ହ୍ୟାଟ୍ରିକ୍ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍ସ
ମୁମ୍ବଇ: ଆସନ୍ତା ଶୁକ୍ରବାରଠାରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଆରମ୍ଭ ହେଉଛି। ଏହି ସଂସ୍କରଣରେ ଚମ୍ପିଆନ୍ ହେବାକୁ କେଉଁ ଦଳ ଫେଭରିଟ୍ ବୋଲି ପ୍ରଶ୍ନ କରାଯାଏ; ତେବେ ମୁମ୍ବଇ ଇଣ୍ଡିଆନ୍ସର ନାମ ନିଶ୍ଚିତ ମନକୁ ଆସିଯାଏ। ଗତ ୨ଟି ସଂସ୍କରଣରେ ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍ସ ଏଥର ଟାଇଟଲର ହ୍ୟାଟ୍ରିକ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚଳିତ ଟୁର୍ଣ୍ଣାମେଣ୍ଟରେ ବୋଧହୁଏ ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ମୁମ୍ବଇ ଇଣ୍ଡିଆନ୍ସର ଅଛି। ପ୍ରଥମ ୭ ଜଣଙ୍କ ମଧ୍ୟରୁ ନିକଟରେ ଇଂଲଣ୍ଡ ବିପକ୍ଷରେ ୫ ଜଣ ଖେଳିଥିଲେ। ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା, ଇଶାନ୍ କିଷନ୍, ସୂର୍ୟ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା। ଅନ୍ୟ ୨ ବ୍ୟାଟ୍ସମ୍ୟାନ୍ ଧଳାବଲ୍ କ୍ରିକେଟ୍ରେ ବିଶ୍ବରେ ବେଶ୍ ଖ୍ୟାତିସମ୍ପନ୍ନ। ସେମାନେ ହେଲେ କ୍ବିଣ୍ଟନ୍ ଡି କକ୍ ଓ କୈରନ୍ ପୋଲାର୍ଡ। ବିସ୍ଫୋରକ ବ୍ୟାଟିଂ ପାଇଁ ଦୁହେଁ ପ୍ରସିଦ୍ଧ।
ଗତବର୍ଷ ଏହି ବ୍ୟାଟିଂ ଶକ୍ତି ବଳରେ ମୁମ୍ବଇ ଇଣ୍ଡିଆନ୍ସ ଚମ୍ପିଆନ୍ ହୋଇଥିଲା। ଦଳ ପ୍ରଥମ ୭ ବ୍ୟାଟ୍ସମ୍ୟାନଙ୍କୁ ଆଦୌ ପରିବର୍ତ୍ତନ କରିନଥିଲା। ବାମହାତି ଇଶାନ୍ କିଷନ୍ ମୋଟ ୩୦ଟି ଛକା ମାରିଥିଲେ। ଇଶାନ୍, ସୂର୍ୟ୍ୟକୁମାର ଓ ଡି କକ୍ ୪ଟି ଲେଖାଏଁ ଅର୍ଦ୍ଧଶତକ ମାରିଥିଲେ। କ୍ରିସ୍ ଲିନ୍ଙ୍କୁ ଆଦୌ ସୁଯୋଗ ମିଳିନଥିଲା। ଗତବର୍ଷ ଇଶାନ୍ ଓ ସୂର୍ୟ୍ୟକୁମାର ୧୪୫.