ବୌଦ୍ଧ ମଡେଲ କଲେଜରେ ଛାତ୍ର ଅଶାନ୍ତି, ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ବୌଦ୍ଧ : ଜିଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଭିନ୍ନ ସମସ୍ୟାକୁ ନେଇ ଆଜି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାସହ ସମାଧାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ଆନ୍ଦୋଳନ କରିଥିଲେ। ବୌଦ୍ଧ ପୋଲିସର ହସ୍ତକ୍ଷେପ ପରେ ରାସ୍ତାରୋକ ହଟାଇଥିଲେ। ବୌଦ୍ଧ ଜିଲାର ବାମଣ୍ଡା ନିକଟରେ ରହିଛି ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ। ତେବେ ଏହି ମହାବିଦ୍ୟାଳୟଟି ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି। ବିକ୍ଷୋଭ କରୁଥିବା ଜଣେ ଛାତ୍ର କହିଛନ୍ତି, ମହାବିଦ୍ୟାଳୟରେ ପାନୀୟଜଳର ଉତ୍କଟ ସମସ୍ୟା ରହିଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମଧ୍ୟ ପାନୀୟଜଳର ସୁବିଧା କିମ୍ବା ବିଦ୍ୟୁତ କାଟ ସମୟରେ ଛାତ୍ରଛାତ୍ରୀ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି । ସେପଟେ ଏହି ମହାବିଦ୍ୟାଳୟ ମଧ୍ୟରେ ଅଣଛାତ୍ରଙ୍କ ଅବାଧ ପ୍ରବେଶ ଯୋଗୁଁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ।

ଏହାଛଡା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସଦାସର୍ବଦା ବିପଦ ରହୁଛି । ପ୍ରାୟ ସମୟରେ ସଡକ ଦୁର୍ଘଟଣା ଘଟି ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଗତକାଲି(ଶୁକ୍ରବାର) ପୁଣିଥରେ ଦୁଇ ଜଣ ଛାତ୍ରୀ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଆଜି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁନେଇ ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିବା ସୂଚନା ରହିଛି ।

Comments are closed.