବ୍ୟବସାୟ କରିବାକୁ ଆସିଥାନ୍ତି, ଏହା ଦ୍ବାରା ଏଠାରେ ଗହଳି ହେବା ସହ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହା ସହ ଏହି ଅଞ୍ଚଳଟି ଜାତୀୟ ରାଜପଥ କଡରେ ଥିବାରୁ ଏଠାରେ ବିଭିନ୍ନ ଯାତ୍ରୀବାହୀ ଯାନବାହନ ରାସ୍ତା କଡରେ ରଖି ବିଭିନ୍ନ ସାମଗ୍ରୀ କିଣା କିଣି କରୁଥିବା ବେଳେ ଏଥିପାଇଁ ସଂକ୍ରମଣ ବୃଦ୍ଧି ଘଟିବା ଆଶଂକାଙ୍କୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା ବୋଲି କନିଷି ତହସିଲଦାର ତାପସ ରାଉତ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ବ୍ଲକର ୧୪ ଟି ଗାଁ ରେ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶନିବାର ଦିନ ୭ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରାପଲ୍ଲୀ ପଞ୍ଚାୟତରେ ସର୍ବାଧିକ ୭ କରୋନା ପଜିଟିଭ ରୋଗୀ ରହିଥିବା ବେଳେ ଭାବିନୀପୁର ଓ ହଳଦିଆ ପଦର ପଞ୍ଚାୟତ ରେ ୪ ଲେଖାଏଁ ପଜିଟିଭ ରହିଛନ୍ତି । ଏଥି ସହ କୋଠାର ସିଂ, ବଡକୁଶସ୍ଥଳୀରେ ୨ ଜଣ ଲେଖାଏଁ ଏବଂ ବକ୍ସିପଲ୍ଲୀ, ଗୋଳାବନ୍ଧ, ଇନ୍ଦ୍ରାକ୍ ଷୀ, କମଳାପୁର, କନିଷି, କୋଳଥିଗାଁ, ମନ୍ତ୍ରୀଡି, ପଦ୍ମପୁର, ଶାସନପଦରରେ ଜଣେ ଲେଖାଏଁ ପଜିଟିଭ ରହିଥିବା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଜଣାଯାଇଛି।
Comments are closed.