୫୦ ଷ୍ଟ୍ରାଇକ୍ରେଟ୍ରେ ମିଳିତ ଭାବେ ୯୯୬ ରନ୍ କରିଥିଲେ। ମୁମ୍ବଇର ଏପରି ବ୍ୟାଟିଂ ଲାଇନ୍କୁ ରୋକିବା ପ୍ରତିପକ୍ଷ ବୋଲିଂ ଲାଇନ୍ ପାଇଁ କାଠିକର ପାଠ ହୋଇପାରେ। ଏଥର ମୁମ୍ବଇ ଦଳରେ ନ୍ୟୁଜିଲାଣ୍ଡ ଅଲ୍ରାଉଣ୍ଡର ଜେମ୍ସ ନିସାମ୍ଙ୍କୁ ସାମିଲ କରିଛି। କେବଳ ବ୍ୟାଟିଂ ନୁହେଁ; ବୋଲିଂରେ ମଧ୍ୟ ମୁମ୍ବଇର ଶକ୍ତିବୃଦ୍ଧି ଘଟିଛି।
ଏଥର ମୁମ୍ବଇ ନ୍ୟୁଜିଲାଣ୍ଡର ଫାଷ୍ଟବୋଲର ଆଦାମ୍ ମିଲ୍ନେ, ଅଭିଜ୍ଞ ଲେଗ୍ସ୍ପିନର ପୀୟୂଷ ଚାୱଲା ଓ ଦକ୍ଷିଣ ଆଫ୍ରିକାର ବାମହାତି ଫାଷ୍ଟବୋଲର ମାର୍କୋ ଜାନ୍ସେନଙ୍କୁ ସାମିଲ କରିଛି। ପୂର୍ବରୁ ଦଳରେ ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ, ନାଥାନ୍ କୌଲ୍ଟର-ନାଇଲ୍ ଓ ରାହୁଲ ଚହର ରହିଛନ୍ତି। ୩ ଅଲ୍ରାଉଣ୍ଡର କୈରନ୍ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା କିଛି ଓଭର ବୋଲିଂ କରିପାରନ୍ତି। ଆଡାମ୍ ମିଲ୍ନେ ଘଣ୍ଟା ପ୍ରତି ୧୫୦ କିମି ଗତିରେ ବୋଲିଂ କରୁଥିବାରୁ ବୁମ୍ରା ଓ ବୋଲ୍ଟଙ୍କ ସହ ମୁମ୍ବଇର ବୋଲିଂ ଘାତକ ହୋଇପାରେ। ଅତିରିକ୍ତ ବୋଲର ଭାବେ ଦଳରେ ଧବଳ କୁଲକର୍ଣ୍ଣୀ, ବାମହାତି ସ୍ପିନର ଅନୁକୂଳ ରାୟ, ମୋହ୍ସିନ ଖାଁ, ଅର୍ଜୁନ ତେନ୍ଦୁଲକର ଓ ମାର୍କୋ ଜାନ୍ସେନ୍ ରହିଛନ୍ତି। ୬ ଫୁଟ୍ ୮ ଇଞ୍ଚ୍ ଉଚ୍ଚ ଜାନ୍ସେନ୍ ଦ୍ରୁତଗତିରେ ବୋଲିଂ କରିପାରନ୍ତି ଏବଂ ତାଙ୍କ ଉଚ୍ଚତା ଯୋଗୁଁ ବାଉନ୍ସ ମଧ୍ୟ ପାଇପାରନ୍ତି। ତଳ ଅର୍ଡରରେ ଜାନ୍ସେନ୍ ବଡ଼ ସଟ୍ ମଧ୍ୟ ଖେଳିପାରନ୍ତି। ଶେଷରେ ଏତିକି କହିବାକୁ ହେବ ଯେ ମୁମ୍ବଇ ଇଣ୍ଡିଆନ୍ସ ଦଳକୁ ପରାସ୍ତ କରିବା ଯେକୌଣସି ଦଳ ପାଇଁ ଆହ୍ବାନ ହେବ। ରୋହିତ ଶର୍ମାଙ୍କ ନେତୃତ୍ବ ଦଳକୁ ଉଚିତ ମାର୍ଗଦର୍ଶନ ଦେବ। ତେଣୁ ହ୍ୟାଟ୍ରିକ୍ ଟାଇଟଲ ଜିତିବା ଲାଗି ମୁମ୍ବଇ ଇଣ୍ଡିଆନ୍ସ ଫେଭରିଟ୍। ହେଲେ ଟ୍ବେଣ୍ଟି୨୦ ହେଉଛି ଅନିଶ୍ଚିତତାର ଖେଳ।
Comments are closed